ରାଜଧାନୀର ବ୍ୟସ୍ତବହୁଳ ମାର୍କେଟ୍ ବିଲ୍ଡିଂରେ ଏକ ବଡ଼ଧରଣର ଅଘଟଣ ଘଟିଛି।  ଆଜି ଭୁବନେଶ୍ୱରସ୍ଥିତ ୟୁନିଟ୍-୨ ମାର୍କେଟ ବିଲ୍ଡିଂରେ ଏସି ମରାମତି କାର୍ଯ୍ୟ ବେଳେ ଭୟଙ୍କର ବିସ୍ଫୋରଣ ଘଟିଛି। ଏଥିରେ ଦୁଇଜଣ ଟେକ୍ନିସିଆନ୍ ଗୁରୁତର ଭାବେ ଆହତ ହୋଇଛନ୍ତି ।

ଘଟଣା ସମ୍ପର୍କରେ ଖବର ପାଇବା ପରେ ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏହି ବିସ୍ଫୋରଣ ଯୋଗୁଁ ମାର୍କେଟ୍ ବିଲ୍ଡିଂ ଅଞ୍ଚଳରେ କିଛି ସମୟ ପାଇଁ ଉତ୍ତେଜନା ସୃଷ୍ଟି ହୋଇଥିଲା। ପୋଲିସ ଓ ଅଗ୍ନିଶମ କର୍ମଚାରୀମାନେ ସେଠାରେ ପହଞ୍ଚି ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି। କମ୍ପ୍ରେସର କିପରି ଏବଂ କେଉଁ ପରିସ୍ଥିତିରେ ବିସ୍ଫୋରଣ ହେଲା, ପୋଲିସ ଏହାର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଜାରି ରଖିଛି।

ପ୍ରାଥମିକ ସୂଚନା ଅନୁଯାୟୀ, ଏସିରେ ଗ୍ୟାସ୍ ଭର୍ତ୍ତି କରାଯାଉଥିବା ବେଳେ ଯାନ୍ତ୍ରିକ ତ୍ରୁଟି କିମ୍ବା ହଠାତ୍ ଅତ୍ୟଧିକ ଚାପ ସୃଷ୍ଟି ହେବା କାରଣରୁ କମ୍ପ୍ରେସରଟି ବିସ୍ଫୋରଣ ହୋଇଥିଲା। ତେବେ ଏହି ଘଟଣାରେ ଅନ୍ୟ କେହି ମୃତାହତ ହୋଇନଥିବା ଜଣାପଡ଼ିଛି। ବିସ୍ଫୋରଣର ପ୍ରକୃତ କାରଣ ଜାଣିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *