Jual Oram will-not-contest-elections-again
ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମଙ୍କ ବଡ଼ ଘୋଷଣା । ଆଉ ନିର୍ବାଚନ ଲଢ଼ିବେନି ସୁନ୍ଦରଗଡ଼ ସାଂସଦ । ସମ୍ବଲପୁରରେ ଅନୁଷ୍ଠିତ ରୋଜଗାର ମେଳାରେ ଯୋଗ ଦେଇ ଜୁଏଲ୍‌ କହିଛନ୍ତି ଯେ ସେ ୧୦ ଥର ନିର୍ବାଚନ ଜିତିଲେଣି । ୮ ଥର ଏମପି ଓ ୨ ଥର ବିଧାୟକ ହେଲେଣି ।
 
ଦଳରେ ରହି ଦଳ ପାଇଁ କାମ କରିବେ । ସଙ୍ଗଠନକୁ ସୁଦୃଢ କରିବେ । ଦଳ ଚାହିଁଲେ ରାଜ୍ୟସଭାକୁ ପଠାଇଲେ ଯିବେ । ଯୁବପୀଢିଙ୍କୁ ସୁଯୋଗ ଦେବେ ବୋଲି ଓରାମ କହିଛନ୍ତି ।
 
ଗତ ନିର୍ବାଚନ ବେଳେ ଘୋଷଣା କରିଛି MP, MLA ପାଇଁ ଲଢିବି ନାହିଁ । ମୋ ଜୀବନରେ ପଶ୍ଚାତାପ ବୋଲି କିଛି ଆସିବ ନାହିଁ । ମୁଁ ସମ୍ପୂର୍ଣ୍ଣ ସନ୍ତୁଷ୍ଟ, ଦିଆଯାଇଥିବା ଦାୟିତ୍ଵ ଠିକ୍‌ରେ ନିର୍ବାହ କରିଛି ବୋଲି ଜୁଏଲ ଓରାମ ସ୍ପଷ୍ଟ କରିଛନ୍ତି ।
 
କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ୧୯୯୮ରେ ପ୍ରଥମ କରି ସୁନ୍ଦରଗଡ଼ ଲୋକସଭା କ୍ଷେତ୍ରରୁ ଏମ୍‌ପି ଭାବେ ନିର୍ବାଚିତ ହୋଇଥିଲେ । ଅଟଳ ବିହାରୀ ବାଜପେୟୀଙ୍କ ସରକାର ଦ୍ୱାରା ନୂଆକରି ଗଢ଼ା ଯାଇଥିବା ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟରେ ତାଙ୍କୁ ମନ୍ତ୍ରୀ ପଦ ମିଳିଥିଲା । ୨୦୦୪ ରେ ସେ ତୃତୀୟ ଥର ଲାଗି ଲୋକସଭାକୁ ନିର୍ବାଚିତ ହୋଇଥିଲେ । ୨୦୦୯ ରେ ସେ ହାରିଯାଇଥିଲେ ।
 
୨୦୧୪, ୨୦୧୯ ଏବଂ ୨୦୨୪ ରେ ସେ ସୁନ୍ଦରଗଡ଼ ଲୋକସଭା କ୍ଷେତ୍ରରୁ ନିର୍ବାଚିତ ହୋଇଥିଲେ । ୨୦୧୪ ରେ ମୋଦି ସରକାରଙ୍କ ପ୍ରଥମ ପାଳିରେ ଜୁଏଲ ଆଦିବାସୀ ବ୍ୟାପାର ମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଲୋକସଭା ଆସନରୁ କ୍ରମାଗତ ବିଜୟୀ ହୋଇଆସୁଥିବା ଜୁଏଲଙ୍କୁ ୨୦୧୯ ରୁ ୨୦୨୪ ପର୍ଯ୍ୟନ୍ତ ମନ୍ତ୍ରୀ ପଦ ମିଳି ନଥିଲା । ସେହି ସମୟରେ ଅର୍ଜୁନ ମୁଣ୍ଡାଙ୍କୁ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ଦାୟିତ୍ୱ ଦିଆଯାଇଥିଲା ।
 
୫ ବର୍ଷ ପରେ ଜୁଏଲଙ୍କୁ ପୁଣି ସୁଯୋଗ ମିଳିଛି । ସେ ତାଙ୍କର ପୁରୁଣା ମନ୍ତ୍ରଣାଳୟ ଆଦିବାସୀ ବ୍ୟାପାର ପାଇଛନ୍ତି । ନରେନ୍ଦ୍ର ମୋଦି ସରକାରଙ୍କ ତୃତୀୟ ପାଳିରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର କ୍ୟାବିନେଟ ମନ୍ତ୍ରୀ ଭାବେ ଜୁଏଲ ଓରାମ ଦାୟିତ୍ୱ ଗ୍ରହଣ କରିଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *