ଆଜି ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଓଡ଼ିଶା ପ୍ରଦେଶ କାର୍ଯ୍ୟାଳୟ ଠାରେ ରାଜ୍ୟ ଯୁବ କଂଗ୍ରେସ ସଭାପତିଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ଏହା ନିଷ୍ପତି ନିଆଯାଇଛି ଯେ, ଯୁବ କଂଗ୍ରେସ ପକ୍ଷରୁ ଆଗାମୀ ୨୨ ତାରିଖ ଠାରୁ ୨୮ ତାରିଖ ପର୍ଯ୍ୟନ୍ତ ସିଜିମାଳିରେ ଘରକୁ ଘର ବୁଲି ପଦଯାତ୍ରା କରାଯିବ । ଏହି ପଦଯାତ୍ରାରେ ଅଖିଳ ଭାରତ ଯୁବ କଂଗ୍ରେସ ସଭାପତି ଉଦୟଭାନୁ ଚିବ୍, ଅଖିଳ ଭାରତୀୟ ଯୁବ କଂଗ୍ରେସର ପ୍ରଭାରୀ ମନିଷ ଶର୍ମାଙ୍କ ସମେତ ବହୁ ଅଖିଳ ଭାରତୀୟ ଯୁବ କଂଗ୍ରେସ ନେତା ଯୋଗ ଦେବେ ବୋଲି ଯୁବ କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି । ରାଜ୍ୟ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ରାଜ୍ୟର ଆଦିବାସୀ ବନବାସୀ ସିଡୁୃ୍ୟଲ ଏରିଆର ଦଳିତ ଓ ଅନ୍ୟାନ୍ୟ ବର୍ଗର ଲୋକମାନେ ଖୁସିଥିଲେ ଯେ, ଜଣେ ଆଦିବାସୀବର୍ଗର ଲୋକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଏବଂ ସେ ଆଦିବାସୀ ଦଳିତବର୍ଗର ଲୋକଙ୍କ ସ୍ୱାର୍ଥ, ସ୍ୱାଭିମାନ, ସୁରକ୍ଷା ଏବଂ ଶାନ୍ତିପୂର୍ଣ୍ଣ ବସବାସ ପ୍ରତି ଅଧିକ ଧ୍ୟାନ ଦେବେ । ମାତ୍ର ଏ ରାଜ୍ୟର ମୁଖ୍ୟମନ୍ତ୍ରୀ ଆଦିବାସୀ ଏବଂ ଏ ରାଜ୍ୟରୁ ଜଣେ ଆଦିବାସୀ ମହିଳା ଦେଶର ମହାମହିମ ରାଷ୍ଟ୍ରପ୍ରତି ଏଭଳି ବାତାବରଣ ଭିତରେ ଓଡ଼ିଶାର ଆଦିବାସୀ ଓ ଦଳିତ ଲୋକଙ୍କର ସ୍ୱାର୍ଥ ସଂପତ୍ତି ଓ ସ୍ୱାଭିମାନ ଭୁଲୁଣ୍ଠିତ ହେଉଛନ୍ତି । ସିଜିମାଳି ପାହାଡର ୩୧୧ ମିଲିୟନ ଟନ ବକ୍ସସାଇଟ୍କୁ ଲୁଣ୍ଠନ କରି ନେବା ପାଇଁ ମୋଦୀ, ମୋହନ ସରକାର ରକ୍ତ ମୁଖା ହୋଇପଡିଛନ୍ତି । ସିଜିମାଳି ହଜାର ହଜାର ଆଦିବାସୀ ମାନଙ୍କର ସାତ ପୁରୁଷର ବାସସ୍ଥାନ, ଜୀବିକା ଓ ସ୍ୱାଭିମାନ ମଧ୍ୟ । ରାଜ୍ୟ ଯୁବ କଂଗ୍ରେସର ସାଧାରଣ ସମ୍ପାଦକ ସୁଦିପ ସାମଲ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ସମ୍ବିଧାନ ୫ମ ଅନୁଚ୍ଛେଦ ଅନୁଯାୟୀ ଖଣି ଖନନ ନିମନ୍ତେ ଗ୍ରାମସଭା ବାଧ୍ୟତାମୂଳକ । ଜଙ୍ଗଲ ଅଧିକାର ଆଇନ ୨୦୦୬ ମଧ୍ୟ ଏହିକଥା ସ୍ପଷ୍ଟ ଭାବେ ଉଲ୍ଲେଖ କରିଛି । ସରକାର ଏବଂ ସେଠାକାର ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ଯେଉଁ ମୁଣ୍ଠ ବିକା ସରକାରୀ କର୍ମଚାରୀ ରହିଛନ୍ତି ସେମାନେ କହୁଛନ୍ତି ଯେ, ଗ୍ରାମସଭା ସଠିକ୍ ଭାବେ ହୋଇଛି ବୋଲି । ମାତ୍ର ସିଜିମାଳିର ଅଧିବାସୀମାନେ ଦୃଢ଼ଭାବେ କହିଛନ୍ତି ଯେ, କିଛି ମାଇନର ଏବଂ ମୃତ ଲୋକଙ୍କର ଦସ୍ତଖତ କରାଯାଇଛି । ଆଦିବାସୀମାନଙ୍କର ସ୍ୱରକୁ ମୋହନ ସରକାର ଚାପି ଦେଉଛନ୍ତି । ୩ କିଲୋମିଟର ରାସ୍ତା ନିର୍ମାଣକୁ ସେଠାକାର ବାସିନ୍ଦାମାନେ ଅବରୋଧ କରିଥିଲେ ଏବଂ ଯାହା ପାଇଁ ସେଠି ଭୟଙ୍କର ଭାବରେ ରକ୍ତପାତ ହୋଇଥିଲା । ୧୯୪୭ ମସିହା ଠାରୁ ୨୦୨୬ ପର୍ଯ୍ୟନ୍ତ ଯଦି ଓଡ଼ିଶାର ମୁଖ୍ୟମନ୍ତ୍ରୀମାନଙ୍କର ଆଦିବାସୀମାନଙ୍କ ପ୍ରତି ସମ୍ବେଦନଶୀଳତାକୁ ବିଚାରକୁ ନିଆଯାଏ ତେବେ ଏହା ନିଶ୍ଚିତ ଭାବେ ଦାବି କରି ହେବ ଯେ, ଆଜିର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସଂପୂର୍ଣ୍ଣ ଭାବେ ଆଦିବାସୀ ବିରୋଧି । ସରକାର ସେଠାରେ ଜଙ୍ଗଲ ଅଧିକାର ଆଇନକୁ ଉଲଘଂନ କରୁଛନ୍ତି, ପେଶା ଆକ୍ଟକୁ ପ୍ରଣୟନ କରୁନାହାନ୍ତି । ସୁତରାଂ ମୋହନ ସରକାର ଆଦିବାସୀ ମାନଙ୍କୁ ବିସ୍ତାପିତ କରି ଖଣି ଖନନ ବା ଶିଳ୍ପକରଣକୁ ପ୍ରୋତ୍ସାହନ ଦେଇଥିବାରୁ ଯୁବ କଂଗ୍ରେସ ଏହାକୁ ତୀବ୍ର ବିରୋଧ କରୁଛି । ଅନ୍ୟପକ୍ଷରେ ରାଜ୍ୟ ଯୁବ କଂଗ୍ରେସ ସଭାପତି ଆହୁରି ମଧ୍ୟ କହିଥିଲେ ଯେ କୁଟ୍ରୁମାଳି ବକ୍ସସାଇଟ ଖଣି ପ୍ରକଳ୍ପ ରାୟଗଡା ଓ କଳାହାଣ୍ଡି ଜିଲ୍ଲାରେ ମଧ୍ୟ ରହିଛି । ଏଠାରେ ମଧ୍ୟ ସେହିଭଳି ସମସ୍ତ ନିୟମକାନୁନକୁ ଉଲଘଂନ କରି ଖଣି ଖନନ ପାଇଁ ପ୍ରସ୍ତାବ ରହିଛି । ଏଥିରେ ମଧ୍ୟ ଗ୍ରାମ ସଭା କରାଯାଇନାହିଁ । ଜଙ୍ଗଲ ଅଧିକାର ଆଇନକୁ ଅନୁସରଣ କରାଯାଇନାହିଁ, ଗ୍ରାମସଭା ନାମରେ ଜାଲ ଦସ୍ତଖତ କରାଯାଉଛି । ତେଣୁ ସଂପୂର୍ଣ୍ଣ ଭାବରେ ଆଦିବାସୀମାନଙ୍କୁ କୁଟ୍ରୁମାଳି ପାହାଡରୁ ହଟାଇ ବକ୍ସସାଇଟ୍ ଲୁଣ୍ଠନ ପାଇଁ ଚକ୍ରାନ୍ତ କରାଯାଉଛି । ସେହିଭଳି କୋରାଫୁଟ ଜିଲ୍ଲାର ପଟାଙ୍ଗି ବକ୍ସସାଇଟ୍ ମାଇନିଂ ପ୍ରକଳ୍ପ ଯାହାକି ନାଲ୍କୋ ଦ୍ୱାରା କରାଯାଉଛି ସେଠାରେ ମଧ୍ୟ ମୂଳ ନିବାସିମାନଙ୍କର ସ୍ୱାର୍ଥକୁ ଅଣଦେଖା କରାଯାଉଛି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ସୁଦୀପ ସାମଲ, ଗୋପନ ମାର୍ଥା ଓ ଜାଭେଦ ଅଖ୍ତର ଯୋଗ ଦେଇଥିଲେ । Post navigation 71st Foundation Day of OMC: ଓଡିଶା ଖଣି ନିଗମର ୭୧ତମ ପ୍ରତିଷ୍ଠା ଦିବସରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ Soro Station Rescue: ସୋର ଷ୍ଟେସନରୁ ୨୭ ପିଲାଙ୍କୁ ଉଦ୍ଧାର କଲା ପୋଲିସ