Pitabas Panda Murder Case: Odisha Govt Challenges Bikram Panda’s Bail in SC

ବ୍ରହ୍ମପୁରର ବହୁଚର୍ଚ୍ଚିତ ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ଅଡ଼ୁଆ ପୁଣି ବଢ଼ିଛି । ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରା ବିକ୍ରମ ପଣ୍ଡାଙ୍କୁ ମିଳିଥିବା ଜାମିନ ଆଦେଶକୁ ଚ୍ୟାଲେଞ୍ଜ କରି ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଦାଖଲ ହୋଇଥିବା ସ୍ୱତନ୍ତ୍ର ଲିଭ୍ ପିଟିସନ୍ (ଏସ୍‌ଏଲ୍‌ପି)ର ଶୁଣାଣି ଆସନ୍ତା ୨୭ ତାରିଖରେ ହେବା ପାଇଁ ତାଲିକାଭୁକ୍ତ ହୋଇଛି ।

ସୁପ୍ରିମକୋର୍ଟଙ୍କ ରେକର୍ଡ ଅନୁଯାୟୀ, ଓଡ଼ିଶା ସରକାର ଗତ ନଭେମ୍ବର ୭ ତାରିଖ ଅପରାହ୍ଣ ୨ଟା ୩୫ ମିନିଟ୍‌ରେ ଏହି ମାମଲା (ଡାଏରି ନମ୍ବର ୭୦୮୩୦/୨୦୨୬) ଦାଖଲ କରିଥିଲେ। ଗତ ନଭେମ୍ବର ୧୮ ତାରିଖରେ ଏହା ଏସ୍‌ଏଲ୍‌ପି (କ୍ରିମିନାଲ୍) ନମ୍ବର ୦୨୨୨୯୯/୨୦୨୬ ଭାବେ ପଞ୍ଜୀକୃତ ହୋଇଥିବା ବେଳେ ନଭେମ୍ବର ୨୦ ତାରିଖରେ ଏହାର ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି । ବର୍ତ୍ତମାନ ମାମଲାଟି ବିଚାରାଧୀନ ଅବସ୍ଥାରେ ରହିଛି ଏବଂ କମ୍ପ୍ୟୁଟର ଜେନେରେଟେଡ୍ ତାଲିକା ଅନୁସାରେ ନଭେମ୍ବର ୨୭ ତାରିଖରେ ଏହାର ଶୁଣାଣି ହେବାର ସମ୍ଭାବନା ରହିଛି । ଏହି ମାମଲାରେ ରାଜ୍ୟ ସରକାର ଆବେଦନକାରୀ ଥିବା ବେଳେ ବିକ୍ରମ ପଣ୍ଡା ଓରଫ୍ ବିକ୍ରମ କୁମାର ପଣ୍ଡା ଏବଂ ମୃତ ପୀତବାସ ପଣ୍ଡାଙ୍କ ଭାଇ ତଥା ଏତଲାକାରୀ ପୂର୍ଣ୍ଣଚନ୍ଦ୍ର ପଣ୍ଡାଙ୍କୁ ପ୍ରତିପକ୍ଷ କରାଯାଇଛି । ସୁପ୍ରିମକୋର୍ଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଇନଜୀବୀ ଆସ୍ଥା ସିଂହ ମାମଲା ପରିଚାଳନା କରୁଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ୨୦୨୫ ମସିହା ଅକ୍ଟୋବର ୬ ତାରିଖ ରାତିରେ ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ବୈକୁଣ୍ଠ ନଗରରେ ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏନେଇ ବୈଦ୍ୟନାଥପୁର ଥାନାରେ ମାମଲା (କେସ୍ ନମ୍ବର ୫୧୮) ରୁଜୁ ହୋଇଥିଲା । ଏହି ହତ୍ୟା ଷଡ଼ଯନ୍ତ୍ରରେ ସମ୍ପୃକ୍ତି ଅଭିଯୋଗରେ ପୁଲିସ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଗିରଫ କରିଥିଲା। ପୂର୍ବରୁ ଗଞ୍ଜାମ ଜିଲ୍ଲା ଅଦାଲତରେ ତାଙ୍କ ମାମଲା (ଜିଆର୍ ନମ୍ବର ୨୭୭୪/୨୦୨୫ ଏବଂ ବିଏ ନମ୍ବର ୧୩୦୯/୨୦୨୫)ର ଶୁଣାଣି ହୋଇ ଜାମିନ ଆବେଦନ ଖାରଜ ହୋଇଥିଲା ।

ପରେ ବିକ୍ରମ ପଣ୍ଡା ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ (ବିଏଲ୍‌ଏପିଏଲ୍ ନମ୍ବର ୧୩୮୬୦/୨୦୨୫) । ଗତ ଅଗଷ୍ଟ ୩୧ ତାରିଖରେ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଆଦିତ୍ୟ କୁମାର ମହାପାତ୍ର ଏହି ମାମଲାର ଶୁଣାଣି କରି ଗିରଫଦାରୀ ପ୍ରକ୍ରିୟାରେ ତ୍ରୁଟି ଥିବା ଦର୍ଶାଇ ବିକ୍ରମ ପଣ୍ଡାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ। ହାଇକୋର୍ଟଙ୍କ ଏହି ଆଦେଶ ବଳରେ ସେ ପ୍ରାୟ ୧୦ ମାସ ଜେଲ୍‌ରେ ରହିବା ପରେ ଗତ ସେପ୍ଟେମ୍ବର ୧ ତାରିଖରେ ବ୍ରହ୍ମପୁର ସର୍କଲ ଜେଲ୍‌ରୁ ମୁକୁଳିଥିଲେ । ଏବେ ହାଇକୋର୍ଟଙ୍କ ଉକ୍ତ ରାୟ ବିରୋଧରେ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଅପିଲ୍ କରିଥିବାରୁ ଆସନ୍ତା ୨୭ ତାରିଖର ଶୁଣାଣି ଉପରେ ସମସ୍ତଙ୍କ ନଜର ରହିଛି ।

By Nirvay

Leave a Reply

Your email address will not be published. Required fields are marked *