Swachh Survekshan 2025–26 Puri Tops Clean Coastal Cities Bhubaneswar Recognised as Odisha’s First Clean City
ସହରାଞ୍ଚଳର ପରିମଳ ବ୍ୟବସ୍ଥା, ସ୍ୱଚ୍ଛତା ଓ ସୁସ୍ଥାୟୀ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ଓଡ଼ିଶାର ନିରନ୍ତର ପ୍ରୟାସକୁ ଜାତୀୟ ସ୍ତରରେ ସ୍ୱୀକୃତି ମିଳିଛି । ସ୍ୱଚ୍ଛ ସର୍ବେକ୍ଷଣ ପୁରସ୍କାର ୨୦୨୫–୨୬ରେ ଓଡ଼ିଶାକୁ ଏହି ସମ୍ମାନ ପ୍ରଦାନ କରାଯାଇଛି ।
 
ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ରାଜ୍ୟ ପକ୍ଷରୁ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ଏହି ପୁରସ୍କାର ଗ୍ରହଣ କରିଛନ୍ତି ।
 
ଏହି ସଫଳତାରେ ଆଉ ଏକ ଗୌରବମୟ ଅଧ୍ୟାୟ ଯୋଡ଼ିଛି ପୁରୀ । ସ୍ୱଚ୍ଛ ଉପକୂଳ ସହର ବର୍ଗରେ ପୁରୀ ପ୍ରଥମ ସ୍ଥାନ ହାସଲ କରିଛି । ସେହିପରି ଓଡ଼ିଶାର ପ୍ରଥମ ରାଜ୍ୟସ୍ତରୀୟ ସ୍ୱଚ୍ଛ ସହର ଭାବେ ଭୁବନେଶ୍ୱରକୁ ସ୍ୱୀକୃତି ମିଳିଥିବାବେଳେ, ୨୦ ହଜାରରୁ ୫୦ ହଜାର ଜନସଂଖ୍ୟା ବର୍ଗର ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ULB) ମଧ୍ୟରେ ଆସିକା ପୌରପାଳିକା ଦ୍ୱିତୀୟ ସ୍ଥାନ ଅଧିକାର କରିଛି । ଏହି ସଫଳତା ରାଜ୍ୟର ସହର ଓ ନଗରଗୁଡ଼ିକରେ ସ୍ୱଚ୍ଛତା, ଉନ୍ନତ ପରିମଳ ବ୍ୟବସ୍ଥା, ବର୍ଜ୍ୟବସ୍ତୁର ସୁପରିଚାଳନା ଏବଂ ଜନସାଧାରଣଙ୍କ ସକ୍ରିୟ ସହଭାଗିତାର ପ୍ରତିଫଳନ ।
 
ଏହି ଜାତୀୟ ସ୍ୱୀକୃତି ଓଡ଼ିଶାର ସ୍ୱଚ୍ଛ, ସୁସ୍ଥ ଓ ବାସଯୋଗ୍ୟ ସହର ଗଠନ ଦିଗରେ ନିରନ୍ତର ଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି । ଏଥିସହ ରାଜ୍ୟ ସରକାର, ସହରାଞ୍ଚଳ ସ୍ଥାନୀୟ ସଂସ୍ଥା, ସଫେଇ କର୍ମଚାରୀ ଓ ନାଗରିକମାନଙ୍କର ସମ୍ମିଳିତ ପ୍ରୟାସକୁ ମଧ୍ୟ ଏହା ସ୍ୱୀକୃତି ପ୍ରଦାନ କରିଛି । ସ୍ୱଚ୍ଛତାକୁ ଏକ ଜନଆନ୍ଦୋଳନରେ ପରିଣତ କରିବା ସହ ନାଗରିକଙ୍କ ସହଭାଗିତା ଓ ସାମାଜିକ ଦାୟିତ୍ୱବୋଧ ବୃଦ୍ଧି ଦିଗରେ ଏହି ପ୍ରୟାସ ଗୁରୁତ୍ୱ ବହନ କରୁଛି ।
 
ସ୍ୱଚ୍ଛ ଭାରତ ମିଶନ୍‌–ସହରାଞ୍ଚଳ ଅଧୀନରେ ଆୟୋଜିତ ସ୍ୱଚ୍ଛ ସର୍ବେକ୍ଷଣ ପୁରସ୍କାର ୨୦୨୫–୨୬ ହେଉଛି ଏହାର ଦଶମ ସଂସ୍କରଣ । ଏହା ବିଶ୍ୱର ସର୍ବବୃହତ୍ ସହରାଞ୍ଚଳ ସ୍ୱଚ୍ଛତା ଓ ପରିମଳ ମୂଲ୍ୟାୟନ କାର୍ଯ୍ୟକ୍ରମ ଭାବେ ପରିଚିତ । ଚଳିତ ବର୍ଷର ବିଷୟବସ୍ତୁ ‘ସ୍ୱଚ୍ଛତା କି ନୟୀ ପହେଲ୍ – ବଢ଼ାଏଁ ହାଥ, କରେଁ ସଫାଇ ସାଥ୍’ ମାଧ୍ୟମରେ ନାଗରିକଙ୍କ ସହଭାଗିତା, ଅନୁଷ୍ଠାନିକ ଉତ୍ତରଦାୟିତ୍ୱ ଏବଂ ସହରଗୁଡ଼ିକ ମଧ୍ୟରେ ସୁସ୍ଥ ପ୍ରତିଯୋଗିତା ଜରିଆରେ ସହରାଞ୍ଚଳ ପରିମଳ ବ୍ୟବସ୍ଥାରେ ଗତ ଏକ ଦଶନ୍ଧି ଧରି ଆସିଥିବା ପରିବର୍ତ୍ତନକୁ ଉତ୍ସବ ଭାବେ ପାଳନ କରାଯାଇଛି ।
 
ଏହି ପୁରସ୍କାର ସମାରୋହରେ ସ୍ୱତନ୍ତ୍ର ଶାସନ ସଚିବ ତଥା ସ୍ୱଚ୍ଛ ଭାରତ ମିଶନ୍ (ସହରାଞ୍ଚଳ)ର ମିଶନ ନିର୍ଦ୍ଦେଶକ ବିନୟ କୁମାର ଦାଶ, ଭୁବନେଶ୍ୱର ମହାନଗର ନିଗମର ମେୟର ସୁଲୋଚନା ଦାସ, ଭୁବନେଶ୍ୱର ମହାନଗର ନିଗମର କମିଶନର, ପୁରୀ ମହାନଗର ନିଗମର ପ୍ରତିନିଧି ଏବଂ ଆସିକା ପୌରପାଳିକାର ଅଧ୍ୟକ୍ଷ ଓ ନିର୍ବାହୀ ଅଧିକାରୀଙ୍କ ସମେତ ରାଜ୍ୟ ପ୍ରତିନିଧି ଦଳର ସଦସ୍ୟମାନେ ଉପସ୍ଥିତ ରହି ଏହି ଗୌରବମୟ ଉପଲବ୍ଧିର ଅଂଶୀଦାର ହୋଇଥିଲେ ।
 
ଏହି ସଫଳତା ରାଜ୍ୟର ସମସ୍ତ ସହରରେ ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା, ସୁସ୍ଥାୟୀ ବର୍ଜ୍ୟବସ୍ତୁ ପରିଚାଳନା ପଦ୍ଧତିକୁ ପ୍ରୋତ୍ସାହିତ କରିବା ଏବଂ ସ୍ୱଚ୍ଛ, ସମାବେଶୀ ଓ ବାସଯୋଗ୍ୟ ସହର ଗଠନର ସଂକଳ୍ପକୁ ଆଗକୁ ବଢ଼ାଇବା ପାଇଁ ଓଡ଼ିଶାର ପ୍ରତିବଦ୍ଧତାକୁ ଆହୁରି ଦୃଢ଼ କରିଛି ।

By Nirvay

Leave a Reply

Your email address will not be published. Required fields are marked *