ଓଡ଼ିଶାରେ ବ୍ୟାପମ୍ ! ପୁଲିସ ଏସ୍ଥାଇ ପରୀକ୍ଷା ସ୍କାମ୍ ଏହି ସନ୍ଦେହ ବଢ଼ାଇ ଦେଇଛି । ୯୩୩ଟି ଏସ୍ଆଇ ପଦବୀ ପୂରଣ ନିମନ୍ତେ ଯେଉଁ ଭୟଙ୍କର ସ୍କାମ୍ ସଂଗଠିନ ହୋଇଛି ସେଥିରେ କେବଳ ଚାକିରୀ ଆଶାୟୀ ଏବଂ ୬ ଜଣ ଦଲାଲ ସମ୍ପୃକ୍ତ ? ସ୍କାମ୍ର ମାଷ୍ଟର ମାଇଣ୍ଡ ପୁଲିସ ବିଭାଗର ବଡ଼ବାବୁ । ସେମାନଙ୍କୁ ଧରିପାରିବ କି କ୍ରାଇମ୍ବ୍ରାଞ୍ଚ ? ଏହି ପ୍ରଶ୍ନ ସବୁ ମହଲକୁ ଆନ୍ଦୋଳିନ କରୁଛି । ଏହି ଆଶଙ୍କା ଭିତରେ ବି ଧନ୍ୟବାଦ ଦେବାକୁ ପଡ଼ିବ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀଙ୍କୁ। ଦୂରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ସେ ହିଁ ଦେଇଥିଲେ ବ୍ରହ୍ମପୁର ଏସ୍ପିଙ୍କୁ ଆଦେଶ । କିନ୍ତୁ ଅସଲ ନାଟର ଗୋବର୍ଦ୍ଧନ ତାଙ୍କ ପୁଲିସ ବିଭାଗର ଦୁର୍ନୀତିଖୋର ବଡ଼ବାବୁମାନଙ୍କ ଚେହେରାରୁ ପରଦା ହଟାଇବାକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ କି ମୁଖ୍ୟମନ୍ତ୍ରୀ ? କିଛିଦିନ ପୂର୍ବରୁ ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା ସାମ୍ନାକୁ ଆସିଥିଲା । କିଛି ଅଧିକାରୀ ଗିରଫ ହୋଇଥିଲେ । କିନ୍ତୁ ଏପର୍ଯ୍ୟନ୍ତ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର କୌଣସି ବଡ଼ବାକୁ ଜେଇ ହାଜତକୁ ଗଲେ ନାହିଁ । ତେଣୁ ପରୀକ୍ଷା ଓ ନିଯୁକ୍ତି ଦୁର୍ନୀତିକୁ ସ୍ୱଚ୍ଛ କରିବା ପାଇଁ ସରକାରୀ ପ୍ରତିବଦ୍ଧତାକୁ ନେଇ ସନ୍ଦେହ ରହିଛି । ଏବେ ଚାରିଆଡ଼େ ପୁଲିସ ବିଭାଗକୁ ନେଇ ଚର୍ଚ୍ଚା । ଯେଉଁମାନେ ଥାନାରେ ଏଇ ଭାବେ ଚାକିରୀ ଆରମ୍ଭ କରିଥାନ୍ତେ ଏବଂ ଦୁର୍ନୀତିଖୋରଙ୍କୁ ଧରିଆନ୍ତେ, ସେମାନଙ୍କ ଭିତରୁ ଅନେକ ଟଙ୍କା ଦେଇ ଚାକିରୀ ହାତେଇବା ପାଇଁ ଦଲାଲଙ୍କ ଜାଲରେ ପଢ଼ିଯାଇଥିଲେ । ପରୀକ୍ଷା ପରିଚାଳନା ଦାୟିତ୍ବ ଓଡ଼ିଶା ପୁଲିସ ରିକ୍ରୁଟ୍ମେଣ୍ଟ ବୋର୍ଡ଼ ବା ଓପିଆରବି’ର। କିନ୍ତୁ ୯୩୩ ଏଇ ପଦବୀ ପୂରଣ ପାଇଁ ଏହି ବୋର୍ଡ଼ର ଦାୟିତ୍ବହୀନତା ହିଁ ସବୁଠୁ ବଡ଼ ଚିନ୍ତାର କାରଣ ହୋଇଛି। ଏବେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିବାବେଳେ ବୋର୍ଡ଼ର ଜରୁରୀ ବୈଠକରେ ସଠିକ ସମୟରେ ସ୍ଵଚ୍ଛତାର ସହ ପରୀକ୍ଷା ହେବ ବୋଲି ନିଷ୍ପତ୍ତି ଅତ୍ୟନ୍ତ ହାସ୍ୟାସ୍ପଦ । ବୋର୍ଡ଼ର ଭୂମିକା ସନ୍ଦେହଘରରେ। ଆଗେ ସନ୍ଦେହମୁକ୍ତ ହୋଇସାରୁ ବୋର୍ଡ଼ । ତାପରେ ଆଶ୍ଵାସନା ବାଣୀ ସୁଣାଇବେ ବୋର୍ଡ଼ କର୍ତ୍ତୃପକ୍ଷ। କଟକ, ଭୁବନେଶ୍ବର ଏବଂ ଗଞ୍ଜାମରୁ ବସ୍ରେ ୧୯୪ ଜଣ ପରୀକ୍ଷାର୍ଥୀ ବିଶାଖାପାଟଣା ଯାଇଥିବା ବେଳେ ଶ୍ରୀକାଳୁରମରେ ଆନ୍ଧ୍ର ପୁଲିସ ଅଟକାଇଥିଲା। ବ୍ରହ୍ମପୁର ଏସ୍ପି ଏବାବଦରେ ଆନ୍ଧ୍ର ପୁଲିସକୁ ଅବଗତ କରାଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ତରଫରୁ ଗଞ୍ଜାମ ପୁଲିସକୁ ଖବର ଯାଇଥିଲା। ୧୧୪ ପରୀକ୍ଷାର୍ଥୀଙ୍କ ସହ ୩ ଜଣ ଦଲାଲ ଗିରଫ ହୋଇଥିଲେ । ଅକ୍ଟୋବର ୪ ତାରିଖ ଦିନ ଆଉ ଜଣେ ବଡ଼ ଦଲାଲ ବାରଙ୍ଗରୁ ଗିରଫ ହୋଇଛନ୍ତି। ଏ ବାବୁ ଚାକିରୀ ଆଶାୟୀଙ୍କଠାରୁ ଅର୍ଜିନାଲ ସାର୍ଟିଫିକେଟ ଏବଂ ବ୍ଲାଙ୍କ୍ ଚେକ୍ ସଂଗ୍ରହ କରି ଉପରର ବଡ଼ବାବୁଙ୍କୁ ଦେଇଛନ୍ତି। ଏହି ଉପର ବଡ଼ବାବୁ କିଏ ? କେହି ବଡ଼ ପୁଲିସ ଅଧିକାରୀ ନୁହଁନ୍ତି ତ ? କାହିଁକି ଓପିଆରବିର ଭୂମିକା ସନ୍ଦେହଜନକ ? ଓଡ଼ିଶା ପୁଲିସର ୯୩୩ଟି ଏସ୍ଆଇ ପାହ୍ୟା ପଦବୀ ପୂରଣ ନିମନ୍ତେ ବିଜ୍ଞାପନ ନ ବାହାରିବା ଦିନରୁ ସ୍କାମ୍ ପାଇଁ କ୍ଷେତ୍ର ପ୍ରସ୍ତୁତ ହୋଇଥିଲା। କେଉଁମାନେ ପରୀକ୍ଷା ଦେବେ, କେଉଁମାନଙ୍କଠାରୁ ଅର୍ଥ ଆଦାୟ କରାଯାଇ ପାରିବ, ଏହାକୁ ଚିହ୍ନଟ କରିବା ଦାୟିତ୍ବରେ ଥିଲା ଦଲାଲଙ୍କର। ୨୦୨୫ ମାର୍ଚ୍ଚ ୮ ଓ ୯ ତାରିଖରେ ପରୀକ୍ଷା ଦିନ ଧାର୍ଯ୍ୟ ହୋଇଥିଲା । ଓପିଆର୍ବି କେନ୍ଦ୍ରୀୟ ସଂସ୍ଥା ଆଇଟିଆଇ ଲିଃ ଗୁଜୁରାଟର ରିଚମାଇଣ୍ଡ୍ ପ୍ରା ଲିଃ ଡିଜିଟାଲକୁ ସହଯୋଗୀ ସଂସ୍ଥା ଭାବେ ଚିହ୍ନଟ କରିଥିଲା। କିନ୍ତୁ ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗ ପରେ ଗୁଜୁରାଟ ସଂସ୍ଥା ସହ ଟେଣ୍ଟର ବାତିଲ କରିଥିଲା ଆଇଟିଆଇ ଲିଃ । ଗୃହ ବିଭାଗର ବରିଷ୍ଠ ଅଧିକାରୀଙ୍କ ସୁପାରିସ କ୍ରମେ ଆଇଟିଆଇ ଲିଃ ସିଲିକନ୍ ସଂସ୍ଥାକୁ ପରୀକ୍ଷା ପରିଚାଳନା ପାଇଁ ସହଯୋଗୀ ସଂସ୍ଥା ରୂପେ ବାଛିଥିଲା। ସିଲିକନ ସଂସ୍ଥା ପାଇଁ କେଉଁ ବରିଷ୍ଠ ପୁଲିସ ଅଧିକାରୀମାନେ ଆଗ୍ରହୀ ଥିଲେ, ତାହାର ତଦନ୍ତ ନିହାତି ଜରୁରୀ। ଆଇଟିଆଇ ଲିଃକୁ ସୁପାରିସ କଲା ପୂର୍ବରୁ ସିଲିକନ ସଂସ୍କାର ଅଭିଜ୍ଞତା ଓ ବିଶ୍ଵସନୀୟତା ଆଦୌ ଯାଞ୍ଚ କରାଯାଇ ନଥିଲା । ସିଲିକନ ଟେକଲାବ୍ ପ୍ରା. ଲିଃ କମ୍ପାନୀକୁ ପରୀକ୍ଷା ପରିଚାଳନା ଦାୟିତ୍ଵ ଆଇଟିଆର ଦେବା ମଧ୍ୟ ଏକ ବଡ଼ ସ୍କାମ୍ । ଗୃହ ବିଭାଗ ଓ ପୁଲିସର ବିନାନୁମତିରେ ସିଲିକନ୍ର ଏଣ୍ଟ୍ରି କିଭଳି ସମ୍ଭବ ହେଲା ? ଏସ୍ଆଇ ପରୀକ୍ଷା ସ୍କାମ୍ ସିଲିକନ୍ ପରୀକ୍ଷାରେ ସହଯୋଗ ପାଇଁ ବ୍ରହ୍ମପୁରର ପଞ୍ଚସଫ୍ଟ ଟେକ୍ନୋଲୋଜିକୁ ଦାୟିତ୍ୱ ଦେଇଥିଲା । ଉଭୟ ସିଲିକନ୍ ଟେକ୍ଲାବ୍ ଓ ପଞ୍ଚସଫ୍ଟର ଅଫିସ ଭୁବନେଶ୍ବରର ଡିଏଲଏଫ୍ ବିଲ୍ଡିଂରେ ଅଛି । ଏକଥା ସତ ଯେ ଷ୍ଟାଫ୍ ସିଲେକ୍ସନ କମିଶନ ଓ ସବ୍ଅଡିନେଟ୍ ଷ୍ଟାଫ୍ ସିଲେକ୍ସନ କମିଟି ପରୀକ୍ଷା ଦୁର୍ନୀତି ଓ ପ୍ରଶ୍ନପତ୍ର ବିଭ୍ରାଟକୁ ନେଇ ବିଶ୍ୱସନୀୟତା ହରାଇ ସାରିଛି। କିନ୍ତୁ ତା’ ଅର୍ଥ ନୁହେଁ ଯେ ଏକ ଘରୋଇ ସଂସ୍ଥା ୯୩୩ ଏସ୍ଆଇ ପଦବୀ ପୂରଣ ପାଇଁ ଦାୟିତ୍ଵ ତୁଲାଇବ । ଏଥିପାଇଁ ଓପିଆର୍ବି ଭୂମିକା ଜଘନ୍ୟ ଓ ସନ୍ଦେହଜନକ । Post navigation ଭସାଣି ବେଳେ ମୁସଲମାନ ବସ୍ତିରୁ ଟେକା ମାଡ଼ ଘଟଣା; ଆସନ୍ତାକାଲି କଟକ ବନ୍ଦ ଡାକରା ରାଇକିଆ ବ୍ଲକ ଅଧ୍ୟକ୍ଷ ପଦରୁ ହଟିଲେ ପ୍ରୀତମ୍ ଚନ୍ଦ୍ର ପ୍ରଧାନ