ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ପୁରୀକୁ ଦେଶ-ବିଦେଶରୁ ଆସୁଥିବା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସୁବିଧା, ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ପାଇଁ ରାଜ୍ୟ ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ହୋଇଛି। ଏହାରି ମଧ୍ୟରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ତ୍ରୁଟିଶୂନ୍ୟ ପାଇ ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ସ୍ବତନ୍ତ୍ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ରଥ ନିର୍ମାଣ,ନୀତିକାନ୍ତି ପାଇଁ ଦ୍ରବ୍ୟ ଯୋଗାଣ,ରାସ୍ତା,ଆଲୋକୀକରଣ, ସୁରକ୍ଷା ବ୍ୟବସ୍ଥାର ଚୂଡାନ୍ତ ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ଏହି ବୈଠକରେ ଗୁରୁତ୍ବପୂର୍ଣ୍ଣ ମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି ରଥଯାତ୍ରାକୁ ଶୃଙ୍ଖଳିତ ଭାବରେ ଆୟୋଜନ କରିବା ଉପରେ ଗୁରୁତ୍ବ ଦିଆଯାଇଛି । ଶୃଙ୍ଖଳିତ ଦର୍ଶନ ସୁନିଶ୍ଚିତ କରିବା ଆମର ଦାୟିତ୍ବ । କର୍ଡନ ପାସ୍ ଉପରେ ଜିଲ୍ଲାପାଳଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ନିୟମ ଅନୁସାରେ ଗୋଟିଏ ବି ଅଧିକ କର୍ଡନ ପାସ୍ ଇସ୍ୟୁ ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।ନୀତିକାନ୍ତି ସହ ଜଡ଼ିତ ସେବକ ଓ କର୍ମଚାରୀଙ୍କ ବ୍ୟତୀତ ଆଉ କାହାକୁ ପାସ୍ ଦିଆଯିବନି । ଏହା ସହ ସେବକ ଏବଂ କର୍ମଚାରୀଙ୍କ ମଧ୍ୟରେ ସୁଗମ ସମନ୍ୱୟ ଉପରେ ଗୁରୁତ୍ୱାରୋପ କରିଥିଲେ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯଦି ସମସ୍ତେ ସେବା ମନୋଭାବ ସହିତ କାମ କରନ୍ତି ଏବଂ ସମ୍ପୂର୍ଣ୍ଣ ସମନ୍ୱୟ ରକ୍ଷା କରନ୍ତି, ତେବେ ରଥଯାତ୍ରା ସମ୍ପୂର୍ଣ୍ଣ ତ୍ରୁଟିମୁକ୍ତ ହେବ। ଭକ୍ତମାନଙ୍କ ସୁରକ୍ଷା ଏବଂ ସୁବିଧା ସର୍ବୋଚ୍ଚ ପ୍ରାଥମିକତା ରହିଛି। ସେ ସେବକମାନଙ୍କ ଭକ୍ତିକୁ ପ୍ରଶଂସା କରିଥିଲେ, ଉଲ୍ଲେଖ କରିଥିଲେ ଯେ, ପ୍ରଭୁ ଜଗନ୍ନାଥଙ୍କ ନୀତିକାନ୍ତି ସର୍ବଦା ସେମାନଙ୍କ ପ୍ରତିବଦ୍ଧତା ଯୋଗୁଁ ସୁଗମ ଭାବରେ ପରିଚାଳିତ ହୋଇଛି। ମୁଁ ବିଶ୍ୱାସ କରୁଛି ଯେ ଏହି ବର୍ଷ ମଧ୍ୟ କୌଣସି ଅସୁବିଧା ହେବ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। Post navigation Police Encounter in Kendujhar: କେନ୍ଦୁଝରରେ ଅଭିଯୁକ୍ତ ଚୋରକୁ ଏନକାଉଣ୍ଟର