ହଜାର ବର୍ଷର ସହର ହେଉଛି କଟକ । ଭାଇଚାରାର ଅନନ୍ୟ ନିଦର୍ଶନ ଦିଏ ଏହି ସହର । ଏହାର ଏକ ଉଦାହରଣ ହେଉଛି ଦଶହରା । ପ୍ରତିବର୍ଷ ମା’ ଦୁର୍ଗାଙ୍କ ପୂଜା ସମୟରେ ସମସ୍ତ କଟକବାସୀ ବାଦବିବାଦ ଭୁଲି ଏକାଠି ହୋଇ ଭାଇଚାରାର ପ୍ରମାଣ ଦେଇଥାନ୍ତି । ହେଲେ ଚଳିତବର୍ଷ ଏଥିରେ ବ୍ୟତିକ୍ରମ ଦେଖା ଦେଇଛି । ଦୁର୍ଗାପୂଜାରୁ ହିଁ ପାର୍ବଣ ଋତୁ ଆରମ୍ଭ ହୋଇଥାଏ । ଏବର୍ଷ ଦଶହରା ଭସାଣି ସମୟରେ ଘଟିଥିବା ଗଣ୍ଡଗୋଳରୁ କଟକ ସହର ଅଶାନ୍ତ ହୋଇପଡ଼ିଛି । ୩୪ ବର୍ଷ ପରେ ଏଭଳି ଘଟଣାର ପୁନରାବୃତ୍ତି ହୋଇଛି । ଭାଇଚାରାର ସହରରେ ପୂର୍ବ ଭଳି ଶାନ୍ତି ଫେରାଇ ଆଣିବାକୁ ସରକାରଙ୍କଠାରୁ ଆରମ୍ଭ କରି ପୋଲିସ ପ୍ରଶାସନ ପର୍ଯ୍ୟନ୍ତ ସମସ୍ତେ ନିବେଦନ କରୁଛନ୍ତି । ଅନ୍ୟପକ୍ଷରେ ଧୀରେ ଧୀରେ ସ୍ଥିତିରେ ସୁଧାର ଆସୁଥିଲେ ମଧ୍ୟ ଦୁଇ ଗୋଷ୍ଠୀ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନା ଥମିବାର ନାଁ ନେଉନାହିଁ । କେତେକ ବିଶୃଙ୍ଖଳାକାରୀଙ୍କ ଯୋଗୁଁ ସହରରେ ଶାନ୍ତି ଭଙ୍ଗ ହେବା ସହ ସାଧାରଣ ଲୋକଙ୍କ ଜୀବନ ଯାତ୍ରା ବାଧାପ୍ରାପ୍ତ ହେଉଛି । ଏହିଭଳି ବିଶୃଙ୍ଖଳାକାରୀଙ୍କ ଉପରେ ସରକାର କଡ଼ା ନଜର ରଖିବା ସହ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ । କଟକ ସହରର ସମ୍ମାନ ଓ ଐତିହ୍ୟକୁ ବଜାୟ ରଖିବା ପାଇଁ ସମସ୍ତେ ଶାନ୍ତିଶୃଙ୍ଖଳାର ସହ ଆଗକୁ ବଢ଼ିବା ଓ ସହରର ଗୌରବକୁ ଅକ୍ଷୁର୍ଣ୍ଣ ରଖିବା । ତେବେ ସ୍ଥିତି ସ୍ୱାଭାବିକ ହେଉଥିଲେ ମଧ୍ୟ କର୍ଫ୍ୟୁ ବଳବତ୍ତର ରହିଛି । ସମଗ୍ର କଟକରେ ବର୍ତ୍ତମାନ ସୁଦ୍ଧା ଇଣ୍ଟରନେଟ ସେବା ବନ୍ଦ ରହିଛି । ୬୦ ପ୍ଲାଟୁନ ଫୋର୍ସ ସୁରକ୍ଷା ଦାୟିତ୍ୱରେ ଅଛନ୍ତି । କେନ୍ଦ୍ରୀୟ ସୁରକ୍ଷାବଳ ଜଗିଛନ୍ତି । ବିବାଦୀୟ ଅଞ୍ଚଳରେ ରାୟଟ୍ କଣ୍ଟ୍ରୋଲ ଭେଇକିଲ ପଇଁତରା ମାରୁଛି । ଗୁଜବକୁ ବିଶ୍ବାସ ନକରିବାକୁ ପୁଲିସ ବାରମ୍ବାର ନିବେଦନ କରୁଛି । Post navigation ଆଇନଜୀବୀ ପୀତବାସ ପଣ୍ଡାଙ୍କ ଜଘନ୍ୟ ହତ୍ୟା ଘଟଣା: ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କଟକରୁ ହଟିଲା କର୍ଫ୍ୟୁ