ଓଡ଼ିଶାରେ ପରିବେଶ ଅନୁକୂଳ ତଥା ଇଲେକ୍ଟ୍ରିକ୍ ଗାଡ଼ି (EV) ପ୍ରତି ଲୋକଙ୍କ ଆକର୍ଷଣ ଏବଂ ଚାହିଦା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଗୃହରେ ଏକ ପ୍ରଶ୍ନର ଲିଖିତ ଉତ୍ତର ରଖି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଗତ ୬ ବର୍ଷ ମଧ୍ୟରେ ରାଜ୍ୟରେ ଇଲେକ୍ଟ୍ରିକ୍ ଗାଡ଼ି କ୍ରୟ ଓ ପଞ୍ଜୀକରଣର ସମ୍ପୂର୍ଣ୍ଣ ତଥ୍ୟ ଉପସ୍ଥାପନ କରିଛନ୍ତି। ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ୨୦୨୦ ମସିହାରେ ରାଜ୍ୟରେ ଇଲେକ୍ଟ୍ରିକ୍ ଗାଡ଼ିର ଚାହିଦା ନଗଣ୍ୟ ଥିବା ବେଳେ ଏବେ ଏହା ଏକ ବଡ଼ ଧରଣର ପରିବର୍ତ୍ତନ ଆଣିଛି। ୨୦୨୦ରେ ସମଗ୍ର ଓଡ଼ିଶାରେ ମାତ୍ର ୯୦୩ଟି ଇଲେକ୍ଟ୍ରିକ୍ ଗାଡ଼ି କିଣାଯାଇଥିଲା। ତେବେ ପରବର୍ତ୍ତୀ ବର୍ଷ ଅର୍ଥାତ୍ ୨୦୨୧ରେ ଏହି ସଂଖ୍ୟା ପ୍ରାୟ ୬ ଗୁଣ ବୃଦ୍ଧି ପାଇ ୫,୬୨୭ରେ ପହଞ୍ଚିଥିଲା। ୨୦୨୨ ମସିହାରେ ରାଜ୍ୟବାସୀ ୨୮,୪୪୬ଟି ଇଲେକ୍ଟ୍ରିକ୍ ଗାଡ଼ି କିଣିଥିବା ବେଳେ ୨୦୨୩ରେ ଏହା ୪୪,୫୪୩କୁ ବୃଦ୍ଧି ପାଇଥିଲା। ସେହିପରି ଗତ ଦୁଇ ବର୍ଷ ମଧ୍ୟରେ ଇଲେକ୍ଟ୍ରିକ୍ ଗାଡ଼ି ବଜାରରେ ଅଭୂତପୂର୍ବ ଅଭିବୃଦ୍ଧି ଦେଖିବାକୁ ମିଳିଛି। ୨୦୨୪ ମସିହାରେ ରାଜ୍ୟରେ ମୋଟ ୬୫,୩୧୨ଟି ଏବଂ ୨୦୨୫ ମସିହାରେ ୭୯,୨୩୮ଟି ଇଲେକ୍ଟ୍ରିକ୍ ଗାଡ଼ି ପଞ୍ଜୀକୃତ ହୋଇଥିଲା। କିନ୍ତୁ ସବୁଠାରୁ ବଡ଼ ରେକର୍ଡ ଚଳିତ ବର୍ଷ ଦେଖିବାକୁ ମିଳିଛି। ୨୦୨୬ ମସିହାର ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧ ଲକ୍ଷ ୪୫ ହଜାର ୫୧୪ଟି ଇଲେକ୍ଟ୍ରିକ୍ ଗାଡ଼ି କିଣାଯାଇ ସାରିଲାଣି, ଯାହା ଗତ ବର୍ଷର ମୋଟ ବିକ୍ରି ତୁଳନାରେ ପ୍ରାୟ ଦୁଇଗୁଣ ଅଧିକ। ବିଶେଷଜ୍ଞଙ୍କ ମତରେ, ରାଜ୍ୟ ସରକାରଙ୍କ ‘ଓଡ଼ିଶା ଇଲେକ୍ଟ୍ରିକ୍ ଯାନ ନୀତି’ ଅଧୀନରେ ମିଳୁଥିବା ଆକର୍ଷଣୀୟ ସବସିଡି, ରୋଡ୍ ଟ୍ୟାକ୍ସ ଓ ପଞ୍ଜୀକରଣ ଶୁଳ୍କରେ ଶତପ୍ରତିଶତ ଛାଡ଼ ଏବଂ ସହରାଞ୍ଚଳରେ ବଢ଼ୁଥିବା ଚାର୍ଜିଂ ଷ୍ଟେସନ ସୁବିଧା ଲୋକଙ୍କୁ ଇଲେକ୍ଟ୍ରିକ୍ ଗାଡ଼ି ଆପଣାଇବା ପାଇଁ ବିଶେଷ ଭାବେ ପ୍ରୋତ୍ସାହିତ କରୁଛି। ଏହା ଆଗାମୀ ଦିନରେ ଓଡ଼ିଶାକୁ ଏକ ପ୍ରଦୂଷଣମୁକ୍ତ ଓ ସବୁଜ ପରିବହନ ବ୍ୟବସ୍ଥା ଆଡ଼କୁ ଆଗେଇ ନେବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ। Post navigation सुप्रीम कोर्ट का FSSAI को आदेश, पैकेट के सामने लगाएं चीनी, नमक और फैट की चेतावनी लेबल