ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ସାଗରପାଲି ସାହୁପଡା ଡୁଙ୍ଗୁରିପଡାରେ ଘଟିଥିବା ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ପୁଲିସ। ପୁରୁଷ ବନ୍ଧୁଙ୍କ ସହାୟତାରେ ସ୍ୱାମୀଙ୍କୁ ହତ୍ୟା କରି ମୃତଦେହକୁ ବିଲରେ ଫିଙ୍ଗି ଦେଇଥିବା ଅଭିଯୋଗରେ ସ୍ତ୍ରୀ ଗୀତା ମିର୍ଦ୍ଧା (୪୦) ଓ ତାଙ୍କ ସହଯୋଗୀ ଟିକିନୁ କିଶାନ (୪୪)ଙ୍କୁ ଗିରଫ କରାଯାଇଛି। ପୁଲିସ ମାମଲା ରୁଜୁ ହେବାର ମାତ୍ର ୬ ଘଣ୍ଟା ମଧ୍ୟରେ ଘଟଣାର ରହସ୍ୟ ଉଦ୍ଘାଟନ କରିବାରେ ସଫଳ ହୋଇଛି। ପୁଲିସ ସୂଚନା ଅନୁଯାୟୀ, ମୃତକ ଶକ୍ତିଧର ସାହୁ (୩୮) ମୂଳତଃ ଅନୁଗୁଳ ଜିଲ୍ଲା ଖଣ୍ଡହତା ଗ୍ରାମର ବାସିନ୍ଦା। ସେ ଗୀତା ମିର୍ଦ୍ଧାଙ୍କ ସହ ଦୀର୍ଘ ବର୍ଷ ଧରି ରହୁଥିଲେ ଏବଂ ତାଙ୍କର ଦୁଇଜଣ କନ୍ୟା ସନ୍ତାନ ରହିଛନ୍ତି। ପରିବାରିକ କଳହ, ଶକ୍ତିଧରଙ୍କ ମଦ୍ୟପାନ ଅଭ୍ୟାସ ଏବଂ ପାରସ୍ପରିକ ସମ୍ପର୍କରେ ଅବନତି ଯୋଗୁଁ ଘରେ ପ୍ରାୟତଃ ବିବାଦ ଲାଗି ରହୁଥିଲା। ଗତ ୨୩ ଜୁନ ରାତିରେ ଶକ୍ତିଧର, ଗୀତା ଏବଂ ଟିକିନୁଙ୍କ ମଧ୍ୟରେ ବଚସା ହୋଇଥିଲା। ଅଭିଯୋଗ ଅନୁସାରେ, ବିବାଦ ଉଗ୍ର ରୂପ ନେବା ପରେ ଟିକିନୁ ଶକ୍ତିଧରଙ୍କୁ ଧକ୍କା ଦେଇ ତଳେ ପକାଇ କାବୁ କରିଥିଲେ। ଏହାପରେ ଗୀତା ଏକ ଖଟର କାଠ ପୁହାରେ ତାଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ। ଗୁରୁତର ଆଘାତ ଯୋଗୁଁ ଘଟଣାସ୍ଥଳରେ ହିଁ ଶକ୍ତିଧରଙ୍କ ମୃତ୍ୟୁ ଘଟିଥିଲା। ହତ୍ୟା ପରେ ଅଭିଯୁକ୍ତ ଦୁଇଜଣ ମିଶି ମୃତଦେହକୁ ଏକ କୃଷି ଜମି ନିକଟସ୍ଥ ବିଲକୁ ନେଇ ଫିଙ୍ଗି ଦେଇଥିଲେ, ଯାହାଦ୍ୱାରା ପୁଲିସକୁ ଭ୍ରମିତ କରିବା ଓ ଅନ୍ୟ ଦିଗକୁ ତଦନ୍ତ ମୋଡ଼ାଇବାର ଚେଷ୍ଟା କରାଯାଇଥିଲା। ୨୪ ଜୁନରେ ସାଗରପାଲି ଅଞ୍ଚଳର ଏକ କୃଷି ଜମିରେ ଶକ୍ତିଧରଙ୍କ ମୃତଦେହ ପଡ଼ିଥିବା ଖବର ପାଇ ରେଙ୍ଗାଲି ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଏନେଇ ରେଙ୍ଗାଲି ଥାନା କେସ୍ ନଂ-୧୭୭/୨୪.୦୬.୨୦୨୬ ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା। ଝାରସୁଗୁଡା ଡିଏଫଏସଏଲ୍ର ବୈଜ୍ଞାନିକ ଅଧିକାରୀ ଓ ଡଗ୍ ସ୍କ୍ୱାଡ୍ର ସହାୟତାରେ ଘଟଣାସ୍ଥଳରୁ ରକ୍ତଲଗା ସାମଗ୍ରୀ ଓ ଅନ୍ୟାନ୍ୟ ପ୍ରମାଣ ସଂଗ୍ରହ କରାଯାଇଥିଲା। ତଦନ୍ତ ସମୟରେ ପୁଲିସ ଟେକ୍ନିକାଲ ଇନ୍ପୁଟ୍, ସ୍ଥାନୀୟ ସୂଚନା ଓ ଜେରା ଆଧାରରେ ଗୀତା ଓ ଟିକିନୁଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ପରେ ଉଭୟେ ଅପରାଧରେ ସମ୍ପୃକ୍ତ ଥିବା ଜଣାପଡ଼ିଥିଲା। ସେମାନଙ୍କ ନିକଟରୁ ରକ୍ତଲଗା ପୋଷାକ, ରକ୍ତ ଚିହ୍ନ ଥିବା ଆଙ୍ଗୁଠି, ହତ୍ୟାରେ ବ୍ୟବହୃତ ସନ୍ଦେହ କରାଯାଉଥିବା କାଠ ଖଣ୍ଡ ସହ ବିଭିନ୍ନ ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଛି। ଗିରଫ ଅଭିଯୁକ୍ତ ଦୁଇଜଣଙ୍କୁ ଗୁରୁବାର ଲଖନପୁର ଜେଏମଏଫସି ଅଦାଲତରେ ହାଜର କରାଯାଇଛି। ସେମାନଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା (BNS) ଧାରା ୧୦୩(୧), ୨୩୮(ଏ) ଓ ୩(୫) ଅନୁଯାୟୀ ମାମଲା ରୁଜୁ ହୋଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି ବୋଲି ରେଙ୍ଗାଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। Post navigation Odisha Assembly reconstitutes Key Committees; Pramila Mallik to Lead PAC