ବୈତରଣୀ ନଦୀରେ ବାରମ୍ବାର ଆସୁଥିବା ବନ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ଜଳସମ୍ପଦ ବିଭାଗ “ବୈତରଣୀ ପାୱାର ପ୍ରୋଜେକ୍ଟସ ପ୍ରାଇଭେଟ୍ ଲିମିଟେଡ୍” (BPPL) ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆନନ୍ଦପୁର ବ୍ୟାରେଜର ଗେଟ୍ଗୁଡ଼ିକୁ ମନମୁଖୀ ଓ ବେନିୟମ ଭାବେ ଖୋଲାଯାଉଥିବା ନେଇ ଅଭିଯୋଗ ହେବା ପରେ ଜଳସମ୍ପଦ ବିଭାଗର ଇଞ୍ଜିନିୟର-ଇନ୍-ଚିଫ୍ ଇଂ. ଦିଲ୍ଲୀପ କୁମାର ରାଉତ BPPL ସଂସ୍ଥାକୁ ଏକ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି। ଏହାସହିତ ସାଲପଡ଼ାସ୍ଥିତ ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଇଞ୍ଜିନିୟରଙ୍କୁ ମଧ୍ୟ ଏକ ପତ୍ର ପ୍ରେରଣ କରାଯାଇଛି। ଚଳିତ ବର୍ଷ ବୈତରଣୀରେ ଦୁଇ ଦୁଇ ଥର ମଧ୍ୟମ ଧରଣର ବନ୍ୟା ଆସିଛି । ବୈତରଣୀ ନଦୀର ତଳମୁଣ୍ଡରେ ଅନିୟନ୍ତ୍ରିତ ବନ୍ୟା ପରିସ୍ଥିତି ସୃଷ୍ଟି ଦ୍ୱାରା ଲକ୍ଷାଧିକ ଲୋକେ ପ୍ରଭାବିତ ହେଉଛନ୍ତି । ବିପିପିଏଲ୍ କମ୍ପାନୀ ବୈତରଣୀ କ୍ଷୁଦ୍ର ଜଳବିଦ୍ୟୁତ୍ ପ୍ରକଳ୍ପରୁ ବିଦ୍ୟୁତ୍ ଉତ୍ପାଦନ ପାଇଁ ପୀକ୍ ଫ୍ଲଡ୍ ଏବଂ ଫ୍ଲାସ୍ ଫ୍ଲଡ୍ ସମୟରେ ମନମୁଖୀ ଓ ଅନିୟମିତ ଭାବେ ବ୍ୟାରେଜ ଗେଟ୍ଗୁଡ଼ିକୁ ଖୋଲୁଛି। ଏହି ବେପରୁଆ କାର୍ଯ୍ୟ ଯୋଗୁଁ ନଦୀର ତଳମୁଣ୍ଡରେ ଜଳସ୍ତର ହଠାତ୍ ବୃଦ୍ଧି ପାଇ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି । ଏପରି ଦାୟିତ୍ୱହୀନ ଭାବେ ଗେଟ୍ ପରିଚାଳନା କରିବା ଯୋଗୁଁ କମ୍ପାନୀ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ, ସେ ନେଇ ସ୍ପଷ୍ଟୀକରଣ ମାଗିଛି ଜଳ ସମ୍ପଦ ବିଭାଗ । ପ୍ରବଳ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ପୂର୍ବରୁ ବ୍ୟାରେଜକୁ ସମ୍ପୂର୍ଣ୍ଣ ଖାଲି କରିବା ପାଇଁ କମ୍ପାନୀକୁ ନିର୍ଦ୍ଦେଶ ଦେବାକୁ କୁହାଯାଇଛି । ଯାହାଦ୍ୱାରା ତଳମୁଣ୍ଡ ଅଞ୍ଚଳ ଜଳମଗ୍ନ ହେବାରୁ ରକ୍ଷା ପାଇପାରିବ । କୌଣସି ବିପଜ୍ଜନକ ବନ୍ୟା ସ୍ଥିତି ଉପୁଜିବା ପୂର୍ବରୁ ଜଳଭଣ୍ଡାରକୁ ଖାଲି କରିବା ପାଇଁ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି। ବ୍ୟାରେଜ୍ ପ୍ରକଳ୍ପ କର୍ତ୍ତୃପକ୍ଷଙ୍କ ସହ ପୂର୍ଣ୍ଣ ସମନ୍ୱୟ ରଖି ନିୟମାନୁସାରେ ଗେଟ୍ ପରିଚାଳନା କରିବାକୁ ପରାମର୍ଶ ଦିଆଯାଇଛି। Post navigation Odisha Monsoon Rainfall Rises: ରାଜ୍ୟରେ ୧୦୦୦ ମି.ମି ଅତିକ୍ରମ କଲା ମୌସୁମୀ ବର୍ଷା Odisha Floods: ରାଜ୍ୟରେ ବନ୍ୟା ସ୍ଥିତିରେ ଆସୁଛି ସୁଧାର: SRC