ଦିଲ୍ଲୀରେ ଗର୍ଜିବାକୁ ପ୍ରସ୍ତୁତ ହୋଇଛି ଓଡ଼ିଶା କଂଗ୍ରେସ। ରାଜ୍ୟର ସମସ୍ତ ବରିଷ୍ଠ କଂଗ୍ରେସ ନେତା ଓ ବିଧାୟକମାନଙ୍କୁ ଦିଲ୍ଲୀରୁ ଜରୁରୀ ଡକରା ଆସିଥିବା ବେଳେ ଆଜି ହିଁ ସେଠାରେ ପହଞ୍ଚିବା ପାଇଁ କଡ଼ା ନିର୍ଦ୍ଦେଶ ରହିଛି। ଏ ନେଇ ଆଜି ସୂଚନା ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ସିଂହ ସାଲୁଜା ।

ସେ କହିଛନ୍ତି ନେତାମାନେ ରବିବାର ରାତିରେ ଜାତୀୟ ରାଜଧାନୀ ଅଭିମୁଖେ ବାହାରି ସୋମବାର ସକାଳେ ଦିଲ୍ଲୀରେ ପହଞ୍ଚିବେ ଏବଂ ପ୍ରତିବାଦ କାର୍ଯ୍ୟକ୍ରମରେ ଯୋଗଦେବେ।କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଅନୁଷ୍ଠିତ ହେବାକୁ ଥିବା ଏହି ବିକ୍ଷୋଭ ସମାବେଶରେ ମେଣ୍ଟର ସମସ୍ତ ସହଯୋଗୀ ଦଳର ପ୍ରତିନିଧିମାନେ ଏକାଠି ହୋଇ ନିର୍ବାଚନ ପରିଚାଳନାରେ ସ୍ୱଚ୍ଛତା ଓ ସାମ୍ବିଧାନିକ ଉତ୍ତରଦାୟିତ୍ୱ ଦାବି କରିବେ। ଗଣତାନ୍ତ୍ରିକ ବ୍ୟବସ୍ଥାରେ ସାଧାରଣ ନାଗରିକଙ୍କ ଆସ୍ଥା ବଜାୟ ରଖିବା ପାଇଁ ଏହି ଲଢ଼େଇକୁ ଆହୁରି ଜୋରଦାର କରାଯିବ ବୋଲି ନେତୃବୃନ୍ଦ ଚେତାବନୀ ଦେଇଛନ୍ତି।

ସୂଚନା ଅନୁଯାୟୀ, ଅକ୍ଟୋବର ୧୨ ତାରିଖରେ ନୂଆଦିଲ୍ଲୀରେ ଏକ ବିଶାଳ ପ୍ରତିବାଦ ଶୋଭାଯାତ୍ରା ଆୟୋଜିତ ହେବାକୁ ଯାଉଥିବା ବେଳେ ଏଥିରେ ଓଡ଼ିଶା କଂଗ୍ରେସର ବରିଷ୍ଠ ନେତୃବୃନ୍ଦ ସାମିଲ ହେବେ। ପ୍ରଦେଶ କଂଗ୍ରେସ କମିଟି (OPCC) ସଭାପତି ଭକ୍ତ ଚରଣ ଦାସଙ୍କ ପ୍ରତ୍ୟକ୍ଷ ନେତୃତ୍ୱରେ ଓଡ଼ିଶାର କଂଗ୍ରେସ ବିଧାୟକ, ସାଂସଦ ଏବଂ ଦଳର ଅନେକ ପ୍ରମୁଖ କର୍ମକର୍ତ୍ତା ଏହି ଦିଲ୍ଲୀ ଚଲୋ ଆନ୍ଦୋଳନରେ ଅଂଶଗ୍ରହଣ କରିବେ।

ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟରୁ ଏକ ଶହରୁ ଅଧିକ ନେତା ଯୋଗଦେବେ ବୋଲି ଜଣାପଡ଼ିଛି ।

 

Leave a Reply

Your email address will not be published. Required fields are marked *