ସମସ୍ତ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଦିଆଯିବା ନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ସେ କହିଛନ୍ତି କ୍ଷୁଦ୍ର ଜମାକାରୀ ହୁଅନ୍ତୁ କିମ୍ବା ବଡ଼ ଜମାକାରୀ ସମସ୍ତଙ୍କୁ ମିଳିବ ଟଙ୍କା । ମନରେ କୌଣସି ଦ୍ବନ୍ଦ୍ବ ରହିବା ଉଚିତ୍‌ ନୁହେଁ, ସମସ୍ତ କ୍ଷତିଗ୍ରସ୍ତ ଟଙ୍କା ପାଇବେ । ୧୦ ହଜାର ହେଉ କିମ୍ବା ୧୦ ଲକ୍ଷ ସମସ୍ତେ ଟଙ୍କା ଫେରସ୍ତ ପାଇବେ । ସାମାନ୍ୟ ପ୍ରମାଣ ଦେଖାଇଲେ ଟଙ୍କା ଫେରସ୍ତ କରାଯିବ ।

ସେ ଆଉ ମଧ୍ୟ କହିଛନ୍ତି ବର୍ଷେ ଭିତରେ ୧ ଲକ୍ଷ ୨୬ ହଜାର ୧୩୭ ଯୋଗ୍ୟ ଜମାକାରୀଙ୍କୁ ଟଙ୍କା ଫେରସ୍ତ ହୋଇଛି । ଆଉ ୩/୪ ମାସରେ ୫ ଲକ୍ଷ ଯୋଗ୍ୟ ଜମାକାରୀଙ୍କୁ ଟଙ୍କା ଫେରସ୍ତ କରାଯିବ । ସେଥିପାଇଁ ତାଲିକା ସଂପୂର୍ଣ୍ଣ ହୋଇଛି, ସେହି ଅନୁସାରେ ଟଙ୍କା ଫେରସ୍ତ କରାଯିବ।  ଏହା ଏକ ନିୟମିତ ପ୍ରକ୍ରିୟା; ଆଉ ତାଲିକା ଆସିଲେ ପର୍ଯ୍ୟାୟ କ୍ରମେ ଟଙ୍କା ଦେବୁ।

ସେ ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି ବିଜେଡ଼ି ପ୍ରାୟୋଜିତ ଚିଟ୍ ଫଣ୍ଡ ଦୁର୍ନୀତି ଯୋଗୁଁ ଜମାକାରୀମାନେ ଲୁଟର ଶିକାର ହୋଇଛନ୍ତି । ୧୫ ବର୍ଷ ମଧ୍ୟରେ ୧୭୪ଟି ଚିଟଫଣ୍ଡ ସଂସ୍ଥା ଲୋକଙ୍କ କଠିନ ପରିଶ୍ରମର ଟଙ୍କା ଠକି ନେଇଛନ୍ତି । ପ୍ରାୟୋଜିତ ଚିଟଫଣ୍ଡ କାରଣରୁ ଲକ୍ଷ ଲକ୍ଷ ଲୋକ ଅନିଶ୍ଚିତତା ଭିତରେ ଦିନ କାଟୁଥିଲେ । ସେତେବେଳେ ସରକାର ଉପରୁ ଓଡ଼ିଶା ଲୋକ ବିଶ୍ୱାସ ଉଠିଯାଇଥିଲା । ଏପରିକି ବିଜେଡ଼ି ଶାସନରେ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀ, ବିଧାୟକ ମାନେ ଚିଟଫଣ୍ଡ କମ୍ପାନୀକୁ ସମ୍ବର୍ଦ୍ଧିତ କରିବା ସହ ସେମାନଙ୍କ ସାର୍ବଜନୀନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସୁପ୍ରିମକୋର୍ଟକୁ କେସ ଗଲା ପରେ ପୂର୍ବ ସରକାର କର୍ପସ ଫଣ୍ଡ ତିଆରି କଲେ । କିନ୍ତୁ ବିଜେଡ଼ି ସରକାରର ନିୟତ ଠିକ୍ ନଥିବାରୁ କ୍ରୀୟନ୍ଵୟନ ହୋଇପାରିଲା ନାହିଁ । ପୂର୍ବ ସରକାର କମିଶନ ପରେ କମିଶନ ବସାଇଲେ । କିନ୍ତୁ ତଦନ୍ତ ରିପୋର୍ଟ ସାର୍ବଜନୀନ କରାଗଲା ନାହିଁ ।

Leave a Reply

Your email address will not be published. Required fields are marked *