ଦଇବ ବେଳେବେଳେ ଏତେ ନିଷ୍ଠୁର ହୋଇପଡ଼ନ୍ତି ଯେ ଯାହା କଳ୍ପନାର ବାହାରେ ଥାଏ। ଏହି ମେଧାବୀ ଛାତ୍ରଙ୍କ ବାପା ମା’ ଅନେକ ସପ୍ନ ଦେଖିଥିଲେ। ଭଲ ସ୍କୁଲ୍ରେ ମଧ୍ୟ ପାଠ ପଢ଼ାଇଥିଲେ। ପୁଅର ସଫଳତା ନେଇ ଏକାଠି ଖୁସି ସାଉଣ୍ଟିବା, ଉତ୍ସବ ପାଳିବା ପାଇଁ ଅପେକ୍ଷାରେ ଥିଲେ। ପରୀକ୍ଷାର ଫଳ ପ୍ରକାଶ ପାଇଲା, ପୁଅ ୯୬.୬ ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହେଲା, ମାତ୍ର ପୁଅ ଆଉ ନାହିଁ । ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାରେ। ଆଉ ସମସ୍ତେ ମଧ୍ୟ ସ୍ତବ୍ଧ। ଜିଲ୍ଲାର ତଥା ରାଜ୍ୟର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ, ବିଏସ୍ ମଲ୍ ସତ୍ବଧିକାରୀ ଜିତେନ୍ଦ୍ର କୁମାର ସାହୁ ଏବଂ କେନ୍ଦୁଝରଗଡ଼ ପୌରପାଳିକାର ଅଧ୍ଯକ୍ଷା ନିକୁ ସାହୁଙ୍କ ଏକମାତ୍ର ପୁଅ ହେଉଛନ୍ତି ବିଏସ୍ ତଥ୍ୟ। ପିଲାଟିବେଳୁ ସେ ଜଣେ ମେଧାବୀ ଛାତ୍ର ଥିଲେ । କେନ୍ଦୁଝର ରବୀନ୍ଦ୍ର ବିଦ୍ୟା ନିକେତନରେ ଏ୧ ଗ୍ରେଡ୍ରେ ଦଶମ ଉତ୍ତୀର୍ଣ ପରେ ଭୁବନେଶ୍ୱର ସାଇ ଇଣ୍ଟରନ୍ୟାସନାଲ ସ୍କୁଲ୍ରେ ପଢ଼ୁଥିଲେ +୨ ବାଣିଜ୍ୟ। ବୁଧବାର ପରୀକ୍ଷା ଫଳ ପ୍ରକାଶ ପାଇଥିଲା। ସେ ୯୬.୬ ପ୍ରତିଶତ ମାର୍କ ରଖିବା ସହ ବିଦ୍ୟାଳୟର ପ୍ରଥମ ୭ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି । ଯୁକ୍ତ ଦୁଇ ପରୀକ୍ଷା ଦେଇ ସେ ବାପା ମା’ଙ୍କ ପାଖକୁ ଫେରିଆସିଥିଲେ। ବାପା ମା’ ନିଶ୍ଚିତ ଥିଲେ ଯେ ପୁଅ ଭଲ ମାର୍କରେ ଉତ୍ତୀର୍ଣ୍ଣ ହେବ। ତା’ର ଆଗାମୀ ପଢ଼ାପଢ଼ି ନେଇ ପ୍ରସ୍ତୁତି ମଧ୍ଯ ଆରମ୍ଭ କରିଥିଲେ ସେମାନେ। ହେଲେ ବିଧିର ବିଧାନ ଥିଲା ଭିନ୍ନ । ଘରେ ରହିଥିବା ସମୟରେ ନିଜ ସାଙ୍ଗକୁ ଭେଟି ଫେରୁଥିଲା ବେଳେ କିଛି ଦିନ ତଳେ ସହର ଉପକଣ୍ଠ ଗୋବିନ୍ଦପୁର ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ସେ ପ୍ରାଣ ହରାଇଥିଲେ। ଏବେ ତଥ୍ୟଙ୍କ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଖାଲି ପରିବାର ନୁହେଁ ସମ୍ପର୍କୀୟ ଓ ବନ୍ଧୁପରି ଜନଙ୍କ ଆଗରେ, ସହପାଠୀଙ୍କ ନିକଟରେ ତଥ୍ୟଙ୍କ ସ୍ମୃତି ପୁଣିଥରେ ଉଦ୍ଜୀବିତ ହୋଇଛି। ବାପା ମାଁ ମୂକ ପାଲଟି ଯାଇଛନ୍ତି । ସତରେ ଦଇବ କେତେ ନିଷ୍ଠୁର ହୋଇପାରେ । Post navigation SIR 2026 in Odisha: ଓଡ଼ିଶାରେ ମେ’ ୩୦ ତାରିଖରୁ ଆରମ୍ଭ ହେବ SIR