ନିର୍ଭୟ ମିଡିଆ : ଭୁବନେଶ୍ୱର,

ଓଡ଼ିଶାରେ ଭାଜପା କେନ୍ଦ୍ର ନେତାଙ୍କ ପ୍ରଚାର ଶୁଭ ପଡ଼ିବ ଆସନ୍ତା ୨୫ରେ । ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସୋନପୁରରୁ ପ୍ରଚାରର ଶୁଭ ଦେବେ । ଅନେକ ଦୃଷ୍ଟିକୋଣରୁ ଶାହାଙ୍କ ସୋନପୁରରୁ ପ୍ରଚାର ଆରମ୍ଭ କରିବାର ଏକ ବଡ଼ ରାଜନୈତିକ ଦିଗ ଅଛି ।

ଶାହାଙ୍କ ଗସ୍ତ ସମ୍ପର୍କରେ ସୂଚନା ଦେଇଛନ୍ତି ଭାଜପା ଉପସଭାପତି ଗୋଲକ ମହାପାତ୍ର । ସେ କହିଛନ୍ତି, ୨୫ ଅପରାହ୍ନରେ ସୋନପୁରରେ ନିର୍ବାଚନ ପ୍ରଚାର କରିବେ ଶାହା । ସେଦିନ କିନ୍ତୁ ଭୁବନେଶ୍ୱରରେ ରାତ୍ରି ଯାପନ କରିବେ । ତେବେ ଭୁବନେଶ୍ୱର ରହଣି ସମୟରେ ଭାଜପାର ଏହି ତାରକା ପ୍ରଚାରକ ଦଳୀୟ କର୍ମକର୍ତ୍ତାଙ୍କ ସହିତ ଏକ ବିଶେଷ ବୈଠକରେ ଯୋଗଦେବେ । ବିଶେଷତଃ ରଣନୀତି ଓ ପ୍ରଚାର କୌଶଳ ବାବଦରେ ଶାହା କର୍ମକର୍ତ୍ତାଙ୍କୁ ଦିଗନିର୍ଦେଶ ଦେବେ ବୋଲି କହିଛନ୍ତି ଗୋଲକ ।

ତେବେ ସୋନପୁରରୁ ପ୍ରଚାର ଆରମ୍ଭ କାହିଁକି? ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ମେ’ ୧୩ରେ ହେବ । ୪ଟି ଲୋକସଭା ଆସନର ୨୮ଟି ବିଧାନସଭା ଆସନ ସକାଶେ ଭୋଟ ଗ୍ରହଣ କରାଯିବ ଏହି ପର୍ଯ୍ୟାୟରେ । ଦେଶ ପାଇଁ ଏହା କିନ୍ତୁ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ । ଯେଉଁ ୪ଟି ଲୋକସଭା ଆସନରେ ଏହି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ, ସେଗୁଡ଼ିକ ହେଲା- ବ୍ରହ୍ମପୁର, କଳାହାଣ୍ଡି, ନବରଙ୍ଗପୁର ଓ କୋରାପୁଟ । ଏହା ଭିତରେ ବଲାଙ୍ଗୀର ନାହିଁ । କିନ୍ତୁ ବଲାଙ୍ଗୀର ଲୋକସଭା ଆସନରେ ଦ୍ୱିତୀୟ ପର୍ଯ୍ୟାୟ ଅର୍ଥାତ ମେ’ ୨୦ରେ ମତଦାନ ଅନୁଷ୍ଠିତ ହେବ ।

ବଲାଙ୍ଗୀର ଲୋକସଭା ଆସନ ଅଧୀନରେ ଆସୁଥିବା ବିଧାନସଭା ଆସନଗୁଡ଼ିକ ହେଲା ବୀରମହାରାଜପୁର, ସୋନପୁର, ଲୋଇସିଂହା, ପାଟନାଗଡ଼, ବଲାଙ୍ଗୀର, ଟିଟିଲାଗଡ଼ ଓ କଣ୍ଟାବାଞ୍ଜି । ବଲାଙ୍ଗୀର ଲୋକସଭା ଆସନ ପାଇଁ ସାଂସଦ ସଂଗୀତା ସିଂହଦେଓ ପୁଣି ଥରେ ପ୍ରାର୍ଥୀ ହୋଇଛନ୍ତି । ସୋନପୁର ଆସନର ବିଧାୟକ ହେଉଛନ୍ତି ମନ୍ତ୍ରୀ ନିରଞ୍ଜନ ପୂଜାରୀ । କିନ୍ତୁ ଶାହାଙ୍କ ଲକ୍ଷ୍ୟ ନିରଞ୍ଜନ ନୁହନ୍ତି । ଟାର୍ଗେଟ ନବୀନ ।

ନବୀନ ହିଞ୍ଜିଳି ସହ କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହୋଇଛନ୍ତି । ନବୀନ ଏବଂ ବିଜୁ ଜନତା ଦଳ କଣ୍ଟାବାଞ୍ଜିରୁ ପଶ୍ଚିମଓଡ଼ିଶା କାର୍ଡ଼ ଖେଳିବାକୁ ଯେଉଁ ଯୋଜନା ରଖିଛନ୍ତି, ସେହି କାର୍ଡ଼କୁ ଶାହା ପଶ୍ଚିମଓଡ଼ିଶାରୁ ପ୍ରଥମେ ଆଘାତ ଦେବାକୁ ଚାହିଁବେ । ସୋନପୁରକୁ ଲାଗିଛି କନ୍ଧମାଳ । ସଂଲଗ୍ନ ବୀରମହାରାଜପୁରକୁ ଲାଗିଛି ସମ୍ବଲପୁର । ତେଣୁ ସୋନପୁରରୁ ପ୍ରଚାର ଅଭିଯାନ ଆରମ୍ଭ କରି ନବୀନଙ୍କୁ ଟାର୍ଗେଟ କରିବା ଲକ୍ଷ୍ୟ ରଖିଛନ୍ତି ଶାହା ।

ନିକଟରେ ଇଣ୍ଡିଆ ଟୁଡେ ସହ ସାକ୍ଷାତକାରରେ ଶାହା କହିଥିଲେ ଯେ, ଏଥର ନବୀନଙ୍କ ସହ ସାମ୍ନାସାମ୍ନି ଲଢ଼େଇ ହେବ । ଓଡ଼ିଆ ଭାଷା ଏବଂ ଓଡ଼ିଶାର ଗୌରବ ହିଁ ଆକ୍ରମଣର କେନ୍ଦ୍ର ହେବ । ଅର୍ଥାତ ଯେଉଁ ପଶ୍ଚିମଓଡ଼ିଶାରୁ ନବୀନ ପ୍ରାର୍ଥୀ ହୋଇଛନ୍ତି, ସେହି ପଶ୍ଚିମଓଡ଼ିଶାରେ ହିଁ ଓଡ଼ିଶାର ଅସ୍ମିତା କଥା କହି ତାଙ୍କୁ ଟାର୍ଗେଟ କରିବେ ଶାହା ।
ତେବେ ସମସ୍ତଙ୍କ ନଜର ରହିବ ଶାହାଙ୍କ ଭାଷଣ ଉପରେ । ଏହାହିଁ ସୂଚାଇ ଦେବ ଯେ ଆକ୍ରମଣର ଧାରା କେଉଁ ଦିଗକୁ ଯିବ ।

By Nirvay

Leave a Reply

Your email address will not be published. Required fields are marked *