ଦୀର୍ଘ ୮ ବର୍ଷର ଲମ୍ବା ଅପେକ୍ଷାର ଅନ୍ତ ଘଟାଇ ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପୁଣି ଥରେ ଫେରୁଛି ଛାତ୍ର ସଂସଦ ନିର୍ବାଚନ ସରଗରମ। ଆସନ୍ତା ଅକ୍ଟୋବର ୧୫ ତାରିଖରେ ରାଜ୍ୟର ସମସ୍ତ ସରକାରୀ ଏବଂ ଅନୁଦାନପ୍ରାପ୍ତ ଡିଗ୍ରୀ କଲେଜଗୁଡ଼ିକରେ ମତଦାନ ଅନୁଷ୍ଠିତ ହେବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ କ୍ୟାମ୍ପସ ନିର୍ବାଚନ ପୁନଃଆରମ୍ଭ କରିବା ପାଇଁ ଏହି ବଡ଼ ନିଷ୍ପତ୍ତି ନିଆଯାଇଛି।

ଏହି ବହୁ ପ୍ରତୀକ୍ଷିତ ନିର୍ବାଚନୀ ପ୍ରକ୍ରିୟା ଅକ୍ଟୋବର ୭ ତାରିଖରେ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ ପାଇବା ସହ ଆରମ୍ଭ ହେବ। ପ୍ରାର୍ଥୀପତ୍ର ଦାଖଲ, ପ୍ରାର୍ଥୀପତ୍ର ଯାଞ୍ଚ ଏବଂ ବୈଧ ପ୍ରାର୍ଥୀ ତାଲିକା ପ୍ରକାଶ ପ୍ରକ୍ରିୟା ଅକ୍ଟୋବର ୯ ତାରିଖରେ ସମ୍ପାଦିତ ହେବାକୁ ଥିବା ବେଳେ, ୧୦ ଅପରାହ୍ନ ୧ଟା ଭିତରେ ନାମାଙ୍କନ ପ୍ରତ୍ୟାହାର, ୩ଟାରେ ଚୂଡ଼ାନ୍ତ ତାଲିକ ପ୍ରକାଶ ପାଇବା। ସେହିପରି ମତଦାନ ପୂର୍ବରୁ ଅକ୍ଟୋବର ୧୪ ତାରିଖରେ “ହ୍ବାଏ ଆଇ ଷ୍ଟାଣ୍ଡ୍‌ ଫର୍‌” ବୈଠକ ଅନୁଷ୍ଠିତ ହେବ, ଯେଉଁଥିରେ ପ୍ରାର୍ଥୀମାନେ ନିଜ ନିଜର ଆଭିମୁଖ୍ୟ ଉପସ୍ଥାପନ କରିବାର ସୁଯୋଗ ପାଇବେ। ଅକ୍ଟୋବର ୧୫ ତାରିଖ ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ କରାଯାଇ ସେହିଦିନ ହିଁ ଗଣତି ସହ ଫଳାଫଳ ଘୋଷଣା କରାଯିବ। ନିର୍ବାଚିତ ପ୍ରାର୍ଥୀମାନେ ଅକ୍ଟୋବର ୧୬ ତାରିଖରେ ଶପଥ ଗ୍ରହଣ କରିବେ।

କ୍ୟାମ୍ପସଗୁଡ଼ିକରେ ଶାନ୍ତିଶୃଙ୍ଖଳା ଓ ସ୍ୱଚ୍ଛତା ବଜାୟ ରଖିବା ପାଇଁ ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ କଡ଼ା କଟକଣା ଜାରି କରାଯାଇଛି। ନିର୍ବାଚନରେ କୌଣସି ପ୍ରକାର ରାଜନୈତିକ ଦଳୀୟ ସମ୍ପୃକ୍ତିକୁ ସମ୍ପୂର୍ଣ୍ଣ ବାରଣ କରାଯିବା ସହ କେବଳ ନିୟମିତ ଛାତ୍ରଛାତ୍ରୀମାନଙ୍କୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଅନୁମତି ଦିଆଯାଇଛି। ପିପିପି ମୋଡ୍‌ରେ ଚାଲୁଥିବା ସେଲ୍ଫ ଫାଇନାନ୍ସିଂ କୋର୍ସର ଛାତ୍ରଛାତ୍ରୀ ଏଥିରେ ଭୋଟର କିମ୍ବା ପ୍ରାର୍ଥୀ ହୋଇପାରିବେ ନାହିଁ।

​ପ୍ରାର୍ଥୀତ୍ୱ ପାଇଁ ଯୁକ୍ତ ୩ ଛାତ୍ରଛାତ୍ରୀଙ୍କ ବୟସ ୧୭ରୁ ୨୨ ବର୍ଷ ଏବଂ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କ ବୟସ ସର୍ବାଧିକ ୨୫ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ପ୍ରାର୍ଥୀଙ୍କର କୌଣସି ବ୍ୟାକ୍‌ଲେଗ୍‌ ଥିଲେ ସେମାନେ ନିର୍ବାଚନ ଲଢ଼ିପାରିବେ ନାହିଁ ଏବଂ ସେମାନଙ୍କର ଅତିକମରେ ୭୫% ଉପସ୍ଥାନ ରହିବା ବାଧ୍ୟତାମୂଳକ କରାଯାଇଛି। ଜଣେ ଛାତ୍ର କର୍ମକର୍ତ୍ତା ପଦବୀ ପାଇଁ ଥରେ ଏବଂ କାର୍ଯ୍ୟକାରୀ ସଦସ୍ୟ ପାଇଁ ଦୁଇଥର ନିର୍ବାଚନ ଲଢ଼ିବାକୁ ସୁଯୋଗ ପାଇବେ।

ଏହାସହିତ ନିର୍ବାଚନୀ ଖର୍ଚ୍ଚର ସର୍ବାଧିକ ସୀମା ୫,୦୦୦ ଟଙ୍କା ଧାର୍ଯ୍ୟ କରାଯିବା ସହ ପ୍ରଚାର ପାଇଁ ଗାଡ଼ି, ଲାଉଡସପିକର, ଛାପା ପୋଷ୍ଟର ଏବଂ ସୋସିଆଲ ମିଡିଆରେ ଭ୍ରାନ୍ତିକର ତଥ୍ୟ ବ୍ୟବହାର ଉପରେ କଡ଼ା କଟକଣା ଲଗାଯାଇଛି। ନିର୍ବାଚନକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ପ୍ରତ୍ୟେକ ଅନୁଷ୍ଠାନରେ ଅଭିଯୋଗ ପ୍ରଶମନ ସେଲ୍‌ ଗଠନ ସହ ଜିଲ୍ଲା ନୋଡାଲ ଅଫିସରମାନଙ୍କୁ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

୨୦୧୭ରେ ଶେଷଥର ପାଇଁ ହୋଇଥିଲା ଛାତ୍ର ସଂସଦ ନିର୍ବାଚନ । ଦୀର୍ଘ ଦିନର ବ୍ୟବଧାନ ପରେ ପୁଣିଥରେ କ୍ୟାମ୍ପସଗୁଡ଼ିକରେ ଗଣତାନ୍ତ୍ରିକ ପ୍ରକ୍ରିୟା ଫେରୁଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବ୍ୟାପକ ଉତ୍ସାହ ଓ ଚହଳ ଦେଖିବାକୁ ମିଳିଛି। ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ଭାବେ ନିର୍ବାଚନ ପ୍ରକ୍ରିୟା ଶେଷ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ଏବଂ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ଆବଶ୍ୟକୀୟ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

Leave a Reply

Your email address will not be published. Required fields are marked *