ଯାଜପୁରରେ ଦେଖିବାକୁ ମିଳିଛି ରାଜନୈତିକ ହିଂସା । ଧର୍ମଶାଳାରେ ବିଜେଡି ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଆକ୍ରମଣ ଅଭିଯୋଗ । ଠେଙ୍ଗାରେ ପିଟି ଗାଡ଼ି ଭାଙ୍ଗିବାକୁ ଚେଷ୍ଟା କରାଯାଇଥିବା ଜଣାପଡିଛି। ଯାଜପୁର ଜିଲ୍ଲା ଧର୍ମଶାଳରେ ଚାଲିଥିବା ମା’ ହିଙ୍ଗୁଳା ଯଜ୍ଞରେ ଯୋଗ ଦେବାକୁ ଯିବାବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା । ଖବର ପାଇ ଜେନାପୁର ଆଇଆଇସି ସେଠାରେ ପହଞ୍ଚିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା। ଏହାପରେ ପ୍ରଣବ ପୂର୍ବ ଯୋଜନା ଅନୁସାରେ ଯଜ୍ଞ ସ୍ଥଳକୁ ଯାଇ ମାଙ୍କ ଦର୍ଶନ କରି ଫେରି ଯାଇଥିଲେ। ତେବେ ଆକ୍ରମଣର କାରଣ ଅସ୍ପଷ୍ଟ ରହିଛି । ଆକ୍ରମଣର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

ଅନ୍ୟପଟେ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଆକ୍ରମଣ ଘଟଣାରେ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଛି । ବିଧାୟକ ହିମାଂଶୁ ସାହୁଙ୍କ ସମର୍ଥକ ଆକ୍ରମଣ କରିଛନ୍ତି ପ୍ରଣବ କହିଥିବା ବେଳେ । ସେ କହିଛନ୍ତି ଜୀବନରେ ମାରି ଦେବାକୁ ଚେଷ୍ଟା କରିଥିଲେ, ଗାଡ଼ିକୁ ପିଟିଲେ । ଆରୁହା ଲୋକଙ୍କ ପାଇଁ ଜୀବନ ବଞ୍ଚିଗଲା ।  ଆସିବା ପୂର୍ବରୁ ଏସ୍‌ପିଙ୍କୁ ଜଣାଇଥିଲି । ଏ ସବୁ ପୋଲିସ ଉପସ୍ଥିତିରେ ହୋଇଛି । ଯାଜପୁର ପୋଲିସ ଉପରେ ଭରସା ନାହିଁ, ଏତଲା କରିବି ନାହିଁ।

ସେହିପରି ପ୍ରଣବ ବଳବନ୍ତରାୟଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଧାୟକ ହିମାଂଶୁ। ସେ କହିଛନ୍ତି ଏହା ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ । ‘ମୁଁ ନିନ୍ଦା କରୁଛନ୍ତି, ଯିଏ ଦୋଷୀ ସିଏ ଦଣ୍ଡ ପାଇବ ।

ସୂଚନା ଯୋଗ୍ୟ; ଆଜି ନିର୍ବାଚନମଣ୍ଡଳୀର ଆରୁହା ପଞ୍ଚାୟତରେ ଚାଲିଥିବା ହିଙ୍ଗୁଳା ଯଜ୍ଞ ଉତ୍ସବକୁ ଯିବା ସମୟରେ ଏହି ଆକ୍ରମଣ ହୋଇଛି । ଗାଁ ଭିରତକୁ ଯିବାବେଳକୁ ୫୦ରୁ ୬୦ ଜଣ ଯୁବକ ଠେଙ୍ଗାବାଡି ଧରି ପ୍ରଣବଙ୍କ ଗାଡ଼ିକୁ ଅଟକାଇଥିଲେ । ଯଜ୍ଞସ୍ଥଳକୁ ଯିବାକୁ ଦେଇନଥିଲେ। ଫଳରେ ସେଠାରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। ଫଳରେ ପ୍ରଣବଙ୍କ ସମର୍ଥକ ମାନେ ମଧ୍ଯ ଏପରି ଘଟଣାକୁ ପ୍ରତିବାଦ କରିଥିଲେ। ଉଭୟ ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କଲା ପୋଲିସ।

Leave a Reply

Your email address will not be published. Required fields are marked *