ସିବିଏସଇ ଦଶମ ପରୀକ୍ଷା ଦେଲେନି କ୍ରିକେଟ୍ ଦୁନିଆରେ ଛାଇ ଯାଇଥିବା ୧୪ ବର୍ଷୀୟ ଯୁବ ବିସ୍ମୟ ବୈଭବ ସୂର୍ଯ୍ୟବଂଶୀ । ନିକଟରେ ଅଣ୍ଡର-୧୯ ବିଶ୍ବକପ୍‌ ଜିତିଥିବା ଟିମ୍ ଇଣ୍ଡିଆର ସଦସ୍ୟ ତଥା ଚର୍ଚ୍ଚିତ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ ପରୀକ୍ଷା ଦେଇ ନାହାନ୍ତି । ବିହାର ସମସ୍ତିପୁର ସ୍ଥିତ ପରୀକ୍ଷା କେନ୍ଦ୍ରକୁ ଆସି ନ ଥିବା ସୂଚନା ଦେଇଛନ୍ତି ପ୍ରିନ୍ସିପାଲ୍‌। ସେ କହିଛନ୍ତି ପରୀକ୍ଷା କେନ୍ଦ୍ରକୁ ଆସି ନଥିବାରୁ ଆମେ ବୈଭବଙ୍କୁ ଅନୁପସ୍ଥିତ ଦର୍ଶାଇଛୁ ।

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ସହିତ ତାଙ୍କର ପ୍ରତିବଦ୍ଧତା ଯୋଗୁ, ବୈଭବ ପରୀକ୍ଷା ଦେଇପାରି ନାହିଁ ବୋଲି କହିଛନ୍ତି ପ୍ରିନ୍ସିପାଲ୍‌ । ସ୍କୁଲ କର୍ତ୍ତୃପକ୍ଷଙ୍କ ଅନୁଯାୟୀ, ବୈଭବଙ୍କ ପରୀକ୍ଷା ଫର୍ମ ଦାଖଲ ହୋଇସାରିଛି ଏବଂ ତାଙ୍କର ପ୍ରବେଶ ପତ୍ର ବିଧିବଦ୍ଧ ଭାବରେ ଜାରି କରାଯାଇଥିଲା। ତାଙ୍କୁ ଦିଆଯାଇଥିବା କେନ୍ଦ୍ର ପୋଦ୍ଦାର ଇଣ୍ଟରନ୍ୟାସନାଲ ସ୍କୁଲ ଥିଲା। କିନ୍ତୁ, ସେ ପରୀକ୍ଷା ଦେବାକୁ ଆସି ନଥିଲେ ।

ସୂଚନା ଯୋଗ୍ୟ; ବୈଭବ ସୂର୍ଯ୍ୟବଂଶୀ ତାଜପୁର ପ୍ରଖଣ୍ଡର ମୋଡେଷ୍ଟି ସ୍କୁଲର ଛାତ୍ର । ଫେବୃଆରୀ ୧୭ ତାରିଖରୁ ମାର୍ଚ୍ଚ ୧୧ ତାରିଖ ପର୍ଯ୍ୟନ୍ତ ବୈଭବ ସୂର୍ଯ୍ୟବଂଶୀଙ୍କ ମାଟ୍ରିକ ପରୀକ୍ଷା ଥିଲା । ବିହାରର ତାଜପୁରରେ ଥିବା ମୋଡେଷ୍ଟି ସ୍କୁଲରେ ପଢୁଥିବା ବେଳେ ବୈଭବ କିନ୍ତୁ ପରୀକ୍ଷା ଦେଇ ନାହାନ୍ତି । କାରଣ ତାଙ୍କର ଦ୍ରୁତ ଗତିରେ ବୃଦ୍ଧି ପାଉଥିବା କ୍ୟାରିୟରରେ କ୍ରିକେଟ୍ ପ୍ରତିବଦ୍ଧତା ପ୍ରାଥମିକତା ନେଉଛି।

ଅନ୍ୟପଟେ ଆସନ୍ତା ମାସରେ ଆଇପିଏଲର ନୂଆ ସିଜିନ ଆରମ୍ଭ ହେଉଛି । ଗତ ସିଜିନରେ ବୈଭବ ଆଇପିଏଲରେ ପଦାର୍ପଣ କରିଥିଲେ । ଆଇପିଏଲ୍ ଇତିହାସରେ ସବୁଠୁ ଯୁବ ଖେଳାଳି ହେବା ସହ ଦ୍ରୁତତମ ଶତକ ମାରିବାର ରେକର୍ଡ ସୂର୍ଯ୍ୟବଂଶୀଙ୍କ ନାଁରେ ରହିଛି ।

Leave a Reply

Your email address will not be published. Required fields are marked *