ରାଜ୍ୟବାସୀଙ୍କୁ ଲାଗିବାକୁ ଯାଉଛି ମହଙ୍ଗା ମାଡ଼ । ଆସନ୍ତା ଅକ୍ଟୋବର ୪ ତାରିଖରୁ ଓଡ଼ିଶାରେ ଓମ୍ଫେଡ୍ କ୍ଷୀରର ଦର ବୃଦ୍ଧି ପାଇବାକୁ ଯାଉଛି । ଓମ୍ଫେଡ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବିଭିନ୍ନ ବର୍ଗର କ୍ଷୀର ପ୍ୟାକେଟ୍ ଉପରେ ଦର ବୃଦ୍ଧି ନେଇ ଘୋଷଣା କରାଯାଇଛି। ଯାହା ଫଳରେ ସକାଳର ନିତ୍ୟ ଆବଶ୍ୟକ କ୍ଷୀର ପ୍ୟାକେଟ୍ ପାଇଁ ଗ୍ରାହକଙ୍କୁ ପୂର୍ବ ଅପେକ୍ଷା ଅଧିକ ଟଙ୍କା ଗଣିବାକୁ ପଡ଼ିବ । ଏହି ନୂତନ ଦର ଲାଗୁ ହେବା ପରେ ଟୋନ୍ଡ୍, ପ୍ରିମିୟମ୍ ଏବଂ ଗୋଲ୍ଡ ପ୍ଲସ୍ ଭଳି ବିଭିନ୍ନ ପ୍ରକାରର କ୍ଷୀର ଲିଟର ପିଛା ୨ ଟଙ୍କାରୁ ୪ ଟଙ୍କା ପର୍ଯ୍ୟନ୍ତ ମହଙ୍ଗା ହୋଇଯିବ । ସୂଚନା ଅନୁଯାୟୀ, ଗ୍ରାହକଙ୍କ ଦ୍ୱାରା ବହୁଳ ଭାବରେ ବ୍ୟବହୃତ ହେଉଥିବା ଟୋନ୍ଡ୍ କ୍ଷୀରର ଦରରେ ସବୁଠାରୁ ଅଧିକ ବୃଦ୍ଧି ଘଟିଛି । ଲିଟର ପିଛା ୪ ଟଙ୍କା ବୃଦ୍ଧି ପାଇ ଏହାର ନୂଆ ମୂଲ୍ୟ ୫୪ ଟଙ୍କାରୁ ୫୮ ଟଙ୍କାରେ ପହଞ୍ଚିଥିବା ବେଳେ ଏହାର ୫୦୦ ମିଲିଲିଟର ପ୍ୟାକେଟ୍ ପାଇଁ ୨ ଟଙ୍କା ଅଧିକ ଦେବାକୁ ହେବ । ସେହିପରି ପ୍ରିମିୟମ୍ କ୍ଷୀରର ମୂଲ୍ୟ ଲିଟର ପିଛା ୫୮ ଟଙ୍କାରୁ ୬୦ ଟଙ୍କାକୁ ବୃଦ୍ଧି ପାଇଛି ଏବଂ ଏହାର ଅଧ ଲିଟର ପ୍ୟାକେଟ୍ ପାଇଁ ୧ ଟଙ୍କା ବୃଦ୍ଧି କରାଯାଇଛି । ଅନ୍ୟପଟେ ଗୋଲ୍ଡ ପ୍ଲସ୍ କ୍ଷୀରର ଦାମ୍ ଲିଟର ପିଛା ୬୪ ଟଙ୍କାରୁ ବଢ଼ି ୬୬ ଟଙ୍କା ହୋଇଥିବା ବେଳେ ଏହାର ୫୦୦ ମିଲିଲିଟର ପ୍ୟାକେଟ୍ ୧ ଟଙ୍କା ମହଙ୍ଗା ହୋଇଛି । ତେବେ ଗ୍ରାହକଙ୍କ ଉପରେ ଏହି ବୋଝ ଲଦାଯିବା ପଛରେ କାରଣ ଦର୍ଶାଇଛି ସଂସ୍ଥା । ସାମ୍ପ୍ରତିକ ସମୟରେ ଗୋଖାଦ୍ୟ ଓ ଅନ୍ୟାନ୍ୟ ଜରୁରୀ ସାମଗ୍ରୀର ଅତ୍ୟଧିକ ଦର ବୃଦ୍ଧି ସାଙ୍ଗକୁ ଗୋପାଳନ ଓ ପରିବହନ ଖର୍ଚ୍ଚ ବହୁ ପରିମାଣରେ ବୃଦ୍ଧି ପାଇଛି । ଏହି କାରଣରୁ ଦୁଗ୍ଧ ଚାଷୀମାନଙ୍କୁ ସହାୟତା ଯୋଗାଇଦେବା ଏବଂ ସେମାନଙ୍କ ଆୟ ବୃଦ୍ଧି କରିବା ଲକ୍ଷ୍ୟରେ ଓମ୍ଫେଡ୍ ଗତ ସେପ୍ଟେମ୍ବର ୧୧ ତାରିଖରୁ ଚାଷୀଙ୍କଠାରୁ କ୍ଷୀର କ୍ରୟ ମୂଲ୍ୟରେ ଲିଟର ପିଛା ୨ ଟଙ୍କା ବୃଦ୍ଧି କରିଥିଲା । ଚାଷୀଙ୍କୁ ଏହି ଅଧିକ କ୍ରୟ ମୂଲ୍ୟ ପ୍ରଦାନ କରିବା ଏବଂ ଉତ୍ପାଦନ ଖର୍ଚ୍ଚର ସନ୍ତୁଳନ ରକ୍ଷା କରିବା ପାଇଁ ଶେଷରେ ଖାଉଟିଙ୍କ ପାଇଁ କ୍ଷୀର ଦର ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି । Post navigation Mahatma Gandhi And Lal Bahadur Shastri Jayanti: ଆଜି ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂରଙ୍କ ଜୟନ୍ତୀ Sundarpada Blast Case: ସୁନ୍ଦରପଦା ବୋମା ବିସ୍ଫୋରଣ ମାମଲା: ୨ ଅଭିଯୁକ୍ତଙ୍କ ବିରୋଧରେ ଏନଆଇଏର ଚାର୍ଜସିଟ୍ ଦାଖଲ