କାଲିଠୁ ରାଜ୍ୟରେ ଆରମ୍ଭ ହେବ ଧାନ କିଣା । ଏ ନେଇ ସୂଚନା ଦେଇଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ । ସମବାୟ ମନ୍ତ୍ରୀ କହିଛନ୍ତି, ଗତବର୍ଷ ତୁଳନାରେ ଚଳିତବର୍ଷ ଧାନ କିଣା ଟାର୍ଗେଟ ଅଧିକ ରଖିଛନ୍ତି ରାଜ୍ୟ ସରକାର। ଚାଷୀଙ୍କ ପାଇଁ ମଣ୍ଡି ଗୁଡିକରେ ଏଥର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଧାନ କିଣା ଉପରେ ତୀକ୍ଷଣ ନଜର ରଖିବାକୁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ମଣ୍ଡି ଗୁଡିକରେ ଖାଦ୍ୟ, ପାନୀୟ, ଶୌଚାଳୟ ଭଳି ସବୁ ବ୍ୟବସ୍ଥା କରାଯାଇଛି । ସେ ଆଉ ମଧ୍ୟ କହିଛନ୍ତି ଧାନ କିଣା ସହ କଟନୀ ଛଟନୀ ଉପରେ ରାଜ୍ୟ ସରକାର କଡା ନଜର ରଖିଛନ୍ତି । ମଣ୍ଡି ଖୋଲିବା ପରେ ଯେଉଁଠି ଅସୁବିଧା ଦେଖାଯିବ, ତାକୁ ତୁରନ୍ତ ସେହି ସ୍ଥାନରେ ସମାଧାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ଠିକ ସମୟରେ ଗାଡ଼ି ପହଞ୍ଚାଇବା ପାଇଁ ମିଲ୍ ମାଲିକ ମାନଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଧାନ କିଣାର ୪୮ ଘଣ୍ଟା ଭିତରେ ଚାଷୀଙ୍କ ଆକାଉଣ୍ଟକୁ ପଠାଯିବ । ଧାନ ସଂଗ୍ରହ ପରିଚାଳନା ନେଇ ମାର୍ଗଦର୍ଶିକା ସମସ୍ତ ଜିଲ୍ଲାପାଳଙ୍କ ନିକଟକୁ ପଠାଯାଇଛି । ଧାନ ଚାଷ ହୋଇଥିବା ଅଞ୍ଚଳ ବାବଦରେ ସାଟେଲାଇଟ୍ ଯାଞ୍ଚ ସମସ୍ତ ଜିଲ୍ଲାରେ କରାଯାଇଛି । ଆଧାରଭିତ୍ତିକ ପ୍ରମାଣ ଜରିଆରେ ଚାଷୀଙ୍କର ଧାନ ସଂଗ୍ରହ ନେଇ ପ୍ରମାଣ କରାଯିବ । ସୂଚନାଯୋଗ୍ୟ ଯେ, ୨୦୨୪-୨୫ ଖରିଫ୍ ଋତୁରେ ଧାନ ବିକ୍ରି କରିବାକୁ ୧୭.୫୦ ଲକ୍ଷ ଚାଷୀ ପଞ୍ଜୀକରଣ କରିଥିଲେ । ମାତ୍ର ଏ ବର୍ଷ ୨ଲକ୍ଷରୁ ଅଧିକ ଚାଷୀ ପଞ୍ଜୀକରଣ କରିଥିବାରୁ ଏ ବର୍ଷ ଧାନ ସଂଗ୍ରହ ଟାର୍ଗେଟ୍ ବୃଦ୍ଧି କରାଯାଇଛି । ଉଭୟ ଖରିଫ ଓ ରବି ଋତୁ ପାଇଁ ୯୩ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଛି । ଖରିଫ୍ ଋତୁ ପାଇଁ ଖାଦ୍ୟ ଓ କ୍ରୟ ନୀତି ୨୦୨୫-୨୬ ଗତ ଅକ୍ଟୋବରରେ କ୍ୟାବିନେଟ୍ ବୈଠକରେ ଅନୁମୋଦନ ଲାଭ କରିଥିଲା । ଖରିଫ୍ ଧାନ କିଣା ସମୟ ୨୦୨୫ ନଭେମ୍ୱର ୧ରୁ ୨୦୨୬ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ରହିଛି । Post navigation Lawyer Deadbody: ମିଳିଲା ନିଖୋଜ ଆଇନଜୀବୀଙ୍କ ମୃତଦେହ OTET-2025: ୨୭ ପର୍ଯ୍ୟନ୍ତ ବଢ଼ିଲା ଓଟିଇଟି ଆବେଦନ ଅବଧି