ଏମଏମଡିଆର ସଂଶୋଧନ ଆଇନ ୨୦୨୬ ବିରୋଧରେ ବିଜୁ ଜନତା ଦଳ ପକ୍ଷରୁ ବ୍ୟାପକ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ବିଜେଡି ନେତ୍ରୀ ସୁଜାତା ରାଉତ କେନ୍ଦ୍ରର ବିଜେପି ସରକାର ଓ ଓଡ଼ିଶାରୁ ନିର୍ବାଚିତ ବିଜେପି ସରକାର ଏବଂ ସାଂସଦମାନଙ୍କ ଉପରେ କଡ଼ା ନିନ୍ଦା କରିଛନ୍ତି। ରାଜ୍ୟର ଅଧିକାର ଓ ସ୍ୱାର୍ଥ ରକ୍ଷା ନିମନ୍ତେ ସଂଗ୍ରାମ ଜାରି ରହିବ ବୋଲି ରାଜଧାନୀର ଲୋୟର ପିଏମଜିଠାରେ ଆୟୋଜିତ ଏକ ଆନ୍ଦୋଳନ ସଭାରେ ଦୃଢ଼ ଆହ୍ୱାନ ଦେଇଛନ୍ତି ବିଜେଡି ନେତ୍ରୀ ସୁଜାତା ରାଉତ। ବିଜେପିର ସରକାରୀ ନୀତି ଓ ନିଷ୍ପତ୍ତି ଯୋଗୁଁ ଓଡ଼ିଶା ନିଜର ପ୍ରାପ୍ୟ ହକ୍ରୁ ବଞ୍ଚିତ ହେଉଛି ବୋଲି ଅଭିଯୋଗ କରିବା ସହ ସେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ସୁଜାତା ରାଉତ କହିଛନ୍ତି ଯେ, ନିଜର ଖଣିଜ ସମ୍ପଦ ଉପରେ କର ଲଗାଇବା ଓଡ଼ିଶାର ସାମ୍ବିଧାନିକ ଅଧିକାର ଏବଂ ଏହା ରାଜ୍ୟର ଜନସାଧାରଣ ଓ ବିକାଶ ପାଇଁ ଅତ୍ୟନ୍ତ ଆବଶ୍ୟକ। ୨୦୦୪ ମସିହାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସାମ୍ବିଧାନିକ ଅଧିକାର ବଳରେ ଓଡ଼ିଶାର ପ୍ରଗତି ପାଇଁ ଏକ ଆଇନ ପ୍ରଣୟନ କରିଥିଲେ। କିନ୍ତୁ ଖଣି କମ୍ପାନୀଗୁଡ଼ିକ ଏହି ଆଇନ ବିରୋଧରେ ଅଦାଲତର ଦ୍ୱାରସ୍ଥ ହୋଇଥିଲେ। ଓଡ଼ିଶାବାସୀଙ୍କ ହକ୍ ଏବଂ ଅଧିକାର ପାଇଁ ବିଜେଡି ଦୀର୍ଘ ୨୦ ବର୍ଷ ଧରି କୋର୍ଟରେ ଆଇନଗତ ଲଢ଼େଇ ଜାରି ରଖିଥିଲା। ୨୦୨୪ ମସିହାରେ ସୁପ୍ରିମକୋର୍ଟଙ୍କ ୯ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏହି ମାମଲାରେ ଓଡ଼ିଶା ସପକ୍ଷରେ ଐତିହାସିକ ରାୟ ଦେଇଥିଲେ। ଏହି ରାୟ ଫଳରେ ଓଡ଼ିଶାର ସାମ୍ବିଧାନିକ ଅଧିକାର ସୁରକ୍ଷିତ ହେବା ସହ ରାଜ୍ୟକୁ ହଜାର ହଜାର କୋଟି ଟଙ୍କାର ରାଜସ୍ୱ ମିଳିବାର ବାଟ ଫିଟିଥିଲା, ଯାହାଦ୍ୱାରା ରାଜ୍ୟ ସମ୍ପୂର୍ଣ୍ଣ ଋଣମୁକ୍ତ ହୋଇପାରିଥାନ୍ତା। ଏହି ପ୍ରଚୁର ଅର୍ଥ ବଳରେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ଚାଷୀମାନଙ୍କୁ ଋଣମୁକ୍ତ କରାଯିବା ସହ ବ୍ୟାପକ ଜଳସେଚନ, ଗ୍ରାମାଞ୍ଚଳ ଶିକ୍ଷା ଓ ମୋଟାମୋଟି ଭାବେ ଶିକ୍ଷା-ସ୍ୱାସ୍ଥ୍ୟ ଭିତ୍ତିଭୂମିର ଆମୂଳଚୂଳ ପରିବର୍ତ୍ତନ ସମ୍ଭବ ହୋଇପାରିଥାନ୍ତା। କେବଳ ସେତିକି ନୁହେଁ, ମେଟ୍ରୋ ରେଳ ସେବା, ପେନସନ ହାର ବୃଦ୍ଧି