ରାଜ୍ୟର ଲକ୍ଷ ଲକ୍ଷ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନଙ୍କ ଦୀର୍ଘ ଦିନର ଦାବି ପୂରଣ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଦରମା ଓ ବିଭିନ୍ନ ସହାୟତା ରାଶି ବୃଦ୍ଧି ନେଇ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ଏହି ବଡ଼ ନିଷ୍ପତ୍ତି ପରେ ରାଜ୍ୟରେ ଚାଲିଥିବା ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନଙ୍କ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି।

ଘୋଷଣା ଅନୁଯାୟୀ, ଅଙ୍ଗନବାଡ଼ି କର୍ମୀଙ୍କ ଦରମା ୧୦ ହଜାର ଟଙ୍କାରୁ ବୃଦ୍ଧି ପାଇ ୧୨ ହଜାର ଟଙ୍କା ହୋଇଥିବା ବେଳେ ସହାୟିକାଙ୍କ ଦରମା ୫ ହଜାର ଟଙ୍କାରୁ ୬ ହଜାର ଟଙ୍କାକୁ ବଢ଼ିଛି। କେବଳ ମାସିକ ଦରମା ନୁହେଁ, କର୍ମଚାରୀଙ୍କ ସୁରକ୍ଷା ଓ ଭବିଷ୍ୟତକୁ ଦୃଷ୍ଟିରେ ରଖି ଅନ୍ୟାନ୍ୟ ସହାୟତା ରାଶିରେ ମଧ୍ୟ ବଡ଼ ପରିବର୍ତ୍ତନ କରାଯାଇଛି। ମୃତ୍ୟୁକାଳୀନ ସହାୟତା ରାଶି ୨ ଲକ୍ଷରୁ ୪ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ଅବସରକାଳୀନ ସହାୟତା କର୍ମୀଙ୍କ ପାଇଁ ୧ ଲକ୍ଷରୁ ୩ ଲକ୍ଷ ଟଙ୍କା ଏବଂ ସହାୟିକାଙ୍କ ପାଇଁ ୫୦ ହଜାରରୁ ଦେଢ଼ ଲକ୍ଷ ଟଙ୍କାକୁ ବଢ଼ାଯାଇଛି।

ଏହି ଘୋଷଣା ପରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କର୍ମୀ ଓ ସହାୟିକାମାନଙ୍କୁ ତୁରନ୍ତ ନିଜ କାର୍ଯ୍ୟରେ ଯୋଗ ଦେବାକୁ ଅନୁରୋଧ କରିଛନ୍ତି। ସରକାରଙ୍କ ପକ୍ଷରୁ ଦରମା ବୃଦ୍ଧିର ସକାରାତ୍ମକ ପଦକ୍ଷେପ ନିଆଯିବା ପରେ ଧାରଣାରେ ବସିଥିବା ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନେ ଆନ୍ଦୋଳନରୁ ଓହରିଯାଇଛନ୍ତି, ଯାହା ଫଳରେ ତୃଣମୂଳ ସ୍ତରରେ ଶିଶୁ ଓ ମାତୃସେବା ପୁଣି ସ୍ୱାଭାବିକ ହେବାର ଆଶା ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *