ଲଘୁଚାପ ପ୍ରଭାବରେ ସାରା ଓଡ଼ିଶାରେ ତୁହାକୁ ତୁହା ପ୍ରବଳ ବର୍ଷା ଜାରି ରହିଛି। ଫଳରେ ରାଜ୍ୟର ବିଭିନ୍ନ ପ୍ରମୁଖ ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବା ସହ ଅନେକ ତଳିଆ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି। କିନ୍ତୁ ଏହି ପ୍ରବଳ ବର୍ଷା ଓ ଜଳାବଦ୍ଧତା ମଧ୍ୟରେ ସବୁଠାରୁ କରୁଣ ଚିତ୍ର ଦେଖିବାକୁ ମିଳୁଛି ପବିତ୍ର ସ୍ୱର୍ଗଦ୍ୱାରରେ। ଏହି ପ୍ରବଳ ବର୍ଷା ଓ ଜଳାବଦ୍ଧତା ଯୋଗୁଁ ସାଧାରଣ ଜନଜୀବନ ବ୍ୟାହତ ହେବା ସହ ଶବ ଦାହ କରିବାରେ ବ୍ୟାପକ ସମସ୍ୟା ଦେଖାଦେଇଛି। ଶ୍ରୀକ୍ଷେତ୍ର ପୁରୀର ପବିତ୍ର ସ୍ୱର୍ଗଦ୍ୱାରରେ ଶବ ଦାହକୁ ନେଇ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟା ପ୍ରଭାବିତ ଅଞ୍ଚଳରୁ ବହୁ କଷ୍ଟରେ ଆପଣା ଲୋକଙ୍କ ମୃତଦେହ ଧରି ଆସୁଥିବା ଆତ୍ମୀୟସ୍ୱଜନ ସ୍ୱର୍ଗଦ୍ୱାରରେ ପହଞ୍ଚି ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଭିନ୍ନ ସ୍ଥାନରେ ଜଳମଗ୍ନଥିବା ବେଳେ ଦୈନନ୍ଦିନ ଆସୁଥିବା ଶବ ସଂଖ୍ୟାରେ ପ୍ରବଳ ବୃଦ୍ଧି ପାଇଛି । ଫଳରେ ମୃତକଙ୍କ ଶେଷ ସଂସ୍କାର ପାଇଁ ଆସୁଥିବା ଆତ୍ମୀୟ ସ୍ୱଜନମାନେ ଶୋକାକୁଳ ପରିବେଶ ମଧ୍ୟରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ବାଧ୍ୟ ହେଉଛନ୍ତି। ଏହା ସହିତ ଶବ ସଂଖ୍ୟାରେ ପ୍ରବଳ ବୃଦ୍ଧି ପାଇବା ଫଳରେ ସ୍ୱର୍ଗଦ୍ୱାରରେ ଶୁଖିଲା ଓ ଆବଶ୍ୟକୀୟ ଆକାରର କାଠର ଘୋର ଅଭାବ ଦେଖିବାକୁ ମିଳିଛି। ପ୍ରବଳ ବର୍ଷା ଯୋଗୁଁ କାଠ ଓଦା ରହିବା ଏବଂ କାଠ ଯୋଗାଣ ବାଧାପ୍ରାପ୍ତ ହେବା ଫଳରେ ଶବ ଦାହ ପ୍ରକ୍ରିୟା ଆହୁରି ମନ୍ଥର ହୋଇପଡ଼ିଛି। ଅନ୍ୟପଟେ ସ୍ୱର୍ଗଦ୍ୱାରରେ ଥିବା ବୈଦ୍ୟୁତିକ ଶବଦାହ ଗୃହ ଉପରେ ଏବେ ପ୍ରଚଣ୍ଡ ଚାପ ପଡ଼ିଛି । ଜାଳେଣି କାଠ ଅଭାବରୁ ଅଧିକାଂଶ ଲୋକ ବୈଦ୍ୟୁତିକ ପଦ୍ଧତିରେ ସତ୍କାର କରିବାକୁ ଆଗ୍ରହୀ ହେଉଛନ୍ତି, ମାତ୍ର ସୀମିତ କ୍ଷମତା ଯୋଗୁଁ ସେଠାରେ ମଧ୍ୟ ଦୀର୍ଘ ଧାଡ଼ି ଦେଖିବାକୁ ମିଳୁଛି। Post navigation Odisha Floods: ବନ୍ୟାଞ୍ଚଳରେ ସ୍ଥିତି ଅନୁଧ୍ୟାନ ଓ ରିଲିଫ୍ କାର୍ଯ୍ୟର ସମନ୍ୱୟ ପାଇଁ ବିଜେଡିର ୩ ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦେଲେ ନବୀନ Jharkhand Student Protests: ଝାଡ଼ଖଣ୍ଡରେ ଛାତ୍ର ଆନ୍ଦୋଳନ: ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ଙ୍କୁ ଚିଠି ଲେଖିଲେ ରାହୁଲ ଗାନ୍ଧୀ