ଆସନ୍ତା ୨୭ ତାରିଖ ଠାରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ଶୀତକାଳୀନ ଅଧିବେଶନ । ମୋଟ ୩୦ଟି କାର୍ଯ୍ୟଦିବସ ରହିଥିବା ବେଳେ ଅଧିବେଶନରେ ରାଜ୍ୟ ସରକାର ଅତିରିକ୍ତ ବଜେଟ ଆଗତ କରିବେ। ଏଥିପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ବିଧାନସଭା ଶୀତକାଳୀନ ଅଧିବେଶନ ପାଇଁ ଆଜି ସିକ୍ୟୁରିଟି ଯାଞ୍ଚ କରାଯାଇଛି । ସୁରକ୍ଷା ଯାଞ୍ଚ କରିଛନ୍ତି ପୋଲିସ କମିଶନର ଏସ୍. ଦେବଦତ୍ତ ସିଂ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯାଇଛି। ଏଥର ବିଧାନସଭା ଅଧିବେଶନରେ ଉଦବୋଧନ ଦେବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏ ନେଇ ବ୍ଲୁବୁକ୍ ଗାଇଡ଼ ଲାଇନ ମୁତାବକ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଏହି ଅଧିବେଶନ ସମୟରେ ୩ ଥାକିଆ ସୁରକ୍ଷା ବ୍ୟବସ୍ଥା ରହିବ । ଏଥିପାଇଁ ୩୩ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯିବା ସହ ଷ୍ଟ୍ରାଇକିଂ ଫୋର୍ସ, ଏସ୍ଟିୟୁ, ବୋମା ନିଷ୍କ୍ରିୟକାରୀ ଦଳ, ଡଗ୍ ସ୍ପାଇଡ୍ ଓ ଅଗ୍ନିଶମ ବିଭାଗ ମଧ୍ୟ ଦାୟିତ୍ଵରେ ରହିବେ । ଡିସିପି ସୁରକ୍ଷା ତଦାରଖ ଦାୟିତ୍ବରେ ଥିବାବେଳେ ତାଙ୍କ ଅଧୀନରେ ୭ ଜଣ ଅତିରିକ୍ତ ଡିସିପି, ୨୩ ଜଣ ଏସିପି, ୨୬ ଜଣ ଇନ୍ସପେକ୍ଟର, ୮୮ ଜଣ ଏସଆଇ ଓ ଏଏସଆଇ ଦାୟିତ୍ୱରେ ରହିବେ । ସୂଚନା ଅନୁଯାୟୀ, ଆସନ୍ତା ୨୭ରୁ ଆରମ୍ଭ ହେବ ବିଧାନସଭାର ଶୀତକାଳୀନ ଅଧିବେଶନ। ଏହି ଅଧିବେଶନର ପ୍ରଥମ ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୃହକୁ ସମ୍ବୋଧିତ କରିବେ। ୨୮ରେ ଗୃହରେ ସରକାର ପ୍ରଥମ ଅତିରିକ୍ତ ବଜେଟ ଆଗତ କରିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଗୃହରେ ଉପସ୍ଥାପିତ କରିବେ। ଏହା ଉପରେ ଡିସେମ୍ବର ୪, ୫ ଓ ୬ରେ ଆଲୋଚନା ହେବ । ୮ ତାରିଖରେ ଏ ସଂପର୍କିତ ବ୍ୟୟମଞ୍ଜୁରୀ ବିଲ୍ ଗୃହରେ ଆଗତ ହେବ। ବିଧାନସଭାର ଏହି ଶୀତ ଅଧିବେଶନ ଡିସେମ୍ବର ୩୧ ଯାଏ ଚାଲିବ। ତେବେ ଏହି ଅଧିବେଶନ ବେଶ ସରଗରମ ହେବ ବୋଲି ଅନୁମାନ କରାଯାଉଛି । Post navigation Ayodhya Temple: ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଶିଖରରେ ଉଡ଼ିଲା ଧର୍ମଧ୍ବଜା; ସ୍ଥାପନା କଲେ ପ୍ରଧାନମନ୍ତ୍ରୀ ମୋଦି ARI In Vigilance Net: ଭିଜିଲାନ୍ସ ଜାଲରେ ଏଆରଆଇ