ଭୁବନେଶ୍ୱର, ଓଡ଼ିଶାରେ ଆଜି ଏକ ନୂଆ ଇତିହାସ ଲେଖାଯାଇଛି । ଏହି ବିଜୟ କେବଳ ବିଜେପିର ନୁହେଁ ବରଂ ସାଢେ ୪ କୋଟି ଓଡ଼ିଆଙ୍କ ବିଜୟ । ଏହି ବିଜୟ ଓଡ଼ିଆ ଅସ୍ମିତା, ଭାଷା, ସଂସ୍କୃତି ଓ ପରିଚୟର ବଡ଼ ବିଜୟ ବୋଲି ଓଡ଼ିଶା ଜନାଦେଶ ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି ସମ୍ବଲପୁର ଲୋକସଭାର ବିଜୟୀ ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

 

ସମ୍ବଲପୁର ଲୋକସଭାର ଜନସାଧାରଣଙ୍କ ସମେତ ଓଡ଼ିଶାବାସୀଙ୍କୁ ବିଜେପିକୁ ପୂର୍ଣ୍ଣ ବହୁମତରେ ଆଶୀର୍ବାଦ କରିଥିବାରୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ବିଜେପି କାର୍ଯ୍ୟକର୍ତ୍ତାମାନଙ୍କୁ କୃତଜ୍ଞତା ଜଣାଇବା ସହ ବିଜୟୀ ପ୍ରାର୍ଥୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି, ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ଦଳର ନେତୃମଣ୍ଡଳୀ ଓଡ଼ିଶାର ସେବା କରିବା ପାଇଁ ରାଜ୍ୟର ଜନସାଧାରଣଙ୍କୁ ନିବେଦନ କରିଥିଲେ । ବିଜେପିକୁ ସେବା କରିବାର ସୁଯୋଗ ଦେଇଥିବାରୁ ଓଡ଼ିଶାବାସୀଙ୍କୁ ଭକ୍ତିପୂର୍ଣ୍ଣ କୃତଜ୍ଞତା ଜ୍ଞାପନ କରୁଛି । ୨୪ ବର୍ଷ ପରେ ପ୍ରଥମ ଥର ପାଇଁ ବିଜେପିର ସରକାର ହେବାକୁ ଯାଉଛି । ମହାପ୍ରଭୁ ଶ୍ରୀଜଗନ୍ନାଥ, ମା’ ସମଲେଇ, ମା’ ହିଙ୍ଗୁଳା ଏବଂ ସବୁ ଦେବାଦେବୀଙ୍କ ଆଶୀର୍ବାଦରୁ ଏହା ସମ୍ଭବ ହୋଇଛି ।

 

ମହାପ୍ରଭୁଙ୍କ ଶୁଭ ଆଶୀର୍ବାଦରୁ ଓଡ଼ିଶାବାସୀଙ୍କ ସେବା କରିବାର ସୁଯୋଗ ମିଳିବା ଆମ ପାଇଁ ସୌଭାଗ୍ୟର ବିଷୟ । ଆମର ଶୀର୍ଷ ନେତୃତ୍ୱଙ୍କ ଦୂରଦୃଷ୍ଟି, ମାର୍ଗଦର୍ଶନ ଏବଂ କାର୍ଯ୍ୟକର୍ତ୍ତାମାନଙ୍କ ଅକ୍ଳାନ୍ତ ପରିଶ୍ରମ ପାଇଁ ଏହା ସମ୍ଭବ ହୋଇପାରିଛି । ବିଜେପିର ବିଜୟ ସବୁ ଓଡ଼ିଆ ଲୋକଙ୍କର ବିଜୟ । ଓଡ଼ିଆ ଅପେକ୍ଷା ଓ ଆକଂକ୍ଷାର ବିଜୟ । ଏହି ବିଜୟ ଓଡ଼ିଆ ଅସ୍ମିତାର ବିଜୟ, ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦୃଢ ନେତୃତ୍ୱ ଉପରେ ଲୋକଙ୍କ ବିଶ୍ୱାସ ଓ ଭରସାର ପ୍ରତିଫଳନ ।ଓଡ଼ିଆ ଅସ୍ମିତା ଓ ସଂସ୍କୃତିରେ ମହାପ୍ରଭୁଙ୍କ ସଂସ୍କୃତି, ଓଡ଼ିଆ ଚାଲିଚଳଣୀ ଓ ପରମ୍ପରାର କଥା ଅଛି । ମୋଦୀ ଯାହା କୁହନ୍ତି, ତାହା କରନ୍ତି । ସବୁ ମୋଦୀ ଗ୍ୟାରେଣ୍ଟିର ସ୍ୱପ୍ନ ସାକାର ହେବ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ବିଜେପି ନିଷ୍ଠାର ସହକାରେ ଲୋକଙ୍କ ସେବା କରିବା ସହ ସବୁ ପ୍ରତିଶୃତି ପୂରଣ କରି ଓଡ଼ିଶା ଏବଂ ଓଡ଼ିଆ ଅସ୍ମିତାକୁ ଏକ ନୂଆ ଶିଖରରେ ପହଞ୍ଚାଇବା ପାଇଁ ପ୍ରତିଶୃତି ବଦ୍ଧ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

By SonaliP

Leave a Reply

Your email address will not be published. Required fields are marked *