କନ୍ଧମାଳ ଜିଲ୍ଲାରେ ଭୂସ୍ଖଳନ ସମୟରେ ନିଖୋଜ ହୋଇଥିବା ଜଣେ ଶିକ୍ଷକଙ୍କୁ ୧୪ ଦିନ ପରେ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଛି । ପାହାଡ଼ ନିକଟରେ ଥିବା ଏକ ଗାତରେ ଫସି ରହିଥିବା ମୋହନ ମହାରଣାଙ୍କୁ ଶନିବାର ଉଦ୍ଧାର କରାଯାଇଛି । ସେ ରାଇକିଆ ବ୍ଲକର ଇନ୍ଦ୍ରଗଡ଼ ପଞ୍ଚାୟତ ଅନ୍ତର୍ଗତ ଏକ ବିଦ୍ୟାଳୟରେ ଶିକ୍ଷକ ଅଛନ୍ତି । ସୂଚନା ଅନୁସାରେ, ଅକ୍ଟୋବର ୨୯ ତାରିଖ ରାତିରେ ବାତ୍ୟା ‘ଅର୍ଣ୍ଣବ’ ଯୋଗୁଁ ଲଗାତାର ବର୍ଷା ହୋଇଥିଲା । ଏହା ଫଳରେ ଡଙ୍ଗାସି ଗ୍ରାମ ନିକଟରେ ବଡ଼ ଧରଣର ଭୂସ୍ଖଳନ ହୋଇଥିଲା । ପାହାଡ଼ର ଏକ ଅଂଶ ଧସି ପଡ଼ିବାରୁ ଗ୍ରାମବାସୀ ଜୀବନ ବଞ୍ଚାଇବା ପାଇଁ ନିକଟସ୍ଥ ଗ୍ରାମକୁ ଚାଲିଯାଇଥିଲେ । ସେହି ସମୟରେ ମୋହନ ମହାରଣା ମଧ୍ୟ ଗ୍ରାମ ଛାଡ଼ି ଯାଉଥିଲେ । କିନ୍ତୁ ଅନ୍ଧାରରେ ଭୁଲବଶତଃ ସେ ପାହାଡ଼ ନିକଟରେ ଥିବା ଏକ ଗାତରେ ପଡ଼ିଯାଇଥିଲେ । ଜଙ୍ଗଲ ଘେରା ଅଞ୍ଚଳ ହୋଇଥିବାରୁ କେହି ତାଙ୍କ ଚିତ୍କାର ଶୁଣିପାରି ନଥିଲେ । ଗାତରେ ଜମିଥିବା କାଦୁଅ ପାଣି ପିଇ ସେ ୧୪ ଦିନ ଧରି ଜୀବିତ ରହିଥିଲେ । ଅନ୍ୟପଟେ, ତାଙ୍କ ପରିବାର ଲୋକେ ଖୋଜାଖୋଜି କରିବା ପରେ ରାଇକିଆ ଥାନାରେ ନିଖୋଜ ଅଭିଯୋଗ କରିଥିଲେ । ପୋଲିସ ମଧ୍ୟ ତାଙ୍କୁ ଖୋଜିବା ପାଇଁ ଅଭିଯାନ ଆରମ୍ଭ କରିଥିଲା । ତେବେ ତାଙ୍କର କୌଣସି ସନ୍ଧାନ ମିଳିନଥିଲା । ଶନିବାର ଜଣେ ଗାଈ ଚରାଳି ଗାତ ଭିତରୁ କ୍ଷୀଣ ସ୍ୱର ଶୁଣି ସେଠାକୁ ଯାଇଥିଲେ । ମୋହନଙ୍କୁ ଗାତରେ ଫସିଥିବା ଦେଖି ସେ ଗ୍ରାମବାସୀଙ୍କୁ ଖବର ଦେଇଥିଲେ । ପରେ ଗ୍ରାମବାସୀ ଏକ ଅସ୍ଥାୟୀ ଷ୍ଟ୍ରେଚରରେ ତାଙ୍କୁ ପ୍ରାୟ ୧୮ କିଲୋମିଟର ଦୂର ରାଇକିଆ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାପଡ଼ିଛି । Post navigation Depression Forms Over the BoB: ବଙ୍ଗୋପସାଗରରେ ଅବପାତ, ୧୭ରେ ଭୀଷଣ ବାତ୍ୟା ଆଶଙ୍କା