ସଭାପତି ଭକ୍ତଚରଣ ଦାସଙ୍କର ସ୍ପଷ୍ଟୀକରଣ ପରେ କଂଗ୍ରେସ ବିବାଦର ଅବସାନ ଘଟିବ କି ? କଂଗ୍ରେସର ପରମ୍ପରା କହୁଛି ଯେ, ଅବସାନ ଘଟିବାର ସମ୍ଭାବନା କ୍ଷୀଣ।

ନୂଆପଡା଼ ସଫଳତାର ଆନନ୍ଦ ହଠାତ ବିଭୀଷଣ ବିତର୍କ କାରଣରୁ ଉଭେଇ ଗଲା । ସଭାପତି ଭକ୍ତ ଦାସ ଦେଖାଇବାକୁ ଚେଷ୍ଟା କରିଥିଲେ ଯେ, ଏକ ବିକଳ୍ପ ଭାବେ ତାଙ୍କ ବଳକୁ ଜନତାର ସମର୍ଥନ ମିଳିଛି । ୨୪ବର୍ଷ ଶାସନ କରିଥିବା ଗୋଟିଏ ଦଳ ତୃତୀୟ ସ୍ଥାନକୁ ଠେଲି ହୋଇଯାଇଛି। ଏମିତି ଅନେକ ଉଦାହରଣ ଅଛି ଯେଉଁଠି କଂଗ୍ରେସ ଉପନିର୍ବାଚନ ଜିଣିଛି । ତା’ପୁଣି ନବୀନ ସରକାରଙ୍କ ଅମଳରେ । କିନ୍ତୁ କ୍ଷମତା ପର୍ଯ୍ୟନ୍ତ ଯିବାର କୌଣସି ଆଶା ସୃଷ୍ଟି କରିପାରି ନାହିଁ ।

ଭକ୍ତ କହିଛନ୍ତି ଯେ, ନିର୍ବାଚନ ପୂର୍ବରୁ କିଏ ମୁଖ୍ୟମନ୍ତ୍ରୀ ହେବ ସେ ନେଇ ତର୍କ ଚାଲିଲେ ଭଲ। ଏବେ ନିର୍ବାଚନର ସମୟ ନାହିଁ । ଭକ୍ତଙ୍କ ଯୁକ୍ତି ଠିକ । କିନ୍ତୁ ସେ ଆଉ ଏକ ସଂକେତ ଦେବାକୁ ଚେଷ୍ଟା କରିଛନ୍ତି । ୨୦୨୯ରେ କ୍ଷମତା ଦଖଲ କରିପାରେ କଂଗ୍ରେସ। ଏମିତି ଏକ ସନ୍ଦେଶ ଦେଇ ନିଜର ନେତୃତ୍ବ ସମ୍ପର୍କରେ ସହଯୋଗୀ ନେତାମାନଙ୍କୁ ବୁଝାଇବାକୁ ସେ ଚେଷ୍ଟା କରିଛନ୍ତି । ଅବଶ୍ୟ ନିର୍ବାଚନ ଆହୁରି ତିନିବର୍ଷରୁ ଅଧ‌ିକ ଦିନ ବାକି । ପରୀକ୍ଷା କିନ୍ତୁ ହେବ ୨୦୨୭ ଫେବୃଆରୀରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନରେ । ସେତେବେଳକୁ ଭକ୍ତ ଶାନ୍ତିରେ ନେତୃତ୍ବ ନେଇପାରୁଥିବେ କି ?

ଭକ୍ତ ଅନେକ କିଛି ସ୍ପଷ୍ଟ କରିଦେଇଛନ୍ତି ଯା’ଭିତରେ । ଅନ୍ୟ କାହା ମର୍ଜିରେ ସେ ଚାଲିବେ ନାହିଁ । ଅନ୍ୟମାନେ ବିରୋଧ କଲେ କରିପାରନ୍ତି । କମିଟି ଗଠନରେ ସେ ନିଜ ଇଚ୍ଛା ଜାହିର କରିଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ଜିଲ୍ଲା କମିଟି ପୂନର୍ଗଠିତ ହୋଇପାରିନାହିଁ । ବିଳମ୍ବର କାରଣ ମଧ୍ୟ ଜଣା ନାହିଁ।

