ଏଲ୍ ଆନିମେସନ୍ ପ୍ରାଇଭେଟ୍ ଲିମିଟେଡ୍, ଭୁବନେଶ୍ୱର ଦ୍ୱାରା ନିର୍ମିତ “ମହାପ୍ରଭୁ ଜଗନ୍ନାଥ” ଆନିମେଟେଡ୍ ଚଳଚ୍ଚିତ୍ର ଏବଂ “ଜୟ ଜଗନ୍ନାଥ” ଧାରାବାହିକକୁ ନେଇ ବିବାଦ ଦିନକୁ ଦିନ ଘନେଇବାରେ ଲାଗିଛି। ଶ୍ରୀଜଗନ୍ନାଥଙ୍କ ବିକୃତ ପ୍ରଦର୍ଶନକୁ ଶାସ୍ତ୍ର ବିରୋଧୀ ଦର୍ଶାଇ କ୍ଷୋଭ ପ୍ରକାଶ କରାଯାଇଛି। ଫିଲ୍ମରେ ଶ୍ରୀଜଗନ୍ନାଥ ସଂସ୍କୃତି, ପରମ୍ପରା ଓ ତତ୍ତ୍ୱକୁ ବିକୃତ ଭାବେ ଉପସ୍ଥାପନ କରାଯାଉଥିବା ଅଭିଯୋଗ କରି ଶ୍ରୀମନ୍ଦିର ମୁକ୍ତିମଣ୍ଡପ ପଣ୍ଡିତ ସଭା ଗଭୀର ଚିନ୍ତା ପ୍ରକାଶ କରିଛି।

ମହାପ୍ରଭୁ ଶ୍ରୀଜଗନ୍ନାଥ ତଥା ଅନ୍ୟାନ୍ୟ ସନାତନ ଦେବାଦେବୀଙ୍କ ମନଗଢ଼ା କାର୍ଟୁନ୍ ରୂପ ଏବଂ ଅପ୍ରାମାଣିକ ଚରିତ୍ର ଆଧାରିତ ଚଳଚ୍ଚିତ୍ର ପ୍ରସାରଣ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇବାକୁ ପୁରୀ ଶଙ୍କରାଚାର୍ଯ୍ୟ ମତ ଦେଇଛନ୍ତି । ଏହି ସମ୍ପର୍କରେ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କ ନିର୍ଣ୍ଣୟକୁ ଆଧାର କରି ଆସନ୍ତା ଅଗଷ୍ଟ ୨୮ ତାରିଖରେ ମୁକ୍ତିଲାଭ କରିବାକୁ ଥିବା ଆନିମେସନ୍ ଫିଲ୍ମର ରିଲିଜ୍ ଉପରେ ତୁରନ୍ତ ରୋକ୍ ଲଗାଇବାକୁ ମୁକ୍ତିମଣ୍ଡପ ପଣ୍ଡିତ ସଭା ପକ୍ଷରୁ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ ଚିଠି ଲେଖି ଅବଗତ କରାଯାଇଛି।

ମୁକ୍ତିମଣ୍ଡପ ପଣ୍ଡିତ ସଭାର ସୂଚନା ଅନୁଯାୟୀ, ଆନିମେସନ୍ ଫିଲ୍ମ ଜରିଆରେ ମହାପ୍ରଭୁଙ୍କ ସ୍ୱରୂପକୁ ଯେଉଁଭଳି ଭାବେ ଚିତ୍ରିତ କରାଯାଇଛି, ତାହା ଶାସ୍ତ୍ର ସମ୍ମତ ନୁହେଁ। ଏହା ଶ୍ରୀଜଗନ୍ନାଥ ସଂସ୍କୃତିର ମୂଳ ତତ୍ତ୍ୱକୁ ନଷ୍ଟ କରୁଛି। ଋଗ୍ ବେଦ ପରିଶିଷ୍ଟ ଏବଂ ଗୋପାଳ ସହସ୍ରନାମରେ ବର୍ଣ୍ଣିତ ବ୍ରହ୍ମଦାରୁ ତଥା ଦାରୁବ୍ରହ୍ମ ଅର୍ଚ୍ଚାବିଗ୍ରହଙ୍କୁ ବିକୃତ କାର୍ଟୁନ୍ ରୂପରେ ଉପସ୍ଥାପନ କରିବା ମାନବାଧିକାର ପରିସର ମଧ୍ୟରେ ଏକ ଜଘନ୍ୟ ଅପରାଧ ।

ଫିଲ୍ମର ଏଭଳି ଦୃଶ୍ୟାୟନକୁ ଏକ ‘ଅକ୍ଷମଣୀୟ ଅପରାଧ’ ବୋଲି ସଭା ପକ୍ଷରୁ ଦର୍ଶାଯାଇଛି। ଏହି ଫିଲ୍ମର ରିଲିଜ୍ ଏବଂ ସମସ୍ତ ପ୍ରକାର ମାଧ୍ୟମ ତଥା ଟିଭି, ଓଟିଟି ଓ ସୋସିଆଲ ମିଡିଆରେ ଏହାର ପ୍ରସାରଣ ଉପରେ ତୁରନ୍ତ ସମ୍ପୂର୍ଣ୍ଣ ରୋକ୍ ଲଗାଇବାକୁ ଦାବି କରାଯାଇଛି।

Leave a Reply

Your email address will not be published. Required fields are marked *