ଏବଂ ସମସ୍ତଙ୍କ ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ପ୍ରଦାନ କରି ଓଡ଼ିଶାକୁ ଦେଶର ଶୀର୍ଷ ରାଜ୍ୟରେ ପରିଣତ କରିବାର ସ୍ୱପ୍ନ ସାକାର ହୋଇପାରିଥାନ୍ତା। ତେବେ କେନ୍ଦ୍ରର ବିଜେପି ସରକାର ଏମଏମଡିଆର ସଂଶୋଧନ ଆଇନ ୨୦୨୬ ଆଣି ଓଡ଼ିଶାର ଏହି ସାମ୍ବିଧାନିକ ଅଧିକାରକୁ ଛଡ଼ାଇ ନେଇଛନ୍ତି ଏବଂ ରାଜ୍ୟକୁ ଆସିବାକୁ ଥିବା ହଜାର ହଜାର କୋଟି ଟଙ୍କାର ଅନୁଦାନ ଓ ରାଜସ୍ୱକୁ ଅଟକାଇ ଦେଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ସେ ସମାଲୋଚନା କରି କହିଛନ୍ତି ଯେ, ଓଡ଼ିଶାରୁ ନିର୍ବାଚିତ ବିଜେପି ସାଂସଦମାନେ ଏହି ବିଲ୍ ସପକ୍ଷରେ ଭୋଟ୍ ଦେଇ ଓଡ଼ିଶାବାସୀଙ୍କ ସହ ବଡ଼ ଅନ୍ୟାୟ କରିଛନ୍ତି। ଓଡ଼ିଶା ଭଳି ଏକ ବିକାଶଶୀଳ ରାଜ୍ୟ ପାଇଁ ଏହି ଅର୍ଥ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। ଏଥି ସହିତ ସେ ପ୍ରଶ୍ନ କରିଛନ୍ତି ଯେ, ଓଡ଼ିଶାର ରୋଜଗାର ଓ ରୋଜଗାରକ୍ଷମ ପିଢ଼ିର ସୁରକ୍ଷା ପାଇଁ ଆସିବାକୁ ଥିବା ଲକ୍ଷ୍ମୀଙ୍କୁ କାହିଁକି ଫେରାଇ ଦିଆଗଲା। ବିଜେପି ନେତାମାନେ ଗୋଟିଏ ପଟେ ଖଣି ରାଜସ୍ୱ ବୃଦ୍ଧିର ଦାବି କରୁଥିବା ବେଳେ ଅନ୍ୟପଟେ ମିଛ ଆଶ୍ୱାସନା ଦେଇ ଓଡ଼ିଶାବାସୀଙ୍କୁ ପ୍ରତାରିତ କରୁଛନ୍ତି। ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟିସମ୍ପନ୍ନ କାର୍ଯ୍ୟ ଯୋଗୁଁ ହିଁ ରାଜ୍ୟର ଖଣି ରାଜସ୍ୱ ୫୦ ହଜାର କୋଟି ଟଙ୍କାରେ ପହଞ୍ଚିଥିଲା, ଯାହାକୁ ସାକ୍ଷାତ୍ ପ୍ରଧାନମନ୍ତ୍ରୀ ମଧ୍ୟ ପ୍ରଶଂସା କରିଥିଲେ। ବିଜେପିର ନିଷ୍ପତ୍ତିଗୁଡ଼ିକ ଦିଲ୍ଲୀର ରିମୋଟ କଣ୍ଟ୍ରୋଲ ଦ୍ୱାରା ପରିଚାଳିତ ହେଉଥିବା ବେଳେ ବିଜୁ ଜନତା ଦଳର ରିମୋଟ କଣ୍ଟ୍ରୋଲ କେବଳ ଓଡ଼ିଶାବାସୀଙ୍କ ହାତରେ ରହିଛି। ଏମଏମଡିଆର ଆଇନ ପ୍ରତ୍ୟାହାର ଏବଂ ଓଡ଼ିଶାର ପ୍ରାପ୍ୟ ହକ୍ ନମିଳିବା ପର୍ଯ୍ୟନ୍ତ ଏବଂ ପ୍ରତ୍ୟେକ ଓଡ଼ିଆଙ୍କ ସୁରକ୍ଷା ନିଶ୍ଚିତ ନହେବା ଯାଏଁ ବିଜେଡି ନିଜର ଏହି ସଂଗ୍ରାମ ଜାରି ରଖିବ ବୋଲି ସେ ଦୃଢ଼ତାର ସହ ପ୍ରକାଶ କରିଛନ୍ତି। Post navigation Debt Burden in Odisha: ଦେଢ଼ ଲକ୍ଷ କୋଟି ଟପିବ ରାଜ୍ୟର ଋଣଭାର: ମୁଖ୍ୟମନ୍ତ୍ରୀ ମୋହନ ମାଝୀ गुलवीर सिंह ने रचा इतिहास, एशियाई खेलों में दो व्यक्तिगत सिल्वर पदक जीतने वाले पहले भारतीय बने