ଆଜି ଭୋଟ୍ ଦେଉଛି ଓଡ଼ିଶା । ଆଜି ଦେଶରେ ଚତୁର୍ଥ ପର୍ଯ୍ୟାୟ ଭୋଟ୍ ଥିବା ବେଳେ ଓଡ଼ିଶାରେ ଚାଲିଛି ପ୍ରଥମ ପର୍ଯ୍ୟାୟ ଭୋଟ୍। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଓଡ଼ିଶାର ୪ ଲୋକସଭା ଏବଂ ୨୮ ବିଧାନସଭା ଆସନରେ ସୋମବାର ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଭୋଟ ପାଇଁ ୭ ହଜାର ୩୦୩ ମତଦାନ କେନ୍ଦ୍ର ଓ ୧୪ଟି ଅତିରିକ୍ତ ମତଦାନ କେନ୍ଦ୍ର କରାଯାଇଛି । ୭୧୫ଟି ବୁଥ ସମ୍ପୂର୍ଣ୍ଣ ଭାବେ ମହିଳାଙ୍କ ଦ୍ବାରା ପରିଚାଳିତ ହେଉଛି।

ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୪ଟି ଲୋକସଭା କ୍ଷେତ୍ର କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ବ୍ରହ୍ମପୁର ଏବଂ ଏହା ଅଧିନସ୍ଥ ୨୮ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ହେଉଛି ଭୋଟିଂ। ସମସ୍ତ ବିଧାନସଭା ଆସନରେ ମତଦାନ ଶାନ୍ତି ଶୃଙ୍ଖଳା ସହ ଆରମ୍ଭ ହୋଇଛି।

୨୯୮ ପୋଲିଂ ବୁଥର ବ୍ୟବସ୍ଥା ହୋଇଛି। ସେଥିମଧ୍ୟରୁ ୫୩୭ଟି ବୁଥ୍ ନକ୍ସଲ ପ୍ରଭାବିତ ଅଞ୍ଚଳରେ ରହିଛି। ସୀମାନ୍ତ ଜିଲ୍ଲାଗୁଡ଼ିକରେ ମତଦାନ ହେଉଥିବାରୁ ଏଥିଲାଗି ଗ୍ରହଣ କଡ଼ା ସୁରୁକ୍ଷା ବ୍ୟବସ୍ଥା କରାଯାଇଛି।

ସୁରକ୍ଷା ପାଇଁ ସୀମାନ୍ତରେ ୫୧ଟି ବର୍ଡର ଚେକ୍ ପୋଷ୍ଟ କରାଯାଇ ଚେକିଂ ଜୋରଦାର ହୋଇଛି। ଯେକୌଣସି ପ୍ରତିକୂଳ ସ୍ଥିତି ପାଇଁ ହେଲିକପ୍ଟର ଓ ଏୟାର ଆମ୍ବୁଲାନ୍ସକୁ ସଜାଗ ରଖାଯାଇଛି। ସୁରକ୍ଷା ବ୍ୟବସ୍ଥାର ତଦାରଖ ଲାଗି ୬ ଶହ ମୋବାଇଲ ପାର୍ଟି ନିୟୋଜିତ ହୋଇଛନ୍ତି। ଗୋଟିଏ ମୋବାଇଲ ପାର୍ଟି ୧୦ରୁ ୧୨ଟି ବୁଥକୁ ବୁଲି ରିପୋର୍ଟ ନେବେ।

ସେହିଭଳି ୨୧୦ଟି ଫ୍ଲାଇଂ ସ୍କ୍ୱାଡ୍ ଓ ୧୫୫ଟି ଷ୍ଟାଟିକ୍ ସର୍ଭେଲାନ୍ସ ଟିମ୍ ମଧ୍ୟ ମୁତୟନ କରାଯାଇଛି। ସୋମବାର ସନ୍ଧ୍ୟାରେ ଭୋଟ ସରିବା ପରେ ୧୫ଟି ଷ୍ଟ୍ରଙ୍ଗରୁମରେ ଇଭିଏମଗୁଡ଼ିକୁ ସୁରକ୍ଷିତ ରଖାଯିବ।

ନିର୍ବାଚନ କମିଶନ୍ ତଥା ଜିଲ୍ଲା ଓ ପୁଲିସ ପ୍ରଶାସନ ପକ୍ଷରୁ ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଛି। କଡ଼ା ସୁରକ୍ଷା ଲାଗି ୧୭ ହଜାର ପୁଲିସ୍ ଫୋର୍ସ ମୁତୟନ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *