ଦୁର୍ନୀତିର ସବୁ ସୀମା ଲଙ୍ଘିଥିବା ନେତାଙ୍କଠାରୁ ମୋହ ତୁଟାଇ ପାରୁନାହାନ୍ତି ଦଳର ମୁଖିଆ ନବୀନ ପଟ୍ଟନାୟକ । ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି ୨୦୨୪ ସାଧାରଣ ନିର୍ବାଚନର ନିମାପଡ଼ା ବିଧାୟକ ପ୍ରାର୍ଥୀ ଦିଲ୍ଲୀପ ନାୟକ । ସେ ଏବେ ଜମି ଠକେଇ ମାମଲାରେ ଜେଲ ଯାଇ ଦଳକୁ ବଦନାମ କରିଛନ୍ତି । ହେଲେ ଗିରଫର ୩ ଦିନ ପରେ ମଧ୍ୟ ଦଳ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନନେବା ଅତ୍ୟନ୍ତ ହୀନ ରାଜନୀତିର ପରିଚୟ ଦେଉଛି । ଏ ନେଇ ଦଳର ସଭାପତି ନବୀନ ପଟ୍ଟନାୟକ ଓ ବବି ଦାସଙ୍କ ଭଳି ବରିଷ୍ଠ ନେତା ଯିଏ ଦିଲ୍ଲୀପ ନାୟକଙ୍କୁ ଦଳକୁ ଆଣି ଟିକେଟ ଦେଇଥିଲେ, ସେ ମଧ୍ୟ କୌଣସି ପ୍ରତିକ୍ରିୟା ରଖିନାହାନ୍ତି । ୨୪ ବର୍ଷ ଧରି ବିଜେଡି ଓଡ଼ିଶାରେ କ୍ଷମତା ରହିବା ପରେ ବି ଗତ ସାଧାରଣ ନିର୍ବାଚନରେ ଅଯୋଗ୍ୟଙ୍କୁ ଟିକେଟ ଦେଇ ତଳିତଳାନ୍ତ ହୋଇଛି । ବିଜେଡି ଦିଲ୍ଲୀପଙ୍କ ପ୍ରୀତି ଛାଡିପାରୁ ନଥିବାବେଳେ ନିମାପଡ଼ାରେ ବିଜେଡି ଗଡ଼ ଭୁଶୁଡ଼ିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ । ଅନ୍ୟପକ୍ଷରେ ଠକଙ୍କ ପ୍ରତି ଦଳର ମୋହମାୟା ଯୋଗୁଁ ଦଳୀୟ କର୍ମୀ ଅସନ୍ତୁଷ୍ଟ ଅଛନ୍ତି। ଏବେ ପ୍ରଶ୍ନ ଉଠୁଛି, ଅନ୍ୟ ଦଳର ନେତା କି କର୍ମୀ ଏଭଳି ଦୁର୍ନୀତିରେ ଲିପ୍ତ ଥିଲେ ବିଜେଡି କଣ ଚୁପ ରହିଥାନ୍ତା ? ସେ କଣ ରାଜରାସ୍ତାକୁ ଓଲ୍ହାଇ ଆନ୍ଦୋଳନ କରିନଥାନ୍ତା ? ଅରୁଣ ସାହୁଙ୍କ ଭଳି କୁହାଳିଆ ନେତା ଦଳରେ ସକ୍ରିୟ ଥିବା ବେଳେ ନିଜ ଦଳର ନେତାଙ୍କ ଦୁର୍ନୀତି ପରେ ଦଳର ସଭାପତି ଚୁପ ଅଛନ୍ତି କାହିଁକି ? ଏଯାଏଁ ଦିଲ୍ଲୀପ ନାୟକଙ୍କୁ ଦଳରୁ ବାହାର କରାଯାଇନାହିଁ କାହିଁକି ? ଏଥିପାଇଁ କାହାର ଚାପ ପଡୁଛି କି ନା ଏହା ପଛରେ ଆଉ କିଛି ହୀନ ଚକ୍ରାନ୍ତ ରହିଛି ? ସୂଚନାଥାଉକି, ଦିଲ୍ଲୀପ ନାୟକ କଟକର ଜଣେ ବ୍ୟକ୍ତିଙ୍କୁ ରିୟଲ ଇଷ୍ଟେଟରେ ଟଙ୍କା ଲଗାଇ ପ୍ରଚୁର ଲାଭର ଲୋଭ ଦେଖାଇ ତାଙ୍କଠାରୁ ୧୨ କୋଟି ୪୨ ଲକ୍ଷ ଟଙ୍କା ଠକିନେଇଥିଲେ । ଏହି ଘଟଣା ୨୦୨୦ ସେପ୍ଟେମ୍ବରରେ ଘଟିଥିବା ବେଳେ ୨୦୨୩ ନଭେମ୍ବରରେ ମାମଲା ହୋଇଥିଲା । ତେବେ ଗତ ୧୮ ତାରିଖରେ ଏହି ମାମଲା EOW କୁ ହସ୍ତାନ୍ତର ହେବା ପରେ EOW ଦିଲ୍ଲୀପଙ୍କ କଟକସ୍ଥିତ ବାସଭବନରେ ଚଢ଼ଉ କରି ଶନିବାର ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା । ଅନ୍ୟପକ୍ଷରେ ୨୦୧୯ ନିର୍ବାଚନରେ ଦିଲ୍ଲୀପ ନିମାପଡ଼ାରୁ କଂଗ୍ରେସ ପ୍ରାର୍ଥୀ ଭାବେ ଲଢ଼ିଥିବା ବେଳେ ପରେ ସେ ବିଜେପିରେ ମିଶିଥିଲେ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବବି ଦାସଙ୍କ ଭଳି ଟାଣୁଆ ନେତାଙ୍କ ସହାୟତାରେ ବିଜେଡିକୁ ଆସିଥିଲେ । ୫ ବର୍ଷରେ ଦୁଇଥର ଦଳ ବଦଳାଇଥିବା ଓ ପୂର୍ବରୁ ବିଜେଡିର କୌଣସି ସାଙ୍ଗଠନିକ କାର୍ଯ୍ୟରେ ସମ୍ପୃକ୍ତି ନଥିବା ନେତାଙ୍କୁ ଟିକେଟ ଦେବା ବିଜେଡି ପାଇଁ ମହଙ୍ଗା ପଡିଛି । ତେବେ ବିଜେଡି ଦିଲ୍ଲୀପ ନାୟକଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ନେଉଛି ତାହା ଦେଖିବାକୁ ବାକି ରହିଲା । Post navigation ୮୫ କୋଟି ଟଙ୍କାରେ ରାଇରଙ୍ଗପୁର ଠାରେ ହେବ ନୂତନ ଆୟୁର୍ବେଦିକ କଲେଜ: ମୁଖ୍ୟମନ୍ତ୍ରୀ ବିଜେଡି ନେତା ଦିଲୀପ ନାୟକଙ୍କୁ ୩ ଦିନିଆ ରିମାଣ୍ଡ ଅନୁମତି