ବିଭୀଷଣ ଉପାଖ୍ୟାନ ସେ କଥା ଛଳରେ କହିଥିଲେ ବୋଲି ସ୍ପଷ୍ଟ କରିଛନ୍ତି ଭକ୍ତ। କିନ୍ତୁ ସାନଖେମୁଣ୍ଠି ବିଧାୟକ ରମେଶ ଜେନା ଭକ୍ତଙ୍କ ବିରୋଧରେ ଖୋଲା ବିଦ୍ରୋହ ଘୋଷଣା କରିସାରିଛନ୍ତି । ରମେଶ ଅର୍ଥ ତାରା ବାହିନୀପତି । ତେଣୁ ରମେଶ ଯେ ବିରୋଧୀ ତା ନୁହେଁ । ତାରା ଅସୁସ୍ଥ ଅଛନ୍ତି । କିନ୍ତୁ ମହିଳା କଂଗ୍ରେସ ସଭାନେତ୍ରୀ ହେଇଛନ୍ତି ମିନାକ୍ଷୀ ବାହିନୀପତି । ନୂଆପଡ଼ା ନିର୍ବାଚନ ପ୍ରଚାରକାଳରେ ତାଙ୍କୁ ଗୁରୁତ୍ବ ନ ଦିଆଯିବାରୁ ସେଠାରୁ ସେ ଚାଲି ଆସିଥିଲେ । ଅର୍ଥାତ ନୂଆପଡ଼ା ପ୍ରଚାରରେ ମିନାକ୍ଷୀଙ୍କୁ ଦେଖ‌ିବାକୁ ମିଳିଲା ନାହିଁ ।

ଦଳର ଆଉ ଜଣେ ଟାଣୁଆ ନେତ୍ରୀ ହେଲେ ସୋଫିଆ ଫିରଦୋଷ । ସେ କଟକ ବିଧାୟିକା । ପୁଣି ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଝିଅ । ସୋଫିଆଙ୍କୁ ମଧ୍ୟ ପ୍ରଚାରରେ ନିୟୋଜିତ କରାଯାଇନଥିଲା । ମୋକିମଙ୍କୁ ଭକ୍ତ ବିଭୀଷଣ କହୁଛନ୍ତି ବୋଲି ପ୍ରଚାର ହୋଇଗଲା । ମୋକିମ ଅର୍ଥ ନିରଞ୍ଜନ ପଟ୍ଟନାୟକ ।

ଦୁଇଦିନ ତଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ଵର୍ଗତଃ ଜେବି ପଟ୍ଟନାୟକଙ୍କ ଆସନ୍ତା ଜନ୍ମ ଶତବାର୍ଷିକୀ ପାଇଁ ଏକ ପ୍ରସ୍ତୁତି ବୈଠକ ବସିଥିଲା । ବର୍ଷବ୍ୟାପୀ ଶତବାର୍ଷିକୀ ପାଳନ ନିମନ୍ତେ ଏଥିରେ ଆଲୋଚନା ହୋଇଥିଲା । ଜାନୁଆରୀ ୩ ହେଉଛି ଜେବିଙ୍କ ଜନ୍ମଦିନ ।

ଏହି ବୈଠକରେ ଅନେକ ପୁରୁଖା ନେତା ଏପରିକି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ପୂର୍ବତନ କଂଗ୍ରେସ ମନ୍ତ୍ରୀ ଭୂପିନ୍ଦର ସିଂ, ମହମ୍ମଦ ମୋକିମ, ପୂର୍ବତନ ସାଂସଦ,ଅନନ୍ତ ସେଠୀ, ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ କିଶୋର ଚନ୍ଦ୍ର ପଟେଲ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କଡାମ ପ୍ରମୁଖ ଆମନ୍ତ୍ରଣ କରାଯାଇଥିଲା କି ଯୋଗ ଦେଇଥିଲେ। କିନ୍ତୁ ନଥିଲେ ଭକ୍ତ ଦାସ। ତାଙ୍କୁ ଆମନ୍ତ୍ରଣ କରାଯାଇଥିଲା କି ନାହିଁ ତାହା ସ୍ପଷ୍ଟ ନୁହେଁ। କିନ୍ତୁ ଜେବି ଶତବାର୍ଷିକୀ ବାହାନାରେ ଯଦି ଭକ୍ତ ବିରୋଧୀମେଳି ଦାନା ଧରେ ତେବେ କେହି ବିସ୍ମିତ ହେବେ ନାହିଁ।

ଏକଥା ସତ ଯେ, ଭକ୍ତଙ୍କ ପଛରେ ରାହୁଳ ଏବଂ ପ୍ରିୟଙ୍କାଙ୍କ ସମର୍ଥନ ଅଛି। ତାଙ୍କ ପାଇଁ ବଡ଼ କଥାଟି ହେଲା ଯେ, ରାଜ୍ୟରେ ଭାଜପା ସରକାର ଅଛି। କିନ୍ତୁ କଂଗ୍ରେସର ଇତିହାସ ଯାହା, କୌଣସି ନେତୃତ୍ବ ବିନା ବାଧାରେ ୫ବର୍ଷ କାଟି ପାରିନାହାଁନ୍ତି। ପାରିବେ କି ଭକ୍ତ ?

Leave a Reply

Your email address will not be published. Required fields are marked *