୧୯୯୯ ମସିହାର ବହୁଚର୍ଚ୍ଚିତ ଅଷ୍ଟ୍ରେଲୀୟ ମିଶନାରୀ ଗ୍ରାହାମ ଷ୍ଟେନ୍ସ ଓ ତାଙ୍କର ଦୁଇ ନାବାଳକ ପୁଅଙ୍କ ହତ୍ୟାକାଣ୍ଡ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଦାରା ସିଂ ଓରଫ୍ ରବୀନ୍ଦ୍ର ପାଲଙ୍କ ମୁକ୍ତି ଆବେଦନ ଉପରେ ନିଷ୍ପତ୍ତି ନେବାରେ ବିଳମ୍ବ କରିଥିବାରୁ ଓଡ଼ିଶା ସରକାରଙ୍କୁ ସୁପ୍ରିମକୋର୍ଟ ପୁଣି ଥରେ କଡ଼ା ଭର୍ତ୍ସନା କରିଛନ୍ତି। ଦୀର୍ଘ ୨୬ ବର୍ଷରୁ ଅଧିକ ସମୟ ଜେଲ୍ରେ କାଟିସାରିଥିବା ଦାରା ସିଂଙ୍କ ଦଣ୍ଡ ହ୍ରାସ (ରିମିସନ୍) ଆବେଦନ ଉପରେ ରାଜ୍ୟ ସେଣ୍ଟେନ୍ସ ରିଭ୍ୟୁ ବୋର୍ଡ (SRB) ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେଇନଥିବାରୁ ସର୍ବୋଚ୍ଚ ଅଦାଲତ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି। ଦାରା ସିଂଙ୍କ ଆବେଦନ ଉପରେ ନିଷ୍ପତ୍ତି ନେବା ପାଇଁ ସୁପ୍ରିମକୋର୍ଟ ରାଜ୍ୟ ସେଣ୍ଟେନ୍ସ ରିଭ୍ୟୁ ବୋର୍ଡକୁ ଶେଷ ସୁଯୋଗ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୨ ତାରିଖକୁ ଧାର୍ଯ୍ୟ କରାଯାଇଛି। ଅଦାଲତ ମୌଖିକ ଭାବେ ସ୍ପଷ୍ଟ ଚେତାବନୀ ଦେଇଛନ୍ତି ଯେ, ଯଦି ପରବର୍ତ୍ତୀ ଶୁଣାଣି ସୁଦ୍ଧା ରାଜ୍ୟ ସରକାର କୌଣସି ନିଷ୍ପତ୍ତି ନନିଅନ୍ତି, ତେବେ ସୁପ୍ରିମକୋର୍ଟ ନିଜେ ଏହି ମାମଲାରେ ଚୂଡ଼ାନ୍ତ ନିଷ୍ପତ୍ତି ଶୁଣାଇବେ। ଏହା ପୂର୍ବରୁ ଜୁଲାଇ ୧୪ରେ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ଅଗଷ୍ଟ ୧୯ ସୁଦ୍ଧା ନିଷ୍ପତ୍ତି ନେବାକୁ ସମୟ ଦେଇଥିଲେ। ମାତ୍ର ବୋର୍ଡ ଆବଶ୍ୟକୀୟ ରେକର୍ଡ ମାଗିଥିବା ଦର୍ଶାଇ ରାଜ୍ୟ ସରକାର ଅଧିକ ସମୟ ଲୋଡ଼ିଥିଲେ। ଏହି ମାମଲାରେ ବିଳମ୍ବକୁ ନେଇ ସୁପ୍ରିମ୍କୋର୍ଟଙ୍କ ଏଭଳି ହସ୍ତକ୍ଷେପ ନୂଆ ନୁହେଁ। ୨୦୨୫ ମାର୍ଚ୍ଚରେ ମଧ୍ୟ ରାଜ୍ୟ ସରକାର ଦାରା ସିଂହଙ୍କ ଦଣ୍ଡ ହ୍ରାସ ପ୍ରସଙ୍ଗରେ ବିଚାରବିମର୍ଶ ଚାଲିଥିବା ଅଦାଲତଙ୍କୁ ଜଣାଇଥିଲେ। ଏହାପରେ ମଧ୍ୟ ନିଷ୍ପତ୍ତି ନ ହେବାରୁ ମାମଲା ପୁଣି ସୁପ୍ରିମ୍କୋର୍ଟକୁ ଫେରିଥିଲା। ସର୍ବୋଚ୍ଚ ଅଦାଲତଙ୍କ ପୁନଃପୁନଃ ସମୟସୀମା ଧାର୍ଯ୍ୟ ସତ୍ତ୍ୱେ ନିଷ୍ପତ୍ତି ଝୁଲି ରହିବା ଏବେ ରାଜ୍ୟର ପ୍ରଶାସନିକ ପ୍ରକ୍ରିୟାକୁ ପ୍ରଶ୍ନ ଘେରକୁ ଆଣିଛି। ତେବେ ଦାରା ସିଂହଙ୍କ ମୁକ୍ତି ଆବେଦନ ଉପରେ ରାଜ୍ୟ ସେଣ୍ଟେନ୍ସ ରିଭ୍ୟୁ ବୋର୍ଡ ପୂର୍ବରୁ ବିଚାର କରିସାରିଛି। ଜୁଲାଇ ୬ର ବୈଠକରେ ୫୬ ଜଣ ଆଜୀବନ କାରାଦଣ୍ଡ ଭୋଗୁଥିବା କଏଦୀଙ୍କ ମାମଲା ସହ ଦାରା ସିଂହଙ୍କ ମାମଲା ମଧ୍ୟ ବିଚାରକୁ ଆସିଥିଲା। ତାଙ୍କ ଭଲ ଆଚରଣକୁ ଆଧାର କରି ଆଗୁଆ ମୁକ୍ତି ପାଇଁ ବୋର୍ଡ ସୁପାରିସ କରିଥିବା ରିପୋର୍ଟ ପ୍ରକାଶ ପାଇଥିଲା। ତେବେ ଏହା ଉପରେ ରାଜ୍ୟ ସରକାରଙ୍କ ଚୂଡ଼ାନ୍ତ ଅନୁମୋଦନ ଏଯାଏଁ ହୋଇନାହିଁ। ୧୯୯୯ ଜାନୁଆରୀ ୨୨ରେ କେନ୍ଦୁଝର ଜିଲ୍ଲାର ମନୋହରପୁରରେ ଅଷ୍ଟ୍ରେଲୀୟ ମିଶନାରୀ ଗ୍ରାହାମ୍ ଷ୍ଟେନ୍ସ ଏବଂ ତାଙ୍କ ଦୁଇ ନାବାଳକ ପୁଅ ଫିଲିପ୍ ଓ ଟିମୋଥି ଗାଡ଼ି ଭିତରେ ଶୋଇଥିବାବେଳେ ଏକ ଉତ୍ତ୍ୟକ୍ତ ଭିଡ଼ ଗାଡ଼ିରେ ନିଆଁ ଲଗାଇ ଦେଇଥିଲା। ଏହି ଘଟଣାରେ ତିନିଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ମାମଲାରେ ଦାରା ସିଂହଙ୍କୁ ଟ୍ରାଏଲ୍ କୋର୍ଟ ମୃତ୍ୟୁଦଣ୍ଡ ଦେଇଥିଲେ। ପରେ ଓଡ଼ିଶା ହାଇକୋର୍ଟ ତାହାକୁ ଆଜୀବନ କାରାଦଣ୍ଡରେ ପରିଣତ କରିଥିଲେ ଏବଂ ୨୦୧୧ରେ ସୁପ୍ରିମ୍କୋର୍ଟ ଆଜୀବନ କାରାଦଣ୍ଡକୁ କାଏମ ରଖିଥିଲେ। ଦାରା ସିଂହ ତାଙ୍କ ଆବେଦନରେ ୨୬ ବର୍ଷରୁ ଅଧିକ ସମୟ ଜେଲ୍ରେ ରହିଥିବା ଦର୍ଶାଇ ଆଗୁଆ ମୁକ୍ତି ଦାବି କରିଛନ୍ତି। ଓଡ଼ିଶାର ପ୍ରଚଳିତ ମୁକ୍ତି ନୀତି ଅନୁଯାୟୀ, ମୃତ୍ୟୁଦଣ୍ଡ ଆଜୀବନ କାରାଦଣ୍ଡରେ ପରିବର୍ତ୍ତିତ ହୋଇଥିବା କଏଦୀ ନିର୍ଦ୍ଦିଷ୍ଟ ସମୟର କାରାବାସ ପୂରଣ କରିବା ପରେ ରିମିସନ୍ ପାଇଁ ବିଚାରଯୋଗ୍ୟ ହୋଇଥାନ୍ତି। ତେବେ ରିମିସନ୍ ଦାବି ନିଜେ ସ୍ୱୟଂଚାଳିତ ମୁକ୍ତିର ଅଧିକାର ଦେଇନଥାଏ; ବୋର୍ଡର ସୁପାରିସ ଓ ସରକାରୀ ଅନୁମୋଦନ ପ୍ରକ୍ରିୟା ଏଥିରେ ଗୁରୁତ୍ୱପୂର୍ଣ୍ଣ। ଏହି ପରିପ୍ରେକ୍ଷୀରେ ସେପ୍ଟେମ୍ବର ୨ର ଶୁଣାଣି ଗୁରୁତ୍ୱ ବହନ କରୁଛି। ସେତେବେଳକୁ ଦାରା ସିଂହଙ୍କ ଆବେଦନ ଉପରେ ରାଜ୍ୟ ସରକାର ଓ ସେଣ୍ଟେନ୍ସ ରିଭ୍ୟୁ ବୋର୍ଡ କି ନିଷ୍ପତ୍ତି ନେଇଛନ୍ତି, ତାହା ସୁପ୍ରିମ୍କୋର୍ଟରେ ସ୍ପଷ୍ଟ ହେବ। ଦୀର୍ଘ ସମୟ ଧରି ଝୁଲି ରହିଥିବା ଏହି ମାମଲାରେ ଏଥର ଚୂଡ଼ାନ୍ତ ନିଷ୍ପତ୍ତି ଆସିବ କି ନାହିଁ, ତା’ଉପରେ ନଜର ରହିଛି। Post navigation India Beat Sri Lanka By 165 Runs In First Test, Manav Suthar Picks 6-Wicket Haul Naveen Slams MMDR Amendment Bill: ଖଣି ଓ ଖଣିଜ ଦ୍ରବ୍ୟ ସଂଶୋଧନ ବିଲ୍ ବିରୋଧରେ ମିଳିତ ସଂଗ୍ରାମ ପାଇଁ ନବୀନ ପଟ୍ଟନାୟକଙ୍କ ଭିଡ଼ିଓ ବାର୍ତ୍ତା