ନୂଆପଡାରେ ନିର୍ବାଚନ ପ୍ରଚାର ଉଷ୍ମତା ବୃଦ୍ଧି ପାଇଥିବା ବେଳେ ବିଜୁ ଜନତା ଦଳର ବରିଷ୍ଠ ନେତା ପ୍ରୀତି ରଞ୍ଜନ ଘଡେଇ ନୂଆପଡାରେ ରହୁଥିବା ଘର ଉପରେ ପ୍ରଶାସନ ତରଫରୁ ଆଜି ଚଢ଼ାଉ କରାଯାଇଥିଲା, ଯାହାକୁ ବିଜୁ ଜନତା ଦଳ ତରଫରୁ କଡା ନିନ୍ଦା କରାଯାଇଛି । ନୂଆପଡା ଉପନିର୍ବାଚନରେ ପରାଜୟ ଆସନ୍ନ ଜାଣି ଭାରତୀୟ ଜନତା ପାର୍ଟି ପ୍ରତିଶୋଧାତ୍ମକ ହୋଇ ପ୍ରଶାସନକୁ ବ୍ୟବହାର କରି ବିଜେଡିର ମନୋବଳକୁ ଦୁର୍ବଳ କରିବାକୁ ଅପଚେଷ୍ଟା କରୁଛି ବୋଲି ବିଜେଡି କହିଛି । ବିଜୁ ଜନତା ଦଳ ତରଫରୁ ଜାରି କରା ଯାଇଥିବା ଏକ ପ୍ରେସ ବିବୃତିରେ ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ. ଲେନିନ ମହାନ୍ତି କହିଛନ୍ତି, କୌଣସି ସର୍ଚ୍ଚ ୱାରେଣ୍ଟ ନଥାଇ ଆଜି ଯେପରି ବିଜେଡିର ବରିଷ୍ଠ ନେତା ପ୍ରୀତି ରଞ୍ଜନ ଘଡେଇ ରହୁଥିବା ଘର ଉପରେ ଚଢ଼ାଉ କରାଗଲା, ତାହା ବିଜେପିର ହତାଶ ଭାବକୁ ପ୍ରଦର୍ଷିତ କରୁଛି । ଚଢ଼ାଉ ବେଳେ ବହୁ ସଂଖ୍ୟାରେ ପୋଲିସ ଡ୍ରେସରେ ଥିବା ଲୋକ ଥିଲେ । ଏମାନେ ସତରେ ପୋଲିସ ନା ଛତିଶଗଡ଼ରୁ ଆସିଥିବା ବିଜେପି କର୍ମୀ ମାନେ ପୋଲିସ ବେଶରେ ଆସିଥିଲେ, ସେନେଇ ତଦନ୍ତ ହେବାର ଆବଶ୍ୟକତା ରହିଛି । ଉପନିର୍ବାଚନରେ, ବିଜେପିର ସ୍ଥିତି ଦିନକୁ ଦିନ ଦୁର୍ବଳ ହେଉଥିବାରୁ, ପରାଜୟ ଭୟରେ ବିଜେପି ହତାଶ ହୋଇ, ପ୍ରଶାସନକୁ ବ୍ୟବହାର କରି ବିଜେଡିର ମନୋବଳକୁ ଦୁର୍ବଳ କରିବାକୁ ଅପଚେଷ୍ଟା କରୁଛି । ବିଜୁ ଜନତା ଦଳର ସଭପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆପଡା ଗସ୍ତ କାର୍ଯ୍ୟକ୍ରମ ବିଷୟରେ ଜାଣିବା ପରେ, ବିଜେପି ନେତାମାନେ ଆତଙ୍କିତ ହୋଇ ପଡିଛନ୍ତି । ଏହାପରେ, ବିଜେପିର ପ୍ରରୋଚନାରେ ଏପରି ଘୃଣ୍ୟ ଉଦ୍ୟମ କରାଯାଇଛି । ବିଜେପି ପ୍ରଶାସନିକ କଳର ଅପବ୍ୟବ୍ୟହାର କରିବା, ଆଦର୍ଶ ଆଚରଣ ବିଧିକୁ ଉଲ୍ଲଂଘନ କରୁଛି । ତେଣୁ, ବିଜେଡି ତରଫରୁ ରାଜ୍ୟ ମୁଖ୍ୟ ନିର୍ବାଚନ କମିସନଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଏହି ସମ୍ୱନ୍ଧରେ, ଦଳ ତରଫରୁ ମୁଖ୍ୟ ନିର୍ବାଚନ କମିସନରଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । Post navigation Sardar Vallabhbhai Patel Jayanti: ଜାତୀୟ ଏକତା ଦିବସ ରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୋଦି FIR lodged against Bobby Das: ବିଜେଡି ନେତା ବବି ଦାସଙ୍କ ନାଁରେ ଥାନାରେ ଅଭିଯୋଗ