Odisha CM attends India International Trade Fair – 2025
୪୪ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ୨୦୨୫ର ନବମ ଦିବସରେ ଆଜି ପାଳିତ ଓଡିଶା ରାଜ୍ୟ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।
 
ଏଥିସହିତ, ମୁଖ୍ୟମନ୍ତ୍ରୀ ମାଝୀ ଓଡ଼ିଶା ମଣ୍ଡପ ପରିଦର୍ଶନରେ ଆସି ବିଭିନ୍ନ ବିଭାଗର ଷ୍ଟଲ୍ ଅଧିକାରୀ, ଶିଳ୍ପୀ ଓ ବୁଣାକାରଙ୍କ ସହ ବାର୍ତ୍ତାଳାପ କରି, ଓଡିଶାର ଗୌରବମୟ ଅତୀତକୁ ବଜାୟ ରଖିବା ସହ ଓଡ଼ିଶାକୁ ଆତ୍ମନିର୍ଭର ଓଡ଼ିଶାରେ ପରିଣତ କରିବାକୁ ପରାମର୍ଶ ଦେଇଥିଲେ ।
 
ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ବିଷୟବସ୍ତୁ ଯଥାର୍ଥରେ ଆମ ସ୍ୱପ୍ନ ଓ ସମ୍ଭାବନାକୁ ପ୍ରତିପାଦିତ କରିବା ସହିତ ପ୍ରଯୁକ୍ତି ବିଦ୍ୟାର ସଫଳ ଉପଯୋଗ ମାଧ୍ୟମରେ ସିଲିକନ୍ ସେମିକଣ୍ଡକ୍ଟର୍ ଚିପ୍ ଭଳି ସୂକ୍ଷ୍ମାତିସୂକ୍ଷ୍ମ ଅତ୍ୟାଧୁନିକ ଉତ୍ପାଦ ପ୍ରସ୍ତୁତି କ୍ଷେତ୍ରରେ ଓଡ଼ିଶାକୁ ନୂତନ ପରିଚୟ ପ୍ରଦାନ କରିବ ବୋଲି ସେ କହିଥିଲେ ।
Odisha CM attends India International Trade Fair – 2025
 
ଏହା ଆମ ଅର୍ଥନୀତିକୁ ସୁଦୃଢ କରିବ ଏବଂ ନୂତନ କର୍ମନିଯୁକ୍ତିର ସୁଯୋଗ ସୃଷ୍ଟି କରିବ । ନବୀକରଣୀୟ ବିଦ୍ୟୁତ ଶକ୍ତିର ଉତ୍ପାଦନ, ବ୍ୟାପକ ବୃକ୍ଷଚାରା ରୋପଣ ମାଧ୍ୟମରେ ପରିବେଶ ସନ୍ତୁଳନ ରକ୍ଷା ଏବଂ ପରବର୍ତ୍ତୀ ପିଢୀ ପାଇଁ ଏକ ସୁନ୍ଦର ପୃଥିବୀ ଛାଡିଯିବା ଆଭିମୁଖ୍ୟ ନେଇ ଆମ ନୀତି ଓ ଯୋଜନା ପ୍ରଣୟନ କରିବା ସହିତ ତାର କାର୍ଯ୍ୟାନ୍ଵୟନ ଆମର ପ୍ରାଥମିକତା ରହିଛି ବୋଲି ଉପସ୍ଥିତ ଗଣମାଧ୍ୟମକୁ ସୂଚନା ଦେଇଥିଲେ ।
 
ସମୃଦ୍ଧ ସଂସ୍କୃତି ଓ ପରମ୍ପରାର ସୁରକ୍ଷା ସହିତ ସମାନ୍ତରାଳ ଭାବେ ପ୍ରଗତି ଓ ଆଧୁନିକତାକୁ ଆଦରି ନେଇ ସବୁ ବର୍ଗର ଲୋକମାନଙ୍କ ସାମଗ୍ରୀକ ବିକାଶ ପ୍ରତି ସରକାରଙ୍କ ପ୍ରତିବଦ୍ଧ ବୋଲି ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଦୃଢୋକ୍ତି ପ୍ରକାଶ କରିବା ସହିତ ୨୦୩୬ ସୁଦ୍ଧା ବିକଶିତ ଓଡିଶା ଗଠନ ଦିଗରେ ସମସ୍ତେ ବ୍ରତୀ ହେବାକୁ ଆହ୍ଵାନ ଦେଇଥିଲେ ।
 
