ଆସନ୍ତା ନଭେମ୍ବର ୧୮ ତାରିଖରୁ ସପ୍ତଦଶ ଓଡ଼ିଶା ବିଧାନସଭାର ଅଷ୍ଟମ ଅଧିବେଶନ ଆରମ୍ଭ ହେବାକୁ ଯାଉଛି, ଯାହା ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଓଡ଼ିଶା ବିଧାନସଭାର ଅଷ୍ଟମ ଅଧିବେଶନକୁ ଦୃଷ୍ଟିରେ ରଖି ରାଜଧାନୀ ଭୁବନେଶ୍ୱରରେ ଗାଡ଼ି ଚଳାଚଳ ନିୟନ୍ତ୍ରଣ ପାଇଁ କମିଶନରେଟ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଟ୍ରାଫିକ୍ କଟକଣା ଓ ରୁଟ୍ ପରିବର୍ତ୍ତନ ବ୍ୟବସ୍ଥା ଜାରି କରାଯାଇଛି। ଅଧିବେଶନ ସମୟରେ ସହରରେ ସୁରୁଖୁରୁରେ ଟ୍ରାଫିକ୍ ପରିଚାଳନା ପାଇଁ ଏହି ପଦକ୍ଷେପ ନିଆଯାଇଛି। କମିଶନରେଟ ପୋଲିସର ସୂଚନା ଅନୁଯାୟୀ, ଏହି କଟକଣା ଅନୁସାରେ ହାଉସିଂ ବୋର୍ଡ ଛକ ପଟୁ ରବୀନ୍ଦ୍ର ମଣ୍ଡପ ଆଡ଼କୁ ଆସୁଥିବା ସମସ୍ତ ଯାନବାହାନ କେଶରୀ ଟକିଜ୍ ଠାରୁ ବାମ ପାର୍ଶ୍ୱ ରାସ୍ତା ଦେଇ ନିଜ ଗନ୍ତବ୍ୟ ସ୍ଥଳକୁ ଯାଇପାରିବେ। ସେହିପରି ଏ.ଜି. ଛକରୁ ପି.ଏମ୍.ଜି. ଛକ ଆଡ଼କୁ ଆସୁଥିବା ଗାଡ଼ିଗୁଡ଼ିକ ଜୟଦେବ ଭବନ ପାଖରେ ଡାହାଣ ପାର୍ଶ୍ୱରେ ଥିବା ଇନ୍ଦିରା ଗାନ୍ଧୀ ପାର୍କ ରାସ୍ତା ଦେଇ ଯାତାୟାତ କରିବେ। ଅନ୍ୟପଟେ ମାଷ୍ଟର କ୍ୟାଣ୍ଟିନ୍ ଛକ ପଟୁ ଆସୁଥିବା ଯାନବାହାନଗୁଡ଼ିକ ଲୋୟର ପି.ଏମ୍.ଜି. ଛକ ଠାରୁ ବାମ କିମ୍ବା ଡାହାଣ ପାର୍ଶ୍ୱ ରାସ୍ତା ବ୍ୟବହାର କରିବେ। ଏହା ବ୍ୟତୀତ ୧୨୦ ବାଟାଲିୟନ୍ ଛକରୁ ରବୀନ୍ଦ୍ର ମଣ୍ଡପ ଆଡ଼କୁ ଯିବାକୁ ଚାହୁଁଥିବା ଗାଡ଼ିଗୁଡ଼ିକ ପାୱାର ହାଉସ୍ ଛକ ଦେଇ ଯିବାକୁ ଥିବାବେଳେ, ଲୋକଭବନ ଛକରୁ ଏମ୍.ଏଲ୍.ଏ କଲୋନୀ ଓ ରବୀନ୍ଦ୍ର ମଣ୍ଡପ ଆଡ଼କୁ ଯାଉଥିବା ଗାଡ଼ିଗୁଡ଼ିକ ଶାସ୍ତ୍ରୀ ନଗର ଛକ ଦେଇ ଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଜନସାଧାରଣଙ୍କ ଜରୁରୀ ସେବାକୁ ଦୃଷ୍ଟିରେ ରଖି ପୋଲିସ, ଅଗ୍ନିଶମ ଓ ଆମ୍ବୁଲାନ୍ସ ଭଳି ଜରୁରୀକାଳୀନ ଯାନବାହାନ ସମେତ ବିଧାନସଭା, ରାଜ୍ୟ ସଚିବାଳୟ ଓ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟକୁ ଯାଉଥିବା ଅଧିକୃତ ଗାଡ଼ିଗୁଡ଼ିକୁ ଏହି କଟକଣାରୁ ବାଦ୍ ଦିଆଯାଇଛି। ବିଧାନସଭା ଅଧିବେଶନ ଚାଲିଥିବା ପର୍ଯ୍ୟନ୍ତ ରାଜଧାନୀର ଏହି ପ୍ରମୁଖ ରାସ୍ତାଗୁଡ଼ିକରେ ଉକ୍ତ ଟ୍ରାଫିକ୍ ନିୟମ ବଳବତ୍ତର ରହିବ ବୋଲି କମିଶନରେଟ୍ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। Post navigation भीषण चक्रवाती तूफान 20 नवंबर को आंध्र प्रदेश के तट से गुजरने की संभावना