ଆମ ବସ୍‌ ଧକ୍କାରେ ମୃତ ଅଟୋ ଚାଳକଙ୍କ ସଂପର୍କୀୟଙ୍କୁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। CMRFରୁ ୪ ଲକ୍ଷ ଟଙ୍କା ସହାୟତା ହେବାକୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କରିଛନ୍ତି । ଏହା ସହ ଏହି ଘଟଣାକୁ ନେଇ ଗଭୀର ଶୋକ ପ୍ରକାଶ କରିବା ସହ ଯାଜପୁର ଅଟୋ ଚାଳକ ବିଷ୍ଣୁ ପାତ୍ରଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ଗତକାଲି ରୂପାଲି ଛକରେ ଆମ ବସ୍‌ ଧକ୍କାରେ ବିଷ୍ଣୁଙ୍କ ଜୀବନ ଯାଇଥିଲା । ଏ ଘଟଣାରେ ଆହତ ହୋଇଥିବା ଛାତ୍ରୀଙ୍କ ଆଶୁ ଆରୋଗ୍ୟ ମଧ୍ୟ ମୁଖ୍ୟମନ୍ତ୍ରୀ କାମନା କରିଛନ୍ତି।

ତେବେ ‘ଆମ ବସ’ ପରିବହନରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ମୁଖ୍ୟମନ୍ତ୍ରୀ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ଆମ ବସ ପରିଚାଳନା ସଂସ୍ଥା CRUT ସହିତ ସମନ୍ୱୟ ରକ୍ଷା କରି ଏ ସମସ୍ୟାରେ ଉନ୍ନତି ଆଣିବା ପାଇଁ ପଦକ୍ଷେପ ନେବାକୁ ସେ ପରିବହନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।

ବିଶେଷକରି ଆମ ବସ ଡ଼୍ରାଇଭର ମାନଙ୍କ ଦକ୍ଷତା ବୃଦ୍ଧି ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ଵ ଆରୋପ କରିଛନ୍ତି। ଏଥିପାଇଁ ନିୟମିତ ଟ୍ରେନିଂ ପ୍ରଦାନ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି।

ଟ୍ରେନିଂ ପ୍ରକ୍ରିୟାରେ ଡ଼୍ରାଇଭର ମାନଙ୍କ ଦକ୍ଷତା ସହ ସେମାନଙ୍କ ଶାରିରୀକ ଓ ମାନସିକ ସ୍ଵାସ୍ଥ୍ୟ ସଂପର୍କରେ ମଧ୍ୟ ଗୁରୁତ୍ଵ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ବିଶେଷକରି, ସେମାନଙ୍କ ମଧ୍ୟରେ ସମ୍ବେଦନଶୀଳ ମନୋଭାବ ସୃଷ୍ଟି ପାଇଁ training module କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି।

ଏହା ସହିତ MVI ମାନଙ୍କ ଦ୍ଵାରା ଆମ ବସ ଗୁଡ଼ିକର ଫିଟନେସ ସଂପର୍କରେ ନିୟମିତ ଯାଞ୍ଚ କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବାଣିଜ୍ୟ ଓ ପରିବହନ ବିଭାଗ ଏକ ସ୍ଵତନ୍ତ୍ର ସ୍କ୍ୱାଡ ଗଠନ କରି ବସ ଫିଟନେସ ଯାଞ୍ଚ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଏହିପରି ଦୁର୍ଭାଗ୍ୟଜନକ ଘଟଣା ଯେପରି ବାରମ୍ବାର ନ ଘଟେ ସେଥିପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ନିୟମିତ ଭାବେ ସମୀକ୍ଷା କରି ପରିସ୍ଥିତିରେ ଉନ୍ନତି ଆଣିବା ପାଇଁ ଉଦ୍ୟମ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ଅନ୍ୟପଟେ ଆମ ବସ୍‌ କ୍ରୁଟ୍‌ର ଗାଡ଼କଣ ସ୍ଥିତ ବସ୍ ଡିପୋ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଅନ୍‌ଲାଇନ୍ ସ୍ମାର୍ଟ ସିଟି ଅଟୋ ମହାସଂଘ । ଆମ ବସକୁ ଯମ ରୂପେ ଧୂପ ଦେଇ ପୂଜା କଲେ । ବସ୍ ଆଗରେ ଅଧିଆ ପଡ଼ିଲେ। ପ୍ରାର୍ଥନା କଲେ ଏତିକିରେ ଶାନ୍ତି ହେଇଯା ଆଉ ମଣିଷ ମାରନି ବୋଲି କହିଛନ୍ତି ଅଟୋ ମହାସଂଘ। ଗତକାଲି ଅଟୋକୁ ଧକ୍କା ଦେଇଥିଲା ରୁଟ୍‌ ନଂ ୩୨ର ‘ଆମ ବସ୍‌’ ।

Leave a Reply

Your email address will not be published. Required fields are marked *