ସେ କହିଥିଲେ ଯେ, ଉତ୍କର୍ଷ ଓଡ଼ିଶା: ମେକ-ଇନ-ଓଡିଶା କନକ୍ଳେଭ ମାଧ୍ୟମରେ ବିଶ୍ଵର ଶିଳ୍ପପତି ଓ ପୁଞ୍ଜିପତିମାନଙ୍କୁ ଓଡ଼ିଶା ପ୍ରତି ଆକର୍ଷିତ କରିବା ହେଉ, ଓଡିଶାର ସୁଦକ୍ଷ ଯୁବଗୋଷ୍ଠୀ ଓ ସେମାନଙ୍କ ଷ୍ଟାର୍ଟ-ଅପ ଉତ୍ପାଦକୁ ବିଶ୍ଵ ସମ୍ମୁଖରେ ଉପସ୍ଥାପନ କରିବାକୁ ଅଥବା ଓଡିଶାରେ ଉତ୍ପାଦିତ ଶ୍ରୀଅନ୍ନ ବିସ୍ମୃତ ଖାଦ୍ୟ ବିଶ୍ଵ ବଜାର ସୁବିଧା ଉପଲବ୍ଧ କରିବାକୁ ନିକଟ ଅତୀତରେ ଅନ୍ତର୍ଜାତୀୟ ମିଲେଟ କନଭେନସନ ଆୟୋଜନ ହେଉ, ପ୍ରତ୍ଯେକ କ୍ଷେତ୍ରରେ ଭାରତର ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ଓଡିଶାର ପ୍ରଗତିଶୀଳ ନୀତିକୁ ସମଗ୍ର ବିଶ୍ଵ ସକାରାତ୍ମକ ଦୃଷ୍ଟିରେ ଦେଖୁଛି ।
Odisha CM attends India International Trade Fair – 2025
 
ରାଜ୍ୟ ଦିବସ ଅବସରରେ, ଭୁବନେଶ୍ଵର ନୁପୁର ଅନୁଷ୍ଠାନରେ କଳାକାରମାନଙ୍କ ଦ୍ଵାରା ଓଡ଼ିଶୀ ନୃତ୍ୟାଭିନୟ, ଦିଗପହଣ୍ଡି(ଗଞ୍ଜାମ)ର ବିଚିତ୍ର ବର୍ଣ୍ଣାଳୀ ନାଟ୍ୟ ସଂସଦ ତରଫରୁ ପଶୁମୁଖା ନୃତ୍ୟ, ସୁବର୍ଣ୍ଣପୁର ସ୍ଥିତ ରୁମକୁଝୁମାର କଳାକାରମାନଙ୍କ ସମ୍ବଲପୁରୀ ନୃତ୍ୟ, କନ୍ଧମାଳ ଜିଲ୍ଲାର ନୂତନ କଳା ସଂସଦର ଶିଙ୍ଘନୃତ୍ୟ ଏବଂ କଳାହାଣ୍ଡିର ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର ଘୁମୁରା ନୃତ୍ୟ ପରିବେଷଣ ହୋଇଥିଲା ।
 
ଏହି କାର୍ଯ୍ୟକ୍ରମରେ, ସାଂସଦ ପ୍ରତାପ ଷଡଙ୍ଗୀ, ନିରଞ୍ଜନ ବିଶି, ସୁଜିତ କୁମାର, ପୂର୍ବତନ ସାଂସଦ ଅମର ପଟ୍ଟନାୟକଙ୍କ ସମେତ ଓଡିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ନ୍ୟାୟମୂର୍ତ୍ତି ସାବିତ୍ରୀ ରଥ, ଶିଳ୍ପ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ଶାସନ ସଚିବ ହେମନ୍ତ ଶର୍ମା, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଶାସନ ସଚିବ ବିଜୟ କେତନ ଉପାଧ୍ୟାୟ, ନୂଆଦିଲ୍ଲୀରେ ଅବସ୍ଥାପିତ ଓଡ଼ିଶାର ପ୍ରମୁଖ ଆବାସିକ ଆୟୁକ୍ତ ବିଶାଲ ଗଗନ, ସ୍ୱତନ୍ତ୍ର ଆବାସିକ ଆୟୁକ୍ତ ରିତୁ ଅରୋରା, ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଅନୁଜ କୁମାର ଦାସ ପଟ୍ଟନାୟକ, ବୈଷୟିକ ନିର୍ଦ୍ଦେଶକ ଗୁରବୀର ସିଂହଙ୍କ ସହ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
 

By Nirvay

Leave a Reply

Your email address will not be published. Required fields are marked *