ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଦିନ ରାଜ୍ୟ ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଥିବାବେଳେ ବଜେଟକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କଟାକ୍ଷ କରିଛନ୍ତି । ସେ କହିଛନ୍ତି ଯେ, ଏହି ବଜେଟ୍ ଏକ ‘ଖାଲି ରୋଷେଇ ଘରର ଭରପୂର ମେନୁ’ ଭଳି ମନେ ହେଉଛି । ନବୀନ ପଟ୍ଟନାୟକ ବଜେଟରେ ଅନେକ ଯୋଜନାର ତାଲିକା ଥିଲେ ମଧ୍ୟ ସେଗୁଡ଼ିକୁ ସଫଳ କରିବା ପାଇଁ ରୋଷେଇ ଘର (ରାଜକୋଷ) ଖାଲି ଅଛି ବୋଲି କହିଛନ୍ତି । ନବୀନ କହିଛନ୍ତି, ରୋଷେଇ ଘର ନାହିଁ, ହେଲେ ଖାଦ୍ୟ ମେନୁ ମାଳ ମାଳ ଅଛି । ଯେଉଁଥିରେ ରାଜ୍ୟବାସୀଙ୍କୁ ରଙ୍ଗୀନ ସ୍ୱପ୍ନ ଦେଖାଯାଇଛି । ବଜେଟକୁ ନେଇ ବିଜେଡି ସଭାପତି କହିଛନ୍ତି ଯେ, ଚାଷୀଙ୍କ ପ୍ରକୃତ ସମସ୍ୟାକୁ ସମାଧାନ କରିବାରେ ବଜେଟ୍ ପଛରେ ପଡ଼ିଯାଇଛି । ରାଜ୍ୟର ବିକାଶ ଉପରେ କୌଣସି ଧ୍ୟାନ ନ ଦେଇ ସମସ୍ତ ବଡ଼ ବଡ଼ ପ୍ରତିଶ୍ରୁତି ଦିଆଯାଇଛି । ଓଡ଼ିଶାର ପ୍ରତ୍ୟେକ ନବଜାତ ଶିଶୁକୁ ପ୍ରାୟ ୩୦,୦୦୦ ଟଙ୍କାର ମୁଣ୍ଡପିଛା ଋଣ ବୋଝ ସହିତ ସ୍ୱାଗତ କରାଯିବ । ବର୍ଷ ବର୍ଷର ସୁଚିନ୍ତିତ ଯୋଜନା ଏବଂ ଆର୍ଥିକ ସତର୍କତା ସହିତ, ବିଜେଡି ସରକାର ଋଣ ବୋଝ ବହୁ ପରିମାଣରେ ହ୍ରାସ କରିଥିଲା। ଆର୍ଥିକ ଦୃଷ୍ଟିରୁ ଆମେ ଦେଶର ସର୍ବୋତ୍ତମ ପରିଚାଳିତ ରାଜ୍ୟ ଥିଲୁ । କିନ୍ତୁ ଆଜି ରାଜ୍ୟର ମୋଟ ଋଣ ଖୁବ୍ ଶୀଘ୍ର ୧,୩୦,୦୦୦ କୋଟି ଟଙ୍କା ଛୁଇଁବ । ଏହା ଓଡ଼ିଶାର ଆର୍ଥିକ ସ୍ଥିତିକୁ ପ୍ରଭାବିତ କରିବ, ରାଜ୍ୟର ବିକାଶ ଗତି ଏବଂ ଜନସାଧାରଣଙ୍କ କଲ୍ୟାଣକୁ ପଥଚ୍ୟୁତ କରିବ । Post navigation Madhu Babu Pension Yojana: ଆଉ ୬ ଲକ୍ଷ ହିତାଧିକାରୀ ପାଇବେ ମଧୁବାବୁ ପେନସନ୍: ମୁଖ୍ୟମନ୍ତ୍ରୀ ମୋହନ ମାଝୀ Bhakta Das’ Stand On Odisha Budget 2026: ଖର୍ଚ୍ଚ କରିନପାରିଲେ ବଜେଟର କଳେବର ବଢ଼ାଇଲେ କି ଲାଭ