ସମ୍ବିଧାନ ଗୌରବ ଦିବସ ଅବସରରେ ଆଜି ସ୍ଥାନୀୟ ରେଳ ପ୍ରେକ୍ଷାଳୟ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭାରତୀୟ ସମ୍ବିଧାନର ମୂଲ୍ୟବୋଧକୁ ଅକ୍ଷୁଣ୍ଣ ରଖିବା ଏବଂ ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକର ବିଶ୍ୱସନୀୟତା ବଜାୟ ରଖିବା ପ୍ରତ୍ୟେକ ନାଗରିକଙ୍କ ସର୍ବୋଚ୍ଚ କର୍ତ୍ତବ୍ୟ ବୋଲି କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୧୯୪୯ ମସିହା ନଭେମ୍ବର ୨୬ ତାରିଖରେ ବିଶ୍ୱର ସର୍ବବୃହତ ଲିଖିତ ସମ୍ବିଧାନ ଗୃହୀତ ହେବା ପରେ ଭାରତ ଏକ ସଶକ୍ତ ଓ ସ୍ୱାବଲମ୍ବୀ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ବିଶ୍ୱ ଦରବାରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ସମ୍ବିଧାନର ମୁଖ୍ୟ ଶିଳ୍ପୀ ଭାରତରତ୍ନ ଡକ୍ଟର ଭୀମରାଓ ଆମ୍ବେଦକର, ସମ୍ବିଧାନ ସଭାର ଅଧ୍ୟକ୍ଷ ଡକ୍ଟର ରାଜେନ୍ଦ୍ର ପ୍ରସାଦ ଏବଂ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ମୁଖ୍ୟମନ୍ତ୍ରୀ ସମ୍ବିଧାନ ସଭାରେ ଓଡ଼ିଶାର ପ୍ରତିନିଧିତ୍ୱ କରିଥିବା ଡକ୍ଟର ହରେକୃଷ୍ଣ ମହତାବ, ବିଶ୍ୱନାଥ ଦାସ, ମାଳତୀ ଚୌଧୁରୀ, ଶାନ୍ତନୁ କୁମାର ଦାସ, ନନ୍ଦକିଶୋର ଦାସ, ରାଜକୃଷ୍ଣ ବୋଷ ଏବଂ ଭୁବନାନନ୍ଦ ଦାସଙ୍କ ଅବଦାନକୁ ସ୍ମରଣ କରିଥିଲେ। ସମ୍ବିଧାନର ମୁଖବନ୍ଧରେ ନିହିତ ନ୍ୟାୟ, ସ୍ୱାଧୀନତା, ସମାନତା ଓ ଭାତୃତ୍ୱ ରାଷ୍ଟ୍ରର ମେରୁଦଣ୍ଡ ଏବଂ ମୌଳିକ ଅଧିକାରର ସୁରକ୍ଷା ପାଇଁ ଅନୁଚ୍ଛେଦ ୩୨ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ଉଲ୍ଲେଖ କରିଛନ୍ତି। ସ୍ୱାଧୀନତା ପରବର୍ତ୍ତୀ ସମୟରେ ଅନେକ ସମସାମୟିକ ରାଷ୍ଟ୍ର ଏକଛତ୍ରବାଦ କିମ୍ବା ସାମରିକ ଶାସନ ଆଡ଼କୁ ଠେଲି ହୋଇଯାଇଥିବା ବେଳେ କେବଳ ସମ୍ବିଧାନ ଯୋଗୁଁ ଭାରତରେ ନିରନ୍ତର ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ତିଷ୍ଠି ରହିଛି ବୋଲି ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି। ତେବେ ଦେଶର ସାମ୍ବିଧାନିକ ଇତିହାସରେ ଜରୁରୀକାଳୀନ ପରିସ୍ଥିତିକୁ ଏକ କଳା ଅଧ୍ୟାୟ ଭାବେ ଅଭିହିତ କରି ସେ କହିଛନ୍ତି ଯେ, ସେ ସମୟରେ ଧାରା ୩୫୯ ଲାଗୁ କରି ଅନୁଚ୍ଛେଦ ୩୨କୁ ସସପେଣ୍ଡ କରାଯିବା ସହ ନାଗରିକଙ୍କ ମୌଳିକ ଅଧିକାର କ୍ଷୁଣ୍ଣ କରାଯାଇଥିଲା। ଏଡିଏମ୍ ଜବଲପୁର ମାମଲାରେ ବିଚାରପତି ଏଚ୍.ଆର୍. ଖାନ୍ନାଙ୍କ ଐତିହାସିକ ଭିନ୍ନ ମତାମତ ଏବଂ ୪୨ତମ ସମ୍ବିଧାନ ସଂଶୋଧନ ମାଧ୍ୟମରେ ସମ୍ବିଧାନର ମୌଳିକ ଢାଞ୍ଚାରେ କରାଯାଇଥିବା ପରିବର୍ତ୍ତନ, ଧାରା ୩୫୬ର ଅପବ୍ୟବହାର ଓ ମିସା ଆଇନ ଅଧୀନରେ ହୋଇଥିବା ଗିରଫଦାରୀ ପ୍ରସଙ୍ଗ ଉଠାଇ ମୁଖ୍ୟମନ୍ତ୍ରୀ ତତ୍କାଳୀନ କଂଗ୍ରେସ ସରକାରର କାର୍ଯ୍ୟଶୈଳୀକୁ ସମାଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସମ୍ବିଧାନକୁ ସର୍ବୋଚ୍ଚ ସମ୍ମାନ ଦିଆଯାଉଛି ଏବଂ କୌଣସି ଅଣସମ୍ବିଧାନିକ ଉପାୟରେ ଏଥିରେ ପରିବର୍ତ୍ତନ କରାଯାଇନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଗଣତନ୍ତ୍ରର ପ୍ରକୃତ ସଫଳତା କେବଳ ସାମ୍ବିଧାନିକ ଅଧିକାରରେ ସୀମିତ ନରହି ବ୍ୟକ୍ତି, ସମାଜ ଓ ଦେଶର ଆର୍ଥିକ ଅଭିବୃଦ୍ଧିରେ ପ୍ରତିଫଳିତ ହେବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଛନ୍ତି। ଗତ ୧୨ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ଅର୍ଥନୀତିରେ ପରିଣତ ହୋଇଛି ଏବଂ ପ୍ରାୟ ୫୦ କୋଟି ଲୋକ ଉତ୍କଟ ଦାରିଦ୍ର୍ୟରୁ ମୁକ୍ତି ପାଇଛନ୍ତି ବୋଲି ସେ କହିଛନ୍ତି। ସେହିପରି ଓଡ଼ିଶାରେ ମଧ୍ୟ ଗତ ଅଢ଼େଇ ବର୍ଷ ଧରି ‘ସବ୍କା ସାଥ, ସବ୍କା ବିକାଶ, ସବ୍କା ବିଶ୍ୱାସ, ସବ୍କା ପ୍ରୟାସ’ ମନ୍ତ୍ରରେ ପ୍ରତ୍ୟେକ ବର୍ଗର ବିକାଶ ପାଇଁ କାର୍ଯ୍ୟ ଚାଲିଛି। ସ୍ୱଚ୍ଛ ଓ ଦକ୍ଷ ଶିଳ୍ପ ନୀତି ଯୋଗୁଁ ଓଡ଼ିଶା ନିବେଶକଙ୍କ ପ୍ରଥମ ପସନ୍ଦ ପାଲଟିଛି, ଯାହା ‘ସମୃଦ୍ଧ ଓଡ଼ିଶା’ ଗଠନର ପଥ ପରିଷ୍କାର କରିବ। ଅନ୍ୟପକ୍ଷରେ, ତାମିଲନାଡୁର ମଦୁରାଇ ନିକଟସ୍ଥ ‘ଦୀପଥୁନ’ଠାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଦୀପ ପ୍ରଜ୍ୱଳନ ପାଇଁ ଅନୁମତି ନ ମିଳିବା ଘଟଣାକୁ ଉଲ୍ଲେଖ କରି ସାମ୍ବିଧାନିକ ଅନୁଷ୍ଠାନଗୁଡ଼ିକର ଅବମାନନା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ କରିବା ପାଇଁ ଦେଶର ଯୁବବର୍ଗ ଓ ସଚେତନ ନାଗରିକମାନେ ମିଛ ଓ ଅପପ୍ରଚାରକୁ ପ୍ରତିହତ କରି ସତ୍ୟ ଓ ନ୍ୟାୟର ପଥରେ ଆଗେଇବାକୁ ସେ ଆହ୍ୱାନ ଜଣାଇଛନ୍ତି। କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟସଭା ସାଂସଦ ମନମୋହନ ସାମଲ ଭାରତୀୟ ସମ୍ବିଧାନର ମହତ୍ତ୍ୱ, ସାମାଜିକ ନ୍ୟାୟ ଓ ନାଗରିକ କର୍ତ୍ତବ୍ୟବୋଧ ଉପରେ ଆଲୋକପାତ କରିଥିଲେ। ମନମୋହନ ସାମଲ କହିଛନ୍ତି ଯେ, “ଭାରତୀୟ ସମ୍ବିଧାନ ହେଉଛି ଆମ ଦେଶର ଏକତା, ଅଖଣ୍ଡତା ଏବଂ ସାମାଜିକ ସମାନତାର ସର୍ବୋଚ୍ଚ ଆଧାର। ବାବାସାହେବ ଡକ୍ଟର ଭୀମରାଓ ଆମ୍ବେଦକର ଯେଉଁ ସମତାଭିତ୍ତିକ ସମାଜ ଗଠନର ସ୍ୱପ୍ନ ଦେଖିଥିଲେ, ତାହା ଆଜି ସମ୍ବିଧାନର ମାର୍ଗଦର୍ଶନରେ ସାକାର ହେଉଛି। ଏହି ଅବସରରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ପୁରୀ ସାଂସଦ ସମ୍ବିତ୍ ପାତ୍ର ଭାରତୀୟ ସମ୍ବିଧାନର ମହାନତା, ରାଷ୍ଟ୍ର ନିର୍ମାଣରେ ନାଗରିକଙ୍କ ଦାୟିତ୍ୱବୋଧ ଏବଂ ଗଣତାନ୍ତ୍ରିକ ପରମ୍ପରାର ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ। ସାଂସଦ ସମ୍ବିତ ପାତ୍ର କହିଛନ୍ତି ଯେ, ଭାରତୀୟ ସମ୍ବିଧାନ ହେଉଛି ଆମ ଗଣତନ୍ତ୍ରର ପବିତ୍ର ଆତ୍ମା ଏବଂ ୧୪୦ କୋଟି ଭାରତୀୟଙ୍କ ଆଶା ଓ ଆକାଂକ୍ଷାର ପ୍ରତୀକ। ସମ୍ବିଧାନ କେବଳ ଆମକୁ ମୌଳିକ ଅଧିକାର ଦେଇନାହିଁ, ବରଂ ରାଷ୍ଟ୍ର ପ୍ରତି ଆମର କର୍ତ୍ତବ୍ୟବୋଧକୁ ମଧ୍ୟ ମନେ ପକାଇ ଦେଇଛି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆଜି ଦେଶରେ ସମ୍ବିଧାନର ପ୍ରକୃତ ମୂଲ୍ୟବୋଧ ପ୍ରତିଫଳିତ ହେଉଛି ଏବଂ ସମାଜର ଅନ୍ତିମ ଧାଡ଼ିରେ ଥିବା ବ୍ୟକ୍ତି ନିକଟରେ ସାମ୍ବିଧାନିକ ନ୍ୟାୟ ପହଞ୍ଚିପାରିଛି। ବିଶ୍ୱର ସର୍ବବୃହତ ଗଣତନ୍ତ୍ର ଭାବେ ଭାରତର ଏହି ଗୌରବମୟ ଯାତ୍ରାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ପ୍ରତ୍ୟେକ ନାଗରିକ ସମ୍ବିଧାନର ମର୍ଯ୍ୟାଦା ରକ୍ଷା କରିବା ଆବଶ୍ୟକ। ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଡକ୍ଟର ଜଷ୍ଟିସ୍ ଦୁର୍ଗା ପ୍ରସନ୍ନ ଚୌଧୁରୀ, ପ୍ରଫେସର ଡଃ ମାନସ ବେହେରା ଏବଂ ବୁଦ୍ଧିଜୀବୀ ପ୍ରକୋଷ୍ଠର ରାଜ୍ୟ ଆବାହକ ସୁଦର୍ଶନ ନାୟକ ପ୍ରମୁଖ ମଞ୍ଚାସୀନ ଥିଲେ। Post navigation BIMSTEC U-23 Athletics Championships: ବିମ୍ଷ୍ଟେକ୍ ଅଣ୍ଡର-୨୩ ଆଥଲେଟିକ୍ସ: ୧୦୦ ମିଟର ବାଧାଦୌଡ଼ରେ ଓଡ଼ିଶାର ସବିତା ଟୋପୋଙ୍କୁ ସ୍ବର୍ଣ୍ଣ ପଦକ