ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଜୁ ଯୁବ ଜନତା ଦଳ ରାଜ୍ୟରେ ହୋଇଥିବା ପାଠ୍ୟପୁସ୍ତକରେ ତ୍ରୁଟିକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ଦଳ ସରକାରଙ୍କୁ କଡ଼ା ସମାଲୋଚନା କରି କହିଛି ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ହୋଇଥିବା ତ୍ରୁଟି ଶିକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ନଷ୍ଟ କରିଛି । ପିଲାଙ୍କ ଭବିଷ୍ୟତ ସହିତ ଖେଳ ଖେଳିଛନ୍ତି ସରକାର । ମୁଖ୍ୟମନ୍ତ୍ରୀ ରାଜଧର୍ମ ପାଳନ କରିବାରେ ବିଫଳ ହୋଇଛି । ବିଜୁ ଯୁବ ଜନତା ଦଳ ସଭାପତି ଚିନ୍ମୟ ସାହୁ ଓ ବିଜୁ ଛାତ୍ର ଜନତା ଦଳ ସଭାନେତ୍ରୀ ଇପ୍ସିତା ସାହୁ କହିଛନ୍ତି, ପାଠ୍ୟପୁସ୍ତକରେ ତ୍ରୁଟି କେବଳ ଓଡ଼ିଶାରେ ନୁହେଁ ଜାତୀୟ ସ୍ତରର ଗଣମାଧ୍ୟମରେ ଶିରୋନାମା ପାଲଟିଛି । ଏହାଦ୍ୱାରା ଓଡ଼ିଶା ସାରା ଦେଶରେ ନିନ୍ଦିତ ହୋଇଛି । କେବଳ ଲୋକଦେଖାଣିଆ ଭାବେ ୫ ଜଣଙ୍କୁ ନିଲମ୍ବିତ କରି ଚୁପ୍ ହୋଇ ବସି ରହିଛନ୍ତି ସରକାର । ନୈତିକ ଦାୟିତ୍ୱ ନେଇ ଗଣଶିକ୍ଷା ମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ବିଜୁ ଜନତା ଦଳ ଦାବି କରିଛି । ସେହିପରି ଚିନ୍ମୟ ସାହୁ କହିଥିଲେ ଯେ, ନୂତନ ଏନଇପି-୨୦୨୦ ଆଧାରିତ ଓଡ଼ିଆ ପାଠ୍ୟପୁସ୍ତକରେ ହୋଇଥିବା ବ୍ୟାପକ ତ୍ରୁଟି କେବଳ ଏକ ପ୍ରଶାସନିକ ଭୁଲ ନୁହେଁ, ବରଂ ଓଡ଼ିଆ ଭାଷା, ସଂସ୍କୃତି, ଐତିହ୍ୟ ଏବଂ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉପରେ ଆକ୍ରମଣ । ଏହି ଘଟଣା ଜାତୀୟ ସ୍ତରରେ ମଧ୍ୟ ଓଡ଼ିଶାକୁ ଲଜ୍ଜିତ କରିଛି । ଏହା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ରାଜଧର୍ମ ପାଳନ କରି ବିଭାଗୀୟ ମନ୍ତ୍ରୀଙ୍କ ବିରୋଧରେ କୌଣସି ପଦକ୍ଷେପ ନେଇନାହାନ୍ତି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ପ୍ରାୟ ୧୭୬୮ଟି ତ୍ରୁଟି ଚିହ୍ନଟ ହୋଇଛି । ସେଥିରୁ ସର୍ବାଧିକ ୭୦୫ଟି ତ୍ରୁଟି କେବଳ ଅଷ୍ଟମ ଶ୍ରେଣୀର ପୁସ୍ତକରେ ରହିଛି । ବନାନ, ତଥ୍ୟ, ଭୂଗୋଳ, ଇତିହାସ, ସାହିତ୍ୟ, ବ୍ୟକ୍ତିତ୍ୱଙ୍କ ନାମ, ଭୁଲ୍ ଫଟୋ ଏବଂ ଭୁଲ ସ୍ଥାନ ସମ୍ପର୍କିତ ତ୍ରୁଟି ପରିଲକ୍ଷିତ ହୋଇଛି । କର୍ଣ୍ଣାଟକ ବିଧାନସଭାର ଫଟୋକୁ ଓଡ଼ିଶା ବିଧାନସଭା ବୋଲି ଦର୍ଶାଯାଇଥିବା ବେଳେ ନିୟମଗିରିକୁ ଝାଡ଼ଖଣ୍ଡରେ ଥିବା ଉଲ୍ଲେଖ କରାଯାଇଛି ଏବଂ ଗଞ୍ଜାମ ଜିଲ୍ଲାକୁ ବ୍ରହ୍ମପୁର ଜିଲ୍ଲା ବୋଲି ଲେଖିବା ସରକାରଙ୍କ ଓଡ଼ିଆ ଅସ୍ମିତା ପ୍ରତି କୁଠାରଘାତ । ପୁସ୍ତକ ପ୍ରକାଶନରେ ପ୍ରାୟ ୩୮୦ କୋଟି ଟଙ୍କାର ଦୁର୍ନୀତି ହୋଇଛି । ତେଣୁ ଏହି ସମଗ୍ର ଘଟଣାର ସିବିଆଇ ତଦନ୍ତ କରାଯିବା ସହ ସମ୍ପୃକ୍ତ ସମସ୍ତ ଦୋଷୀ ଅଧିକାରୀ ଓ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଇପ୍ସିତା ସାହୁ ଆଉ ମଧ୍ୟ କହିଛନ୍ତି ଯେ, ତ୍ରୁଟିପୂର୍ଣ୍ଣ ପୁସ୍ତକ ବିଷୟରେ ଜାଣିବା ପରେ ସରକାରଙ୍କ ପ୍ରଥମ କାମ ଥିଲା ସେଗୁଡ଼ିକୁ ତୁରନ୍ତ ପ୍ରତ୍ୟାହାର କରିବା । କିନ୍ତୁ ସରକାର ତାହା ନକରି ଲକ୍ଷ ଲକ୍ଷ ପିଲାଙ୍କୁ ଭୁଲ ତଥ୍ୟ ପଢ଼ିବାକୁ ବାଧ୍ୟ କରିଛନ୍ତି । ଶିକ୍ଷକମାନଙ୍କୁ ପୁସ୍ତକ ସଂଶୋଧନ କରି ପଢ଼ାଇବାକୁ କହି ଦାୟିତ୍ୱହୀନତାର ପରିଚୟ ଦେଇଛନ୍ତି ସରକାର । ଏହି ଅକ୍ଷମଣୀୟ ତ୍ରୁଟି ପାଇଁ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ନୈତିକ ଦାୟିତ୍ୱ ନେଇ ୪୮ ଘଣ୍ଟା ମଧ୍ୟରେ ଇସ୍ତଫା ଦିଅନ୍ତୁ । ପ୍ରକାଶନରେ ଖର୍ଚ୍ଚ ହୋଇଥିବା ସରକାରୀ ଅର୍ଥ ସମ୍ପୃକ୍ତ ଦୋଷୀଙ୍କ ଠାରୁ ଆଦାୟ କରାଯାଉ । ତଦନ୍ତ ରିପୋର୍ଟକୁ ତୁରନ୍ତ ସାର୍ବଜନୀନ କରାଯାଉ । ନଚେତ ବିଜୁ ଯୁବ ଜନତା ଦଳ ଓ ବିଜୁ ଛାତ୍ର ଜନତା ଦଳ ମିଳିତ ଭାବେ ରାଜ୍ୟବ୍ୟାପୀ ଗଣଆନେ୍ଦାଳନ କରିବ । ଘଟଣାରେ ସମ୍ପୃକ୍ତ ପ୍ରକୃତ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନହେବା ପର୍ଯ୍ୟନ୍ତ ବିଜେଡିର ସଂଗ୍ରାମ ଜାରି ରହିବ । Post navigation Deva Snana Purnima: ଆସନ୍ତାକାଲି ପୁରୀରେ ସବୁ ସ୍କୁଲ୍ ବନ୍ଦ