ଅଦ୍ଭୁତପୂର୍ବ ପ୍ରାକୃତିକ ଦୁର୍ବିପାକ ଓ ବିପର୍ଯ୍ୟୟର ଶିକାର ହୋଇ ଗଂଜାମବାସୀ ଦୁଃଖ ଦୁର୍ଦ୍ଦଶାରେ ଥିଲେ । ସ୍ଥାନୀୟ ବିଧାୟକ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଭାବେ ନବୀନ ବାବୁଙ୍କୁ ଏହି ଦୁର୍ଦ୍ଦିନରେ ଅପେକ୍ଷା କରି ରହିଥିଲେ ହିଞ୍ଜିଳିବାସୀ । ଚିରାଚରିତ ଭାବେ ବର୍ଷ ବର୍ଷ ଧରି ହିଞ୍ଜିଳିବାସୀଙ୍କୁ ଧୋକା ଦେଇ ଆସୁଥିବା ନବୀନ ବାବୁ ପୁଣି ଥରେ ଧୋକା ଦେଲେ । ୨୦୨୪ ସାଧାରଣ ନିର୍ବାଚନ ଶେଷ ହେବାର ଦୀର୍ଘ ଅଢେଇ ବର୍ଷ ପରେ ପ୍ରଥମ ଥର ପାଇଁ ନବୀନ ବାବୁ ନିଜ ଅଞ୍ଚଳ ଗସ୍ତ କରିଥିଲେ । ଯଦିଓ ବାଧ୍ୟବାଧକତାରେ ଗଲେ, ତାହା ପୁଣି ବନ୍ୟାଜନିତ କଷ୍ଟ ସମୟରେ ନୁହେଁ ବରଂ ବନ୍ୟା ଛାଡିବା ପରେ ଗଣାମାଧ୍ୟମକୁ ବିଭ୍ରାନ୍ତିକର ମନ୍ତବ୍ୟ ଦେଇ ନିଜ ଦୋଷ ଓ ଦୁର୍ବଳତାକୁ ଘୋଡାଇବାର ଅପଚେଷ୍ଟା କରିଥିଲେ । ଏହା ଥିଲା ଅଂଚଳବାସୀଙ୍କ ପାଇଁ ଉପହାସ । ବାସ୍ତବରେ ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକଙ୍କ ଗଞ୍ଜାମ ଗସ୍ତ ବିଜେଡିର ପ୍ରାୟୋଜିତ କର୍ମୀ ସମାବେଶ ଥିଲା ବୋଲି ରାଜ୍ୟ ସାଧାରଣ ସଂପାଦକ ବିରଂଚି ନାରାୟଣ ତ୍ରିପାଠୀ କହିଛନ୍ତି । ଗଞ୍ଜାମ ଜିଲ୍ଲାରୁ ନିର୍ବାଚିତ ବିଜେପିର ୧୧ ଜଣ ବିଧାୟକ (ଯେଉଁଥିରୁ ୨ ଜଣ ମନ୍ତ୍ରୀ) ଓ ୨ ଜଣ ସାଂସଦ ନିରନ୍ତର ଭାବେ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟର ପ୍ରତ୍ୟକ୍ଷ ତଦାରଖ କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜସ୍ୱ ମନ୍ତ୍ରୀ ସୁରେଶ ପୁଜାରୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ରାଜ୍ୟ ପ୍ରଭାରୀ ଡି. ପୁରୁନ୍ଦେଶ୍ୱରୀଙ୍କ ସମେତ ପାର୍ଟିର ବରିଷ୍ଠ ନେତୃବୃନ୍ଦମାନେ କ୍ଷତିଗ୍ରସ୍ତ ଅଂଚଳ ଗସ୍ତ କରି ଦୁଃଖଦୁର୍ଦ୍ଦଶାରେ ଛିଡା ହୋଇଥିଲେ । ଏପରିକି ରାଜ୍ୟ ସରକାରଙ୍କ ଏହି କାର୍ଯ୍ୟକୁ ଗଞ୍ଜାମ ଜିଲ୍ଲାରୁ ନିର୍ବାଚିତ ହୋଇଥିବା ଏକମାତ୍ର କଂଗ୍ରେସ ବିଧାୟକ ଭୁୟସୀ ପ୍ରଶଂସା କରିଥିଲେ । ମାତ୍ର ଗଞ୍ଜାମ ଜିଲ୍ଲାରୁ ନିର୍ବାଚିତ ଏକମାତ୍ର ବିଜେଡି ବିଧାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ବାବୁ ଦୀର୍ଘ ୧୦ ଦିନ ଧରି କୁଆଡ଼େ ଯାଇଥିଲେ ବୋଲି ଶ୍ରୀ ତ୍ରିପାଠୀ ପ୍ରଶ୍ନ କରିଛନ୍ତି । ଅପର ପକ୍ଷରେ ନବୀନ ବାବୁଙ୍କ ଗସ୍ତ ପୂର୍ବରୁ ପରିଚୟ ସଂକଟର ସମ୍ମୁଖୀନ ହୋଇଥିବା ବିଜେଡିର ଛାମୁଆଁ ନେତାମାନେ ଗଞ୍ଜାମ ଯାଇ ପ୍ରପୀଡିତ ଜନସାଧାରଣମାନଙ୍କ ସମସ୍ୟା ବୁଝିବା ପରିବର୍ତ୍ତେ ପ୍ରାୟୋଜିତ କର୍ମୀ ସମାବେଶ ପ୍ରସ୍ତୁତିରେ ଲାଗି ପଡିଥିଲେ, ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି । Post navigation Odisha Govt Scraps “Death Vacancy” Rule: ଡେଥ ଭ୍ୟାକାନ୍ସିର ଯୁଗ ଶେଷ: ୫ ଲକ୍ଷରୁ ଊର୍ଦ୍ଧ୍ୱ ନୂତନ ହିତାଧିକାରୀ ପାଇବେ ଭତ୍ତା: ଅନୀଲ ବିଶ୍ୱାଳ