ଚଳିତ ବର୍ଷ ମାର୍ଚ୍ଚ ୩୧ ସୁଦ୍ଧା ସରକାରୀ କର୍ମଚାରୀଙ୍କ ସମ୍ପତ୍ତି ତାଲିକା ଦାଖଲ ନିର୍ଦ୍ଦେଶ । ଓଡ଼ିଶା ସରକାର ୨୦୨୫ ମସିହା ପାଇଁ ସମ୍ପତ୍ତି ବିବରଣୀ ଦାଖଲ କରିବାର ଶେଷ ତାରିଖ ବୃଦ୍ଧି କରିଛନ୍ତି, ଯାହା ରାଜ୍ୟ ସାରା ସରକାରୀ କର୍ମଚାରୀଙ୍କୁ ଆଶ୍ୱସ୍ତି ଦେଇଛି। ଏହି ସମୟ ମଧ୍ୟରେ ଗ୍ରୁପ୍-ଏ ଠାରୁ ଆରମ୍ଭ କରି ଗ୍ରୁପ୍-ଡି ପର୍ଯ୍ୟନ୍ତ ସମସ୍ତ କର୍ମଚାରୀଙ୍କୁ ନିଜର ସ୍ଥାବର ଅସ୍ଥାବର ସମ୍ପତ୍ତିର ତାଲିକା ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ସମ୍ପତ୍ତିର ସୂଚନା ନ ଦେଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ଶୁଣାଣି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଓଡ଼ିଶା ସରକାରୀ କର୍ମଚାରୀ ଆଚରଣ (ସଂଶୋଧନ) ନିୟମ ୨୦୨୧ ଅନୁଯାୟୀ ଗ୍ରୁପ୍-ଏ ଠାରୁ ଆରମ୍ଭ କରି ଗ୍ରୁପ୍-ଡି ପର୍ଯ୍ୟନ୍ତ ସମସ୍ତ କର୍ମଚାରୀଙ୍କୁ ପ୍ରତିବର୍ଷ ୧ ଜାନୁଆରୀରେ ତାଙ୍କର ସମସ୍ତ ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତି ଏବଂ ତାହାର ମୂଲ୍ୟର ଏକ ସତ୍ୟ ଏବଂ ସମ୍ପୂର୍ଣ୍ଣ ଘୋଷଣା ସେହି ବର୍ଷର ୩୧ ଜାନୁଆରୀ କିମ୍ବା ତା ପୂର୍ବରୁ HRMS ପୋର୍ଟାଲରେ ଅନଲାଇନ୍ ଭାବରେ କରିବାକୁ ପଡିଥାଏ । ତେଣୁ ରାଜ୍ୟ ସରକାରୀ କର୍ମଚାରୀମାନଙ୍କ ଦ୍ୱାରା ୧ ଜାନୁଆରୀ ୨୦୨୫ ରୁ ୩୧ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ବାର୍ଷିକ ସମ୍ପତ୍ତି ବିବରଣୀ ଦାଖଲ କରିବାର ସମୟ ସୀମା ୩୧ ଜାନୁଆରୀ ୨୦୨୬ ଯାଏ ଥିଲା । ସେଥି ନିମନ୍ତେ ବିଭାଗ ଦ୍ୱାରା ୨୯ ଡିସେମ୍ବର ୨୦୨୫ ଏବଂ ୨୦ ଜାନୁଆରୀ ୨୦୨୬ ମାଧ୍ୟମରେ ଜାରି କରାଯାଇଥିଲା।

ତଥାପି କିନ୍ତୁ ଅଧିକାଂଶ କର୍ମଚାରୀ ସେମାନଙ୍କ ବାର୍ଷିକ ସମ୍ପତ୍ତିର ବିବରଣୀ ଦାଖଲ କରିନଥିବା ଦେଖାଯାଇଛି । ସେଥିପାଇଁ ସେହି ଅମାନିଆ କର୍ମଚାରୀଙ୍କୁ ଅତିରିକ୍ତ ସମୟ ସୀମା ଦିଆଯାଇଛି । ଏହି ସମୟକୁ ବୃଦ୍ଧି କରି ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ସମ୍ପତ୍ତି ତାଲିକା ଦାଖଲ କରିବାକୁ ବିଭାଗ ନିର୍ଦ୍ଦେଶ ଦେଇଛି ।

ସମ୍ପୃକ୍ତ କର୍ମଚାରୀମାନଙ୍କୁ ନିର୍ଦ୍ଧାରିତ ଶେଷ ତାରିଖର ଶେଷ ପର୍ଯ୍ୟନ୍ତ ଅପେକ୍ଷା ନକରିବା ଏବଂ ସମୟ ସୀମା ପୂର୍ବରୁ ସେମାନଙ୍କର ସମ୍ପତ୍ତି ବିବରଣୀ ଦାଖଲ କରିବାକୁ ପରାମର୍ଶ ଦିଆଯାଇଛି । ଯଦି କେହି ନିର୍ଦ୍ଦେଶ ପାଳନ ନ କରନ୍ତି ତେବେ ସେମାନଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶେଷ ଚେତାବନୀ ଦିଆଯାଇଛି ।

Leave a Reply

Your email address will not be published. Required fields are marked *