ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡାଠାରେ ଚାଲିଥିବା ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ ସମୟରେ ଏକ ଅଭାବନୀୟ ଓ ଦୁଃଖଦ ଘଟଣା ଘଟିଯାଇଛି। ଯାତ୍ରା ଚାଲିଥିବା ବେଳେ ହାତୀ ଆକ୍ରମଣରେ ଜଣେ ମାହୁନ୍ତଙ୍କ ପ୍ରାଣହାନି ଘଟିଛି। ମୃତକ ଜଣକ ଉତ୍ତର ପ୍ରଦେଶ ଆହ୍ଲାବାଦ ଅଞ୍ଚଳର କଳ୍ପନା ଦୁବେ ବୋଲି ଜଣାପଡ଼ିଛି। ବଙ୍ଗୋମୁଣ୍ଡା ଧନୁଯାତ୍ରାରେ ହାତୀର ଏକ ସ୍ୱତନ୍ତ୍ର ଆକର୍ଷଣ ଓ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ। ପରମ୍ପରା ମୁତାବକ, ମହାରାଜ କଂସ ହାତୀ ପିଠିରେ ବସି ବିରାଟ ପଟୁଆରରେ ନଗର ପରିକ୍ରମା କରିବା ପରେ ରାଜଦରବାର ବା ଯାତ୍ରା ମଞ୍ଚକୁ ପ୍ରବେଶ କରନ୍ତି। ଏହି ପରମ୍ପରାକୁ ବଜାୟ ରଖିବା ପାଇଁ ମାହୁନ୍ତ କଳ୍ପନା ଦୁବେ ନିଜ ହାତୀକୁ ଧରି ସୁଦୂର ଆହ୍ଲାବାଦରୁ ବଙ୍ଗୋମୁଣ୍ଡା ଆସିଥିଲେ। ତେବେ ଉତ୍ସବ ଚାଲିଥିବା ବେଳେ କୌଣସି କାରଣବଶତଃ ହାତୀଟି ହଠାତ୍ ଉଗ୍ର ରୂପ ଧାରଣ କରି ନିଜ ମାହୁନ୍ତଙ୍କୁ ଆକ୍ରମଣ କରିଥିଲା। ହାତୀ ଆକ୍ରମଣରେ କଳ୍ପନା ଗୁରୁତର ଭାବେ ଆହତ ହୋଇ ତଳେ ପଡ଼ିଯାଇଥିଲେ। ଏହି ଅଚାନକ ଘଟଣାରେ ଯାତ୍ରା ପଡ଼ିଆରେ ଉପସ୍ଥିତ ଥିବା ହଜାର ହଜାର ଦର୍ଶକଙ୍କ ମଧ୍ୟରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି ହୋଇଥିଲା। ସ୍ଥାନୀୟ ଲୋକେ ଓ ଆୟୋଜକମାନେ ତୁରନ୍ତ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପ୍ରଥମେ ବଙ୍ଗୋମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ତାଙ୍କୁ ତୁରନ୍ତ କଣ୍ଟାବାଞ୍ଜି ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଦୁର୍ଭାଗ୍ୟବଶତଃ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଯେଉଁ ହାତୀକୁ ସେ ନିଜ ସନ୍ତାନ ଭଳି ପାଳି ଦୂରରୁ ନେଇ ଆସିଥିଲେ, ସେହି ହାତୀ ଆକ୍ରମଣରେ ତାଙ୍କର ମୃତ୍ୟୁ ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳାଇ ଦେଇଛି। ଧନୁଯାତ୍ରାର ହସଖୁସି ଓ ଉତ୍ସବମୁଖର ପରିବେଶ ଏବେ ଶୋକାକୁଳ ହୋଇପଡ଼ିଛି। ଅନ୍ୟପଟେ, ଶାନ୍ତ ଥିବା ହାତୀଟି ହଠାତ୍ କାହିଁକି ହିଂସ୍ର ହୋଇଉଠିଲା, ସେ ନେଇ ବନ ବିଭାଗ ଏବଂ ବଙ୍ଗୋମୁଣ୍ଡା ପୋଲିସ ମିଳିତ ଭାବେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। Post navigation CM Mohan Majhi Arrives in Ganjam: ବାତ୍ୟା କ୍ଷତି ଆକଳନ ପାଇଁ ଗଞ୍ଜାମରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ बिसलेरी समेत 5 कंपनियों पर FSSAI ने मुकदमे की दी मंजूरी; 2 के लाइसेंस रद