ଆଜି ଲୋକସେବା ଭବନରେ ବାତ୍ୟା ମୁକାବିଲାର ସମୀକ୍ଷା ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ବାତ୍ୟାର ପ୍ରଭାବିତ ଅଞ୍ଚଳରେ ପାଖାପାଖି ୩ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି। ୧୧ ଜିଲ୍ଲାର ୩୮ ବ୍ଲକ ଓ ୯ ପୌରାଞ୍ଚଳ ପ୍ରଭାବିତ ହୋଇପାରେ । ଏହା ସହ ମୋଟ ୧୬୫୩ ଗାଁ ବାତ୍ୟା ଦ୍ବାରା ପ୍ରଭାବିତ ହେବା ଆକଳନ କରାଯାଇଛି । ତେଣୁ ୧୬୫୩ ଗାଁରୁ ୩ ଲକ୍ଷ ୬୨ ହଜାର ଲୋକ ସ୍ଥାନାନ୍ତର ହେବେ । କିନ୍ତୁ ଏ ପର୍ଯ୍ୟନ୍ତ ୩ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି ଆଉ ବାକି ଥିବା ଲୋକଙ୍କୁ ବହୁତ ଶୀଘ୍ର ସ୍ଥାନାନ୍ତର କରାଯାଇଛି ।  ୭ ହଜାର ୨୮୫ ବାତ୍ୟା ଆଶ୍ରୟସ୍ଥଳୀ ବ୍ୟବସ୍ଥା ହୋଇଛି । ୨ ହଜାର ୩୦୦ ଗର୍ଭବତୀଙ୍କୁ ସ୍ଥାନାନ୍ତର କରାଯାଇଛି । ଆଶ୍ରୟସ୍ଥଳରେ ମେଡିକାଲ ଟିମ୍ ମୁତୟନ ଅଛନ୍ତି। ପ୍ରାଣୀସମ୍ପଦଙ୍କ ଚିକିତ୍ସା ପାଇଁ ମଧ୍ୟ ଡାକ୍ତରୀ ଦଳ ନିୟୋଜିତ ଅଛନ୍ତି ।

ମୁଖ୍ୟମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ବାତ୍ୟା ପାଇଁ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟରେ କଣ୍ଟ୍ରୋଲ ରୁମ ୨୪ଘଣ୍ଟା କାର୍ଯ୍ୟ କରିବା ସହ ସ୍ଥିତି ଉପରେ ନଜର ରଖିଛନ୍ତି। ଜରୁରୀକାଳିନ ଯୋଗାଯୋଗ, ବାତ୍ୟା ପରବର୍ତ୍ତୀ ପଦକ୍ଷେପ ପାଇଁ ପ୍ରସ୍ତୁତ ରହିବା ସହ ‘ଜିରୋ କାଜୁଆଲିଟି’କୁ ଆଧାର କରି ଲୋକଙ୍କ ସରକାର କାମ କରୁଛି। ବରିଷ୍ଠ ଅଧିକାରୀଙ୍କୁ ମଧ୍ୟ ପ୍ରଭାବିତ ଅଞ୍ଚଳର ଦାୟିତ୍ୱ ଦିଆଯାଇଛି। ସମ୍ପୃକ୍ତ ଜିଲ୍ଲା ପାଇଁ ସ୍ୱତନ୍ତ୍ର ଡ଼ାକ୍ତର ଦଳକୁ ମଧ୍ୟ ମୁତୟନ କରାଯାଇଛି। ବାତ୍ୟା ଆଶ୍ରୟସ୍ଥଳୀରେ ରନ୍ଧା ଖାଦ୍ୟ, ବିଦ୍ୟୁତ ଯୋଗାଣ, ମେଡ଼ିକାଲ ସହାୟତା ପାଇଁ ସରକାର ଧ୍ୟାନ ଦେଉଛନ୍ତି। ଏସବୁ ସ୍ଥିତିର ଅନୁଧ୍ୟାନ ପାଇଁ ଜନପ୍ରତିନିଧି ମଧ୍ୟ ନଜର ରଖିଛନ୍ତି। ଆପଣ ସମସ୍ତେ ଭୟଭିତ ନହୋଇ ସତର୍କ ରୁହନ୍ତୁ, ଲୋକଙ୍କ ସରକାର ଆପଣଙ୍କ ସହିତ ଅଛି। ଆମେ ସମସ୍ତେ ଏକତ୍ରିତ ହୋଇ ଏହି ବାତ୍ୟାର ସଫଳ ମୁକାବିଲା କରିବା।

ଏହା ସହ ମୁଖ୍ୟମନ୍ତ୍ରୀ କହିଛନ୍ତି ବାତ୍ୟା ମୁକାବିଲା ପ୍ରସ୍ତୁତିରେ ସନ୍ତୁଷ୍ଟ ଅଛନ୍ତି ପ୍ରଧାନମନ୍ତ୍ରୀ । ଆଜି କେନ୍ଦ୍ର କ୍ୟାବିନେଟରେ ଓଡିଶାର ବାତ୍ୟା ସମ୍ପର୍କରେ ଆଲୋଚନା ହୋଇଛି  । ମୁକାବିଲା ପ୍ରସ୍ତୁତି ନେଇ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ । ଓଡ଼ିଶାର କେନ୍ଦ୍ରମନ୍ତ୍ରୀମାନେ ଏନେଇ ତଥ୍ୟ ଦେଇଥିଲେ । ପ୍ରସ୍ତୁତିରେ ପ୍ରଧାନମନ୍ତ୍ରୀ ସନ୍ତୁଷ୍ଟ ଥିବା ସୂଚନା ମିଳିଛି । ଆଉ କିଛି ଆବଶ୍ୟକ ହେଲେ, ଯୋଗାଇଦେବାକୁ କହିଛନ୍ତି । ଆମେ ଯାହା କେନ୍ଦ୍ରଠାରୁ ସାହାଯ୍ୟ ମାଗିଥିଲୁ, ସବୁ ମିଳିଯାଇଛି ।

Leave a Reply

Your email address will not be published. Required fields are marked *