ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜଷ୍ଟିସ ନାଇଡୁ କମିଶନ ତଦନ୍ତ ଫାଇଲ ନିଖୋଜ ହେବା ଘଟଣାକୁ ନେଇ ରାଜ୍ୟରେ ରାଜନୈତିକ ଏବଂ ପ୍ରଶାସନିକ ସ୍ତରରେ ତୀବ୍ର ଚର୍ଚ୍ଚା ଜାରି ରହିଛି। ପୋଲିସ ଏବଂ କ୍ରାଇମବ୍ରାଞ୍ଚ ଦୀର୍ଘ ଚାରି ମାସ ଧରି ଉଦ୍ୟମ ଚଳାଇଥିଲେ ବି ଏପର୍ଯ୍ୟନ୍ତ କୌଣସି ପ୍ରତ୍ୟକ୍ଷ ସୁରାକ ପାଇବାରେ ସଫଳ ହୋଇନାହାନ୍ତି। ଏହି ମାମଲାରେ କ୍ରାଇମବ୍ରାଞ୍ଚ ନିକଟରେ ସମନ ଜାରି କରାଯାଇଥିବା ୩ ଜଣ ବ୍ୟକ୍ତିଙ୍କ ବୟାନ ରେକର୍ଡ କରିଛି।

ସୂଚନା ଅନୁଯାୟୀ;

ଗତ ଜୁନ୍ ୧୦ ତାରିଖରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାକାଣ୍ଡ ଏବଂ ୨୦୦୮ କନ୍ଧମାଳ ଦଙ୍ଗା ସମ୍ପର୍କିତ ନିଷ୍କର୍ଷ ରହିଥିବା ଏହି ଫାଇଲଟି ଗାଏବ ହୋଇଥିବା ନେଇ ଗୃହ ବିଭାଗ ପକ୍ଷରୁ କ୍ୟାପିଟାଲ ଥାନାରେ ଏଫଆଇଆର ରୁଜୁ କରାଯାଇଥିଲା। ଏହା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜୁଲାଇ ୨୮ ତାରିଖରେ ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଥିଲେ।

ତଦନ୍ତରୁ ଜଣାପଡ଼ିଛି ଯେ ନାଇଡୁ କମିଶନଙ୍କ ଦ୍ୱାରା ପ୍ରସ୍ତୁତ ରିପୋର୍ଟ ସଫଳତାର ସହ ଗୃହ ବିଭାଗରେ ପହଞ୍ଚିଥିଲା। ତେବେ ସେଠାରେ ପହଞ୍ଚିବା ପରେ ଏହି ଗୁରୁତ୍ୱପୂର୍ଣ୍ଣ ଫାଇଲ୍ କୁଆଡ଼େ ଗଲା, ସେ ନେଇ ବର୍ତ୍ତମାନ ସୂଚାରୁ ରୂପେ ଛାନଭିନ୍ ଚାଲିଛି।

ବର୍ତ୍ତମାନ ପର୍ଯ୍ୟନ୍ତ ଏହାକୁ କେବଳ ଫାଇଲ୍ ହଜିବା ଘଟଣା ଭାବେ ଗ୍ରହଣ କରି କ୍ରାଇମବ୍ରାଞ୍ଚ ନିଜର ଆଇନଗତ କାର୍ଯ୍ୟାନୁଷ୍ଠାନ ଆଗେଇ ନେଉଛି। ସମ୍ପୂର୍ଣ୍ଣ ତଦନ୍ତ ପ୍ରକ୍ରିୟା ଶେଷ ନ ହେବା ଯାଏଁ ଏହାକୁ ଚୋରି ବୋଲି ଆଖ୍ୟା ଦେବା ଆଦୌ ଗ୍ରହଣୀୟ ନୁହେଁ ବୋଲି କ୍ରାଇମବ୍ରାଞ୍ଚ ସ୍ପଷ୍ଟ ଭାବେ ଜଣାଇଛି।

Leave a Reply

Your email address will not be published. Required fields are marked *