ଚଳିତବର୍ଷ ବିଧାନସଭା ନିର୍ବାଚନରେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରୁ ବିଜୟ ହୋଇଛନ୍ତି ସ୍ବର୍ଗତ ଲୁଲୁ ମହାପାତ୍ରଙ୍କ ଝିଅ ଓ ୧୮୧୭ ମସିହାରେ ପାଇକ ବିଦ୍ରୋହର ନେତୃତ୍ବ ନେଇଥିବା ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ରଙ୍କ ଅଣ ନାତୁଣୀ ଉପାସନା ମହାପାତ୍ର । ବିଧାନସଭା ଆସନରେ ବିଜେପିର ପ୍ରାର୍ଥୀ ଉପାସନା ମହାପାତ୍ର ବିଜେଡିର ପ୍ରାର୍ଥୀ ଉମା ସାମନ୍ତରାୟଙ୍କୁ ୯୦୦୦ରୁ ଅଧିକ ଭୋଟରେ ପଛରେ ପକେଇ ବିଜୟୀ ହୋଇଛନ୍ତି। ଉପାସନା ମହାପାତ୍ର(୨୬ ବର୍ଷ) ବିଜେପିର ସବୁଠୁ କନିଷ୍ଠ ଯୁବ ନେତ୍ରୀ ଯିଏ ଚଳିତବର୍ଷ ବିଧାନସଭା ନିର୍ବାଚନରେ ବିଜୟର ମୁକୁଟ ପିନ୍ଧିଥିବା ସୂଚନା ମିଳିଛି ।

ଯୁବ ଚେହେରା ଭାବେ ଉପାସନାଙ୍କୁ ଆଗକୁ ଆଣିଥିଲା ବିଜେପି ।ଉପାସନା କିଛିବର୍ଷ ହେବ ସାମାଜିକ ତଥା ରାଜନୈତିକ ସ୍ତରରେ ସକ୍ରିୟ ରହି ଲୋକଙ୍କ ସେବା କରୁଛନ୍ତି | ସେ ତାଙ୍କର ନିଜସ୍ୱ ଉପସ୍ଥିତିରେ ବ୍ରହ୍ମଗିରି ଲୋକମାନଙ୍କ ସହ ସୁଖ ଦୁଃଖରେ ଠିଆ ହୋଇଛନ୍ତି । ଏହି ଲୋକପ୍ରିୟତା ତାଙ୍କୁ ଓଡ଼ିଶାର ସର୍ବ କନିଷ୍ଠ ବିଧାୟିକା ଭାବେ ନୂଆ ପରିଚୟ ପ୍ରଦାନ କରିଛି । ଏଥିପାଇଁ ସେ ବ୍ରହ୍ମଗିରିର ସମସ୍ତ ଜନତାଙ୍କୁ ବିଜୟର ଶ୍ରେୟ ଓ ଧନ୍ୟବାଦ ଅର୍ପଣ କରିଛନ୍ତି ।

ଲୁଲୁ ମହାପାତ୍ର ଥିଲେ କଂଗ୍ରେସର ଟାଣୁଆ ନେତା। ଲୁଲୁ ମହାପାତ୍ରଙ୍କ ପରଲୋକ ପରେ ତାଙ୍କ ସାନ ଭାଇ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଓ ଲୁଲୁ ମହାପାତ୍ରଙ୍କ ଝିଅ ଉପାସନା ବିଜେପିରେ ଯୋଗ ଦେଇଥିଲେ । ୨୦୧୯ ବିଧାନସଭା ନର୍ବାଚନରେ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ବିଜେପି ପାର୍ଥୀ ଭାବେ ଲଢି ସଞ୍ଜୟ ଦାସ ବର୍ମାଙ୍କୁ ପରାସ୍ତ କରିଥିଲେ । ଏଥର ଉପାସନା ବ୍ରହ୍ମଗିରିରୁ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିବା ବେଳେ ବିଜେଡିରୁ ପ୍ରାର୍ଥୀ ଭାବେ ଲଢ଼ିଥିଲେ ଉମାକାନ୍ତ ସାମନ୍ତରାୟ ।

ବ୍ରହ୍ମଗିରି ବର୍ଷ ବର୍ଷ ଧରି ସ୍ୱର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର ଓ ବିଜେଡି ସଞ୍ଜୟ ଦାସବର୍ମାଙ୍କ ମଧ୍ୟରେ ରାଜନୈତିକ ପତିଆରାର ଲଢେଇ ଦେଖିଛି । ଲୁଲୁ କଂଗ୍ରେସ ଟିକେଟରୁ ବ୍ରହ୍ମଗିରିରୁ ତିନି ତିନି ଥର ବିଧାୟକ ନିର୍ବାଚିତ ହୋଇଥିଲେ । ତେବେ ୨୦୦୯ ଓ ୨୦୧୪ରେ ବାଜି ମାରି ନେଇଥିଲେ ସଂଜୟ ଦାସବର୍ମା । ଲୁଲୁଙ୍କ ପରଲୋକ ପରେ ତାଙ୍କ ଭାଇ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଓ ଉପାସନା ବିଜେପିରେ ସାମିଲ ହୋଇଥିଲେ । ୨୦୧୯ରେ ଲଳିତେନ୍ଦୁ ବିଜେପି ପ୍ରାର୍ଥୀ ଭାବେ ଲଢି ସଂଜୟ ଦାସବର୍ମାଙ୍କୁ ମାତ୍ ଦେଇଥିଲେ । ଏଥର ଉପାସନା ଦାଦାଙ୍କ ବିଜୟ ରଥକୁ ଐତିହାସିକ ସଫଳତା ସହ ଆଗକୁ ବଢାଇବାରେ ସଫଳ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *