ଭିଭିଆଇପି ଓ ଭିଆଇପିଙ୍କ ଗସ୍ତ ସମୟରେ ସୁରକ୍ଷା ସମ୍ବନ୍ଧୀୟ ସମ୍ବେଦନଶୀଳ ସୂଚନା ଲିକ୍‌ ହେଉଥିବା ଘଟଣାକୁ ଗୁରୁତ୍ୱର ସହ ନେଇ ଓଡ଼ିଶା ସରକାର କଡ଼ା ସତର୍କତା ଜାରି କରିଛନ୍ତି। ଏ ନେଇ ଗୃହ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ, ଏସ୍‌ପି, ଡିଜି ଓ ଆଇଜି ଅଫ୍‌ ପୋଲିସ୍‌ ସହ ଗୁପ୍ତଚର ବିଭାଗକୁ ଏହି ନିର୍ଦ୍ଦେଶ ପଠାଯାଇଛି। ଭିଭିଆଇପିଙ୍କ ମିନିଟ୍‌-ଟୁ-ମିନିଟ୍‌ କାର୍ଯ୍ୟକ୍ରମ, ସୁରକ୍ଷା ବ୍ୟବସ୍ଥା ଓ ଅପରେସନାଲ ତଥ୍ୟ ଅନଧିକୃତ ଭାବେ ସେୟାର୍‌ ହେଲେ ଗୁରୁତର ସୁରକ୍ଷା ଝୁମ୍ପ ସୃଷ୍ଟି ହେବ ବୋଲି ସରକାର ସଚେତନ କରିଛନ୍ତି।

ଗୃହ ବିଭାଗର ଅତିରିକ୍ତ ସଚିବଙ୍କ ଦ୍ୱାରା ଜାରି ହୋଇଥିବା ଏହି ପତ୍ରରେ କେନ୍ଦ୍ର ଗୃହ ମନ୍ତ୍ରାଳୟର ୨୪ ନଭେମ୍ବର ୨୦୨୫ ର ଚିଠିକୁ ଉଲ୍ଲେଖ କରାଯାଇଛି। ଏଥିରେ କୁହାଯାଇଛି ଯେ, ଗତ କିଛି ବର୍ଷ ଧରି ଭିଆଇପି ଗସ୍ତ ସମ୍ବନ୍ଧୀୟ ସୂଚନା ସୋସିଆଲ ମିଡିଆ ଓ ବ୍ୟକ୍ତିଗତ ମେସେଜିଂ ଆପ୍‌ ମାଧ୍ୟମରେ ଲିକ୍‌ ହେବାର ଅନେକ ଘଟଣା ସାମ୍ନାକୁ ଆସିଛି। ଏହା ଫଳରେ ସେହି ସୂଚନା ମିଡିଆ ଓ ଅନଧିକୃତ ବ୍ୟକ୍ତିଙ୍କ ହାତକୁ ପହଞ୍ଚୁଥିବାରୁ ସୁରକ୍ଷା ବିପଦ ବଢ଼ୁଛି।

ନୂତନ ନିର୍ଦ୍ଦେଶାବଳୀ ଅନୁସାରେ ଭିଭିଆଇପିଙ୍କ ଗସ୍ତ ସମ୍ବନ୍ଧୀୟ ସୂଚନା କେବଳ ଅଧିକୃତ ଅଧିକାରୀଙ୍କ ସହ ‘ନିଡ୍‌-ଟୁ-ନୋ’ ଆଧାରରେ ମାତ୍ର ସେୟାର୍‌ କରାଯିବ। ମିନିଟ୍‌-ଟୁ-ମିନିଟ୍‌ ପ୍ରୋଗ୍ରାମ, ସୁରକ୍ଷା ବ୍ୟବସ୍ଥା, ରୁଟ୍‌ ଚାର୍ଟ ଓ ଅନ୍ୟାନ୍ୟ ଅପରେସନାଲ ତଥ୍ୟ ସାଧାରଣ ମେସେଜିଂ ପ୍ଲାଟଫର୍ମ କିମ୍ବା ସୋସିଆଲ ମିଡିଆରେ ସେୟାର୍‌ କରିବାକୁ ସଂପୂର୍ଣ୍ଣ ମନା କରାଯାଇଛି। ରାଜ୍ୟ ପୋଲିସ୍‌କୁ ସୁରକ୍ଷିତ ଓ ନିର୍ଭରଯୋଗ୍ୟ କମ୍ୟୁନିକେସନ୍‌ ନେଟୱର୍କ ବ୍ୟବହାର କରିବାକୁ ମଧ୍ୟ କୁହାଯାଇଛି।

ପତ୍ରରେ ଏହା ମଧ୍ୟ ଉଲ୍ଲେଖ ହୋଇଛି ଯେ, ବେସରକାରୀ ମେସେଜିଂ ସର୍ଭିସ୍‌ ମାଧ୍ୟମରେ ତଥ୍ୟ ପଠାଇବାରେ ତଥ୍ୟ ଚୋରି କିମ୍ବା ଲିକ୍‌ ହେବାର ସମ୍ଭାବନା ଅଧିକ। ତେଣୁ ସମସ୍ତ ବିଭାଗ ଓ ସୁରକ୍ଷା ସଂସ୍ଥାକୁ ଏନେଇ ସଚେତନ ରହିବାକୁ କୁହାଯାଇଛି। ଏହାସହ ଭିଭିଆଇପି ଗସ୍ତ ସମ୍ବନ୍ଧୀୟ ସୂଚନା ପରିଚାଳନା ପାଇଁ ସ୍ପଷ୍ଟ ଏସଓପି (SOP) ପ୍ରସ୍ତୁତ କରି କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

କେନ୍ଦ୍ର ଗୃହ ମନ୍ତ୍ରାଳୟ ପତ୍ରରେ ବରିଷ୍ଠ ଅଧିକାରୀମାନଙ୍କୁ ନିମ୍ନସ୍ଥରୀୟ କର୍ମଚାରୀଙ୍କୁ ସୁରକ୍ଷା ସଚେତନତା ନେଇ ସେନ୍ସିଟାଇଜ୍‌ କରିବାକୁ କୁହାଯାଇଛି। ପ୍ରତ୍ୟେକ ଭିଭିଆଇପି ଗସ୍ତ ପୂର୍ବରୁ ସୁରକ୍ଷା ସମ୍ବନ୍ଧୀୟ ଗୋପନୀୟତା ରକ୍ଷା ପାଇଁ ପୁନର୍ବାର ବ୍ରିଫିଂ ଦେବାକୁ ନିର୍ଦ୍ଦେଶ ରହିଛି। ବିଶେଷ କରି ପାକିସ୍ତାନୀ ଗୁପ୍ତଚର ସଂସ୍ଥା ସହ ଶତୃତାପୂର୍ଣ୍ଣ ତତ୍ତ୍ୱମାନେ ଭୁଆ ପରିଚୟ ଦେଇ ସମ୍ବେଦନଶୀଳ ସୂଚନା ହାସଲ କରିବାର ଚେଷ୍ଟା କରୁଥିବା ଉଲ୍ଲେଖ କରି ସତର୍କ ରହିବାକୁ କୁହାଯାଇଛି।

ଆଦେଶରେ ସ୍ପଷ୍ଟ କରାଯାଇଛି ଯେ, କୌଣସି ସୂଚନା ଲିକ୍‌ ହେଲେ ତାହାର ଉତ୍ସ ଖୋଜିବା ପାଇଁ ତୁରନ୍ତ ତଦନ୍ତ କରାଯିବ ଓ ଦାୟୀ କର୍ମଚାରୀଙ୍କ ବିରୋଧରେ ପ୍ରଚଳିତ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ। ଭବିଷ୍ୟତରେ ଏପରି ଘଟଣା ପୁନରାବୃତ୍ତି ରୋକିବା ପାଇଁ ସଂଶୋଧନାତ୍ମକ ପଦକ୍ଷେପ ନେବାକୁ ମଧ୍ୟ କୁହାଯାଇଛି।

ଏହି ନୂତନ ସତର୍କତାକୁ ରାଜ୍ୟରେ ଭିଭିଆଇପି ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ ଓ ପ୍ରୋଫେସନାଲ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି। ବର୍ତ୍ତମାନ ଡିଜିଟାଲ ଯୁଗରେ ସୂଚନା ଲିକ୍‌ ଜାତୀୟ ସୁରକ୍ଷା ପାଇଁ ବଡ଼ ଆହ୍ୱାନ ହୋଇଥିବା ବେଳେ ସରକାରଙ୍କ ଏହି ପଦକ୍ଷେପ ପ୍ରଶାସନିକ ସତର୍କତାକୁ ନୂତନ ମାନଦଣ୍ଡ ଦେବ ବୋଲି ମନେ କରାଯାଉଛି।

Leave a Reply

Your email address will not be published. Required fields are marked *