ପ୍ରାଚୀନ କଳିଙ୍ଗ ସାଧବମାନଙ୍କର ଦକ୍ଷିଣ-ପୂର୍ବ ଏସିଆକୁ ନୌବାଣିଜ୍ୟ ଯାତ୍ରାର ସ୍ମୃତିରେ ମଙ୍ଗଳବାର ମହାନଦୀ କୂଳରେ ଐତିହାସିକ ବାଲିଯାତ୍ରା ଉତ୍ସବକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦ୍‌ଘାଟନ କରିଛନ୍ତି ।

ରାଷ୍ଟ୍ରପତି ସିଲଭର ସିଟି ବୋଟ୍ କ୍ଲବରୁ ସଜେଇ ହୋଇଥିବା ‘କଳିଙ୍ଗ ତରଙ୍ଗିଣୀ’ ଡଙ୍ଗାରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଉତ୍ସବ ସ୍ଥଳରେ ପହଞ୍ଚିଥିଲେ ଏବଂ ବୈଷ୍ଣବ ପାଣି ମଞ୍ଚଠାରେ ଏହି ବାର୍ଷିକ ଉତ୍ସବକୁ ଉଦ୍‌ଘାଟନ କରିଥିଲେ । ବାଲିଯାତ୍ରା ଉତ୍ସବ ସ୍ଥଳରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହା ପରେ ସେ ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ପରମ୍ପରାକୁ ଦର୍ଶାଇ ମହାନଦୀରେ ନିଜେ ଏକ ବୋଇତ ଭସାଇଥିଲେ । ପରବର୍ତ୍ତୀ ସମୟରେ ସେ ମେଳା ପଡ଼ିଆ ବୁଲି ଦେଖିବା ପାଇଁ ଏକ ବ୍ୟାଟେରୀ ଚାଳିତ ଯାନରେ ଯାତ୍ରା କରିଥିଲେ ।

ଉଦ୍‌ଘାଟନୀ ସମାରୋହକୁ ଆନ୍ତର୍ଜାତୀୟ କୂଟନୈତିକ ଗୁରୁତ୍ୱ ପ୍ରଦାନ କରି ଇଣ୍ଡୋନେସିଆର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଯୋଗ ଦେଇଥିଲା । ନୂଆଦିଲ୍ଲୀସ୍ଥିତ ଇଣ୍ଡୋନେସିଆ ଦୂତାବାସର ଉପ-ରାଷ୍ଟ୍ରଦୂତ ତଥା ଚାର୍ଜ ଡି’ଆଫେୟାର୍ସ ୟୁଧୋ ସାସୋଙ୍ଗକୋଙ୍କ ନେତୃତ୍ୱରେ ମନ୍ତ୍ରୀ କାଉନସେଲର ଫହମି ପ୍ରୟୋଗା ଏବଂ ୟୁଦି ଫିଟ୍ରିଆଣ୍ଡି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ସେମାନଙ୍କ ଉପସ୍ଥିତି ଓଡ଼ିଶା ଓ ଇଣ୍ଡୋନେସିଆ ମଧ୍ୟରେ ଥିବା ଗଭୀର ଐତିହାସିକ, ସାଂସ୍କୃତିକ ଏବଂ ନୌବାଣିଜ୍ୟ ସମ୍ପର୍କକୁ ଉଜ୍ଜୀବିତ କରିଛି ।

ବାଲିଯାତ୍ରା ପରିଦର୍ଶନ ସମୟରେ ରାଷ୍ଟ୍ରପତି ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ସହ ଓର୍ମାସ୍ (ORMAS) ମଣ୍ଡପ ଉଦ୍‌ଘାଟନ କରିବା ପରେ ସ୍ୱୟଂ ସହାୟକ ଗୋଷ୍ଠୀ (SHGs) ସହ ଜଡ଼ିତ ମହିଳା ଉଦ୍ୟୋଗୀମାନଙ୍କ ସହିତ ଆଲୋଚନା କରି ସେମାନଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ।

ଏହି ଅବସରରେ ଐତିହାସିକ ଗୁରୁତ୍ୱ ଉପରେ ଆଲୋକପାତ କରି ରାଷ୍ଟ୍ରପତି ଦୂର ଦକ୍ଷିଣ-ପୂର୍ବ ଏସିଆର ଉପକୂଳକୁ ଯାତ୍ରା କରୁଥିବା ପ୍ରାଚୀନ ଓଡ଼ିଆ ସାଧବ ମାନଙ୍କ ଯାତ୍ରାକୁ ସ୍ମରଣ କରିଥିଲେ। ସେ କହିଥିଲେ, “ବାଣିଜ୍ୟ ମାଧ୍ୟମରେ ସେମାନେ ଦେଶ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରିଥିଲେ। ସେମାନେ ନୂଆ ସାମୁଦ୍ରିକ ମାର୍ଗ ଆବିଷ୍କାର କରିଥିଲେ, ଅନ୍ତର୍ଜାତୀୟ ସମ୍ପର୍କକୁ ସୁଦୃଢ଼ କରିଥିଲେ ଏବଂ ସାଂସ୍କୃତିକ ଆଦାନପ୍ରଦାନର ଏକ ପ୍ରମୁଖ ମାଧ୍ୟମ ଭାବେ କାର୍ଯ୍ୟ କରିଥିଲେ।”

​ଐତିହାସିକ ସମ୍ପର୍କକୁ ଆଧୁନିକ ବାଣିଜ୍ୟିକ ଏବଂ ସାଂସ୍କୃତିକ ସହଭାଗିତାରେ ପରିଣତ କରିବାର ସମ୍ଭାବନା ଉପରେ ଗୁରୁତ୍ୱ ଦେଇ ରାଷ୍ଟ୍ରପତି ଚଳିତ ବର୍ଷର ମେଳାରେ ଇଣ୍ଡୋନେସିଆର ସାଂସ୍କୃତିକ ଦଳଗୁଡ଼ିକର ଅଂଶଗ୍ରହଣକୁ ସ୍ୱାଗତ କରିଥିଲେ। ଇଣ୍ଡୋନେସିଆର ବାଲିଠାରେ ଏକକାଳୀନ ପାଳିତ ହେଉଥିବା ଦୁଇଦିନିଆ ‘ଓଡ଼ିଶା ଫେଷ୍ଟିଭାଲ’ ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ, ଯେଉଁଥିରେ ଓଡ଼ିଶାର ପାରମ୍ପରିକ ନୃତ୍ୟ, ସଙ୍ଗୀତ, ହସ୍ତତନ୍ତ, ହସ୍ତଶିଳ୍ପ ଏବଂ ବ୍ୟଞ୍ଜନ ପ୍ରଦର୍ଶିତ ହେଉଛି। ଏହା ଭାରତ-ଇଣ୍ଡୋନେସିଆ ସମ୍ପର୍କକୁ ଆହୁରି ଗଭୀର କରିବ ବୋଲି ସେ କହିଥିଲେ।

ଏଥି ସହିତ ଯୁବପିଢ଼ିଙ୍କୁ ନିଜ ଐତିହ୍ୟ ପାଇଁ ଗର୍ବ କରିବାକୁ ଆହ୍ୱାନ ଦେବା ସହିତ ରାଷ୍ଟ୍ରପତି ମୁର୍ମୁ ଭବିଷ୍ୟତମୁଖୀ କାର୍ଯ୍ୟ ପାଇଁ ଆହ୍ୱାନ କରିଥିଲେ। ସେ କହିଥିଲେ, ଅତୀତର ଗୌରବ ପାଇଁ ଗର୍ବ କରିବା ଏବଂ ଆମ ପର୍ବପର୍ବାଣି ପାଳନ କରିବା ଭଲ କଥା, କିନ୍ତୁ ବର୍ତ୍ତମାନକୁ ଗଢ଼ିବା ଏବଂ ଭବିଷ୍ୟତକୁ ଉଜ୍ଜ୍ୱଳ କରିବା ପାଇଁ ଆମକୁ ଅତୀତରୁ ପ୍ରେରଣା ନେବା ଉଚିତ। ସେ ଭାରତର ଯୁବପିଢ଼ିଙ୍କୁ ଓଡ଼ିଶାର ପ୍ରାଚୀନ ବଣିକମାନଙ୍କ ସାହସ, ଉଦ୍ୟମ ଏବଂ ଦକ୍ଷତାକୁ ଅନୁସରଣ କରିବାକୁ ଉତ୍ସାହିତ କରିଥିଲେ।

​ଓଡ଼ିଶାର ବିକାଶ ଧାରାକୁ ‘ବିକଶିତ ଭାରତ’ର ଜାତୀୟ ପରିକଳ୍ପନା ସହ ଯୋଡ଼ି ରାଷ୍ଟ୍ରପତି ଦର୍ଶାଇଥିଲେ ଯେ ବିଶ୍ୱସ୍ତରୀୟ ଅସ୍ଥିରତା ମଧ୍ୟରେ ଭାରତର ଅର୍ଥନୀତି ଉଲ୍ଲେଖନୀୟ ସ୍ଥିରତା ଏବଂ ଶକ୍ତି ପ୍ରଦର୍ଶନ କରିବା ଜାରି ରଖିଛି। ଏକ ଆକର୍ଷଣୀୟ ଶିଳ୍ପ କେନ୍ଦ୍ର ଭାବେ ଓଡ଼ିଶାର ଉତ୍ଥାନକୁ ନେଇ ଖୁସି ବ୍ୟକ୍ତ କରିବା ସହ ସେ ‘ବିକଶିତ ଓଡ଼ିଶା’ର ପରିକଳ୍ପନା ସାକାର ଦିଗରେ ଅର୍ଥନୈତିକ ଗତିକୁ ଆଗେଇ ନେଉଥିବାରୁ ରାଜ୍ୟର ଉଦ୍ୟୋଗୀ, ବୁଣାକାର, କାରିଗର ଏବଂ ଯୁବ ଉଦ୍ଭାବକମାନଙ୍କୁ ପ୍ରଶଂସା କରିଥିଲେ।

​ଆଠ ଦିନ ଧରି ଚାଲିବାକୁ ଥିବା ବାଲିଯାତ୍ରା ୨୦୨୬ କଟକର ଉପର ଓ ତଳ ବାଲିଯାତ୍ରା ପଡ଼ିଆରେ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ଓଡ଼ିଶା ତଥା ସହଯୋଗୀ ଅଞ୍ଚଳର ଲୋକକଳା ପ୍ରଦର୍ଶନ, ହସ୍ତଶିଳ୍ପ ଏବଂ ପାରମ୍ପରିକ ଖାଦ୍ୟ ପରମ୍ପରା ପ୍ରଦର୍ଶିତ ହେବ।

Leave a Reply

Your email address will not be published. Required fields are marked *