ରାଜଧାନୀ ଭୁବନେଶ୍ୱରର ଚର୍ଚ୍ଚିତ ସୁନ୍ଦରପଦା ବୋମା ବିସ୍ଫୋରଣ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା ବିଶେଷ ଏନଆଇଏ ଅଦାଲତରେ ୨ ଜଣ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି। ଏହି ଚାର୍ଜସିଟ୍‌ରେ ସାନୁ ଓରଫ ରୋହନ ରଞ୍ଜନ ରାଉତ ଏବଂ ଅମିୟ ରଞ୍ଜନ ମଲ୍ଲିକଙ୍କ ନାମ ରହିଥିବା ବେଳେ ସେମାନଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା, ବିସ୍ଫୋରକ ପଦାର୍ଥ ଅଧିନିୟମ ଏବଂ ବିସ୍ଫୋରକ ଆଇନର ଭିନ୍ନ ଭିନ୍ନ ଧାରାରେ ମାମଲା ରୁଜୁ କରାଯାଇଛି।

ସୂଚନାଯୋଗ୍ୟ ଯେ, ୨୦୨୬ ଜାନୁଆରୀ ୨୭ ତାରିଖ ଅପରାହ୍ନ ସମୟରେ ଏୟାରଫିଲ୍ଡ ଥାନା ଅନ୍ତର୍ଗତ ସୁନ୍ଦରପଦାର ନ୍ୟୁ ଆଜାଦନଗର ଅଞ୍ଚଳରେ ଏହି ଭୟଙ୍କର ବିସ୍ଫୋରଣ ଘଟିଥିଲା। କୌଣସି ଅପରାଧିକ ଘଟଣା ଘଟାଇବା ଉଦ୍ଦେଶ୍ୟରେ ୪ ଜଣ ବ୍ୟକ୍ତି ସେଠାରେ ବୋମା ପ୍ରସ୍ତୁତ କରୁଥିବା ସମୟରେ ହଠାତ୍ ତାହା ବିସ୍ଫୋରିତ ହୋଇଥିଲା। ଏହି ଘଟଣାରେ ୪ ଜଣ ଗୁରୁତର ଭାବେ ପୋଡ଼ିଯାଇଥିଲେ ଏବଂ ପରବର୍ତ୍ତୀ ସମୟରେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ଘଟିଥିଲା।

ଏହି ସମ୍ବେଦନଶୀଳ ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଏନଆଇଏ ୨୦୨୬ ଏପ୍ରିଲ ୪ ତାରିଖରେ ମାମଲାର ତଦନ୍ତ ଭାର ଗ୍ରହଣ କରିଥିଲା। ତଦନ୍ତରୁ ସ୍ପଷ୍ଟ ହୋଇଛି ଯେ ଅଭିଯୁକ୍ତମାନେ ବେଆଇନ ଭାବେ ବିସ୍ଫୋରକ ସାମଗ୍ରୀ ସଂଗ୍ରହ କରିବା ସହ ଅପରାଧିକ ଷଡ଼ଯନ୍ତ୍ର ରଚି ବୋମା ତିଆରି କରୁଥିଲେ। ଏହି ମାମଲାରେ ଅଧିକ ତଥ୍ୟ ପାଇଁ ଏନଆଇଏ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *