ଜମି ପଞ୍ଜୀକରଣ ଏବଂ ବିକ୍ରୟନାମା ପ୍ରଦାନ ବଦଳରେ ଲାଞ୍ଚ ନେବା ଅଭିଯୋଗରେ ଗିରଫ ହୋଇଥିବା ବାଲେଶ୍ବର ଜିଲ୍ଲା ବାଲିଆପାଳର ସବ୍-ରେଜିଷ୍ଟ୍ରାର ମନିଷା ମିଶ୍ରଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏନେଇ ଏକ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ସୂଚନା ଅନୁଯାୟୀ, ଅଭିଯୋଗକାରୀ ଜ୍ଞାନରଞ୍ଜନ ପାତ୍ରଙ୍କଠାରୁ ଜମି ପଞ୍ଜୀକରଣ ଏବଂ ସେଲ୍ ଡିଡ୍ ପ୍ରଦାନ ପାଇଁ ମନିଷା ମିଶ୍ର ୭,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ ଏବଂ ଗ୍ରହଣ କରିବା ସମୟରେ ବାଲେଶ୍ୱର ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଥିଲେ। ଏହାପରେ ବାଲେଶ୍ୱର ଭିଜିଲାନ୍ସ ଥାନାରେ ପିସି ସଂଶୋଧନ ଆଇନ, ୨୦୧୮ ଅନୁଯାୟୀ ମାମଲା ରୁଜୁ କରାଯାଇ ଗତ ନଭେମ୍ବର ୭, ୨୦୨୬ ତାରିଖରେ ତାଙ୍କୁ ଗିରଫ କରାଯାଇଥିଲା। ଗିରଫ ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା ଏବଂ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସେ ନଭେମ୍ବର ୨୦, ୨୦୨୬ ପର୍ଯ୍ୟନ୍ତ ଜେଲ୍ ହାଜତରେ ଅଛନ୍ତି। ମନୀଷା ମିଶ୍ର ୨୦୨୪ ମସିହାରେ ଚାକିରିରେ ଯୋଗ ଦେଇଥିଲେ। ସେ ବର୍ତ୍ତମାନ ପ୍ରୋବେସନ୍ ଅବଧିରେ ଥିବାବେଳେ ବାଲିଆପାଳରେ ସବ୍-ରେଜିଷ୍ଟ୍ରାର ଭାବେ ନିଯୁକ୍ତ ହୋଇଥିଲେ। ମନିଷା ମିଶ୍ର ଓଡ଼ିଶା ରାଜସ୍ୱ ସେବା (ଓ.ଆର୍.ଏସ୍.) ଗ୍ରୁପ୍-ବି ର ପ୍ରୋବେସନାରୀ ଅଧିକାରୀ ଥିବାରୁ ତାଙ୍କର ପ୍ରୋବେସନ ଅବଧି ଏଯାଏଁ ଶେଷ ହୋଇନଥିଲା। ତାଙ୍କର ଏଭଳି ଦୁର୍ନୀତିଗ୍ରସ୍ତ ଆଚରଣ ଓଡ଼ିଶା ସରକାରୀ କର୍ମଚାରୀ ଆଚରଣ ବିଧି, ୧୯୫୯ର ସିଧାସଳଖ ଉଲ୍ଲଂଘନ ଅଟେ। ଭିଜିଲାନ୍ସ ବିଭାଗର ରିପୋର୍ଟ ଏବଂ ତାଙ୍କ ବିରୋଧରେ ଥିବା ଅଭିଯୋଗର ଗାମ୍ଭୀର୍ଯ୍ୟକୁ ବିଚାର କରି ସରକାର ତାଙ୍କୁ ଚାକିରିରେ ଜାରି ରଖିବା ଜନସ୍ୱାର୍ଥ ବିରୋଧୀ ବୋଲି ମତ ଦେଇଛନ୍ତି। ତେଣୁ ରାଜ୍ୟପାଳଙ୍କ ନିର୍ଦ୍ଦେଶକ୍ରମେ ଉପଯୁକ୍ତ ନିୟମ ଅନୁଯାୟୀ ତାଙ୍କ ସେବାକୁ ତତକ୍ଷଣାତ ପ୍ରଭାବରୁ ସମାପ୍ତ କରାଯାଇ ଚାକିରିରୁ ବରଖାସ୍ତ କରାଯାଇଥିବା ନେଇ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି। Post navigation Madhu Babu Pension Scheme: ବାଲେଶ୍ବରରେ ଭତ୍ତା ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ; ୫ ଲକ୍ଷରୁ ଅଧିକ ହିତାଧିକାରୀ ଉପକୃତ