ଦୀଘା ଜଗନ୍ନାଥ ମନ୍ଦିର ବିବାଦର ତଦନ୍ତ ନିର୍ଦ୍ଦେଶ ଦେଲେ ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଶ୍ରୀମନ୍ଦିର ପ୍ରଶାସନକୁ ଅନ୍ତରୀଣ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଆଇନ ମନ୍ତ୍ରୀ । ସେ କହିଛନ୍ତି ଏ ମାମଲାରେ ତଦନ୍ତ କରାଯାଇ ସତ୍ୟାସତ୍ୟ ଜନମାନସକୁ ଆଣିବାକୁ ବ୍ୟବସ୍ଥା ହେଉ । କେହି ଦୋଷୀ ସାବ୍ୟସ୍ତ ହେଲେ ଦଣ୍ଡବିଧାନ ମଧ୍ୟ କରାଯାଇପାରେ ।

ସେ ଆଉ ମଧ୍ୟ କହିଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ଏବଂ ଶ୍ରୀଜଗନ୍ନାଥଙ୍କ ସଂସ୍କୃତିକୁ ନେଇ ଗତ କିଛିଦିନଧରି ଦ୍ୱନ୍ଦାତ୍ମକ ତଥ୍ୟ ସବୁ ଗଣମାଧ୍ୟମରେ ପ୍ରଚାରିତ ହେଉଛି | ଶ୍ରୀ ଜଗନ୍ନାଥଙ୍କର ମନ୍ଦିର ଦିଘା ଠାରେ ହେବା, ମନ୍ଦିରର ନାମକୁ ଜଗନ୍ନାଥ ଧାମ ଲେଖାଯିବା, ଏଠାରୁ ସେବାୟତମାନେ ମନ୍ଦିର ପ୍ରତିଷ୍ଠାରେ ଯୋଗଦେବା ତଥା ବଳକା ଦାରୁ କାଠରେ ପ୍ରତିମା ନିର୍ମାଣ ହେବା ଇତ୍ୟାଦି ବାବଦରେ ଚର୍ଜାହେବା ବିଷୟ ସମ୍ପୁର୍ଣ ଅଗ୍ରହଣୀୟ ଅଟେ ଏବଂ ଏଭଳି କଥା ଗୁଡିକ ଜଗନ୍ନାଥ ପ୍ରେମୀ ଭକ୍ତ ସମାଜ ଓ ଓଡ଼ିଶାର ସାଢେ ଚାରିକୋଟି ଜନତାଙ୍କ ମନରେ କଷ୍ଟ ଦେଇଛି ବୋଲି ଅନୁଭବ ହେଉଛି |

ଏହି କାରଣରୁ ସଂପୂର୍ଣ୍ଣ ଘଟଣା ଉପରେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଏକ ଅନ୍ତରୀଣ ତଦନ୍ତ କରାଯାଇ ସତ୍ୟାସତ୍ୟ ଜନମାନସକୁ ଆଣିବାର ବ୍ୟବସ୍ଥା କରାଯାଉ | ଏହି ଘଟଣାରେ ଯଦି କେହି ଦୋଷୀ ସାବ୍ୟସ୍ତ ହେଉଛନ୍ତି ବା ଜ୍ଞାତସାରରେ ଥାଇ ଏଭଳି ଘଟଣା ଘଟାଉଛନ୍ତି ସେ ବାବଦରେ ରାଜ୍ୟ ସରକାରଙ୍କ ଅନୁମତି କ୍ରମେ ଦଣ୍ଡବିଧାନ କରିବାର ପ୍ରାବଧାନ ମଧ୍ୟ କରାଯାଇପାରେ ।

ସୂଚନା ଯୋଗ୍ୟ, ଦୀଘାରେ ନିର୍ମାଣ ହୋଇଥିବା ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇଥିଲେ ବରିଷ୍ଠ ଦଇତାପତି ରାମକୃଷ୍ଣ ଦାସ ମହାପାତ୍ର । ସେଠାରେ ଏକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ ନବକଳେବର ବେଳେ ଯେଉଁ ଦାରୁ ବ୍ରହ୍ମ ପ୍ରତିଷ୍ଠା ହୋଇଥାଏ ସେହି ଦାରୁକୁ ନେଇକି ସେ ଯାଇଥିଲେ ଏବଂ ସେଠାରେ ପ୍ରତିଷ୍ଠା କରିଛନ୍ତି । ଯାହାକୁ ନେଇ କୋଟି କୋଟି ଓଡ଼ିଆ ଜଗନ୍ନାଥ ଭକ୍ତ ମନରେ ଗଭୀର ଉଦବେଗ ପ୍ରକାଶ ପାଇଥିଲା ।

ତେବେ ଆଜି ରାମକୃଷ୍ଣ ଦାସ ମହାପାତ୍ର ଏହି ପ୍ରସଙ୍ଗକୁ ଖଣ୍ଡନ କରିଛନ୍ତି । ସେ ଗଣମାଧ୍ୟମରେ ଏଭଳି ପ୍ରତିକ୍ରିୟା ଦେଇ ନାହାଁନ୍ତି ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *