ବୈଷୟିକ ତ୍ରୁଟି ଯୋଗୁଁ ଦୀର୍ଘ ମାସ ଧରି ଭତ୍ତା ପାଇବାରୁ ବଞ୍ଚିତ ହୋଇଥିବା ରାଜ୍ୟର ହଜାର ହଜାର ହିତାଧିକାରୀଙ୍କ ପାଇଁ ଏକ ବଡ଼ ଖୁସି ଖବର ଆସିଛି। ଚଳିତ ନଭେମ୍ବର ମାସ ଶେଷ ସୁଦ୍ଧା ସେମାନଙ୍କର ସମସ୍ତ ବକେୟା ଭତ୍ତା ପ୍ରଦାନ କରାଯିବ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି।

​ବିଧାନସଭାର ପ୍ରଶ୍ନକାଳ ସମୟରେ ବିଧାୟକ ଗଣେଶ୍ୱର ବେହେରା ରାଜ୍ୟର ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କର ଜିଲ୍ଲାୱାରୀ ଓ ବର୍ଗୱାରୀ ତଥ୍ୟ ସହ ସେମାନଙ୍କ ବ୍ୟାଙ୍କ ଖାତାକୁ ଭତ୍ତା ଟଙ୍କା ନଯିବା ସମ୍ପର୍କରେ ପ୍ରଶ୍ନ କରିଥିଲେ। ଏଥିସହ କେତେଜଣ ହିତାଧିକାରୀ ଏଥିରେ ପ୍ରଭାବିତ ହୋଇଛନ୍ତି, କେତେ ଦିନ ଧରି ଏହି ବିଳମ୍ବ ହୋଇଛି ଏବଂ କେବେ ସୁଦ୍ଧା ଟଙ୍କା ମିଳିବ ସେ ନେଇ ସେ ମନ୍ତ୍ରୀଙ୍କଠାରୁ ଉତ୍ତର ଲୋଡ଼ିଥିଲେ।

ଏହାର ଉତ୍ତରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ଯେ, ରାଜ୍ୟରେ ଇନ୍ଦିରାଗାନ୍ଧୀ ଜାତୀୟ ଭତ୍ତା ଯୋଜନାରେ ସମୁଦାୟ ୨୦ ଲକ୍ଷ ୩୩ ହଜାର ୯ ଶହ ୫୯ ଜଣ ହିତାକାରୀ ଅଛନ୍ତି, ସେମାନଙ୍କ ମଧ୍ୟରୁ ବିଭିନ୍ନ ବୈଷୟିକ ତ୍ରୁଟି ଯେପରିକି ହିତାଧୁକାରୀଙ୍କ ବ୍ୟାଙ୍କ ଆକାଉଣ୍ଟ ଓ ଆଧାର ଲିଙ୍କ ସମସ୍ୟା ଯୋଗୁଁ ୭ ହଜାର ୯ ଶହ ୧୮ ହିତାଧୁକାରୀଙ୍କ ଗତ ଏପ୍ରିଲ ମାସଠାରୁ ବିଭିନ୍ନ ମାସରେ ବ୍ୟାଙ୍କ ଆକାଉଣ୍ଟରେ ଭତ୍ତା ପାଇପାରିନଥିବା କଥା ସରକାରଙ୍କ ଅବଗତିରେ ଅଛି ।

ଏଥିପାଇଁ ରାଜ୍ୟ କେନ୍ଦ୍ର ସରକାର ଏବଂ ଟ୍ରେଜେରୀ କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ ରକ୍ଷା କରି ରାଜ୍ୟ ସରକାର ଏହି ସମସ୍ୟାର ସମାଧାନ ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି।

​ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ, ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଭତ୍ତା ପାଇବାରୁ ବଞ୍ଚିତ ହୋଇଥିବା ହିତାଧିକାରୀମାନେ ଯେପରି ନଭେମ୍ବର ମାସ ଶେଷ ସୁଦ୍ଧା ସେମାନଙ୍କର ନିୟମିତ ଭତ୍ତା ସହିତ ବକେୟା ଅର୍ଥ ପାଇପାରିବେ, ସେଥିପାଇଁ ପଦକ୍ଷେପ ନିଆଯାଉଛି। ଯୋଗ୍ୟ ହିତାଧିକାରୀମାନଙ୍କୁ ବିନା କୌଣସି ବିଳମ୍ବରେ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ସରକାର ସମସ୍ତ ଯାନ୍ତ୍ରିକ ପ୍ରତିବନ୍ଧକ ଦୂର କରିବାକୁ କାର୍ଯ୍ୟ କରୁଛନ୍ତି।

Leave a Reply

Your email address will not be published. Required fields are